ବାପା ପୁଅ ଆଉ ପାରାଦ୍ୱୀପ ଆସନ । ଦାମ ରାଗିଲେ, ବିଷ ଉଗାଳିଲେ । ସମ୍ବିତ କହିଲେ, ଅତୀତରେ ଟିକେଟ ମିଳିଥିଲା, ଲଢିନଥିଲି

85

କନକ ବ୍ୟୁରୋ: ଏକ ଦଳୀୟ ସମୀକ୍ଷା ବୈଠକରେ ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଡକା ନଯାଇ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଖବର, ଚର୍ଚ୍ଚାକୁ ଆସିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ ଦାମ ଓ ତାଙ୍କ ପୁଅ ସମ୍ବିତ । ଦାମ ପ୍ରଶ୍ନ କରିଛନ୍ତି, ସେ ବିଧାୟକ ଥିବା ବେଳେ ତାଙ୍କ ପୁଅ କେମିତି ତାଙ୍କୁ ପ୍ରତିନିଧିତ୍ୱ କରିବେ । ପଢନ୍ତୁ ଏହି ରିପୋର୍ଟ ।

ଓଡିଶା ରାଜନୀତିରେ ପ୍ରାୟ ୫ ଦଶନ୍ଧି ଧରି ସକ୍ରୀୟ ରହିଆସିଥିବା ଏହି ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତିର ସମ୍ମୁଖୀନ କରିଥିବେ, ଯେତେ ବେଳେ ଦଳୀୟ କାର୍ଯ୍ୟକ୍ରମରେ ପୁଅକୁ ଡକା ହେଉଥିବ କିନ୍ତୁ ବାପାଙ୍କୁ ଡକା ହେଉନଥିବ ।

ଗତ ସୋମବାର ଦିନ ନବୀନ ନିବାସରେ ଏକ ଜିଲ୍ଲାୱାରୀ ସମୀକ୍ଷା ବୈଠକରେ କୁଆଡେ ଦାମଙ୍କୁ ଡକାନଯାଇ ପୁଅ ସମ୍ବିତଙ୍କୁ ଡକାଯାଇଥିଲା ବୋଲି ଚର୍ଚ୍ଚାକୁ ଆସିଛି । କିନ୍ତୁ ଏହି ଚର୍ଚ୍ଚା ଠିକ୍ ନୁହେଁ ବୋଲି ଉଭୟ ଡାକ୍ତର ରାଉତ ଓ ସମ୍ବିତ ରାଉତରାୟ ଗଣମାଧ୍ୟମକୁ କହିଛନ୍ତି ।

ଏସବୁ ଭିତରେ ବିଜେଡିର ସଂପାଦକ ସମ୍ବିତ ରାଉତରାୟଙ୍କୁ ଗଣମାଧ୍ୟମ ପ୍ରତିନିଧି ୨୦୦୯ରେ ତାଙ୍କର ଟିକେଟ ପାଇବାର ସମ୍ବାବନା କଥା ପଚାରିଥିଲେ ଆଉ ଏବାବଦରେ ସମ୍ବିତ ଯେଉଁ ଉତ୍ତର ଦେଇଥିଲେ ତାହା ଆହୁରୀ ଚର୍ଚ୍ଚାର ବିଷୟ ପାଲିଟିଯାଇଛି । ସମ୍ବିତ କହିଥିଲେ କି, ତାଙ୍କ ବାପା ତଥା ଡାକ୍ତର ଦାମୋଦର ରାଉତ, ତାଙ୍କର ଟିକେଟ ସପକ୍ଷରେ ନଥିଲେ । ତେବେ ଉଭୟ ବାପା ଓ ପୁଅଙ୍କ ପରସ୍ପର ପ୍ରତି ଏଭଳି ମନ୍ତବ୍ୟ ପରେ ସ୍ପଷ୍ଟ ହୋଇଯାଉଛି ଯେ ରାଜନୈତିକ ଲୋଭ ନେଇ ଉଭୟଙ୍କ ଭିତରେ ଫାଟ ସୃଷ୍ଟି ହୋଇଛି ।