ପଞ୍ଚଭୂତରେ ଲୀନ ହେଲା ଦମୟନ୍ତୀଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ

3,563

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସରୁ ଦମୟନ୍ତୀଙ୍କ ମୃତଦେହ ଆଜି ସକାଳେ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲା । ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ଜିଲ୍ଲା ଓ ପୋଲିସ ପ୍ରଶାସନର ଅଧିକାରୀମାନେ ଦମୟନ୍ତୀଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳ ଜଣାଇଥିଲେ । ଏହାପରେ ସ୍ୱର୍ଗଦ୍ୱାରରେ ହିନ୍ଦୁ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଅନ୍ତ ହୋଇଥିଲା । ବଡବାପା ଧନେଶ୍ୱର ମହାନ୍ତ ମୁଖାଗ୍ନି ଦେଇଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦମୟନ୍ତୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଅଙ୍ଗଦାନ କରି ଚିରଦିନ ପାଇଁ ଅମର ହୋଇଯାଇଛନ୍ତି ଦମୟନ୍ତୀ ।

ଅଙ୍ଗଦାନ କରି ଅନ୍ୟ ମୁହଁରେ ହସ ଫୁଟାଇ ଯାଇଛନ୍ତି ୧୪ବର୍ଷୀୟ ନାବାଳିକା । ଏତେ ଛୋଟ ବୟସରେ ଏମିତି ମହତ କାର୍ଯ୍ୟ କରି ସମସ୍ତଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି । ଦମୟନ୍ତୀ ନବମ ଶ୍ରେଣୀରେ ପାଠ ପଢୁଥିଲେ । କିଡନୀ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି । ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରିବା ପରେ ପରିବାର ଲୋକ ତାଙ୍କ ଅଙ୍ଗଦାନ କରିଛନ୍ତି । ଅଙ୍ଗଦାନ କରି ସେ ଅନ୍ୟର ଜୀବନ ବଞ୍ଚାଇଛନ୍ତି । ତାଙ୍କ ଯକୃତ ଅନ୍ୟ ଶରୀରରେ ଲାଗିବା ପାଇଁ ଦିଲ୍ଲୀ ପଠାଯାଇଛି । ଗତକାଲି ଏମ୍ସରୁ ଗ୍ରୀନ କରିଡର କରାଯାଇ ତାଙ୍କ ଯକୃତକୁ ବିମାନ ବନ୍ଦରକୁ ନିଆଯାଇଥିଲା ସେଠାରୁ ଦିଲ୍ଲୀ ପଠାଯାଇଛି ।