କନକ ବ୍ୟୁରୋ: ଅଗଣାରେ ଆଉ ଶୁଭିବନି ବୋଉ ଡାକ। ଏଥର ରଜରେ ପାଦରେ ଅଳତା ଲଗେଇ ଦୋଳିରେ ଆଉ ଝୁଲିବ ନାହିଁ ସେ । ବାପାଙ୍କୁ ଜାବୁଡି ଧରି ମନ କଥା ବି କହିପାରିବନି ସେ । ଏତେ ସବୁ କଥା ପାଇଁ ଦମୟନ୍ତୀଙ୍କ ପାଖରେ ଆଉ ନାହିଁ ଆୟୁଷ। କାରଣ ସଭିଙ୍କୁ ଛାଡି ସେ ଚାଲିଯାଇଛି ଅଫେରା ରାଇଜକୁ। ସଭିଏଁ କହୁଛନ୍ତି ସେ ଆଉ ନାହିଁ, କିନ୍ତୁ ମାଁ କହୁଛି ମୋ ଝିଅ ଏବେବି ବଞ୍ଚିଛି । ଆଖି ବୁଜିବା ପରେ ଅନ୍ୟ କାହା ଘରେ ହସ ଫୁଟାଇବେ ଦମୟନ୍ତୀ। ମୃତ୍ୟୁ ପରେ ତାଙ୍କର ଯକୃତ ଅନ୍ୟ ଏକ ରୋଗୀଙ୍କୁ ଲାଗିବ।

Advertisment

ଅଙ୍ଗଦାନଠୁ ଦାନ ନାହିଁ, ଜୀବନ ଦାନଠୁ ଆଉ ପୂଣ୍ୟ ନାହିଁ । ନିଜେ ଜୀବିତ ନାହାଁନ୍ତି ସତ, କିନ୍ତୁ ଅନ୍ୟର ଜୀବନ ବଂଚିଯିବ । ପରିବାର ଲୋକଙ୍କ ଅଙ୍ଗଦାନ ନିଷ୍ପତି ସତରେ ଆଉ ଜଣେ ମଣିଷଙ୍କ ମୁହଁରେ ହସ ଫୁଟାଇବ । ଇଏ ହେଉଛନ୍ତି ଦମୟନ୍ତୀ ମହାନ୍ତଙ୍କ ଫଟୋ । ୩ ଦିନ ତଳେ ଏହି ବଢ଼ିଲା ଝିଅଟି ଆଖି ବୁଜି ଦେଇଛନ୍ତି ।

କେନ୍ଦୁଝର ଜିଲ୍ଲାର ୧୪ ବର୍ଷର ଦମୟନ୍ତୀ । କିଡନୀ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ସହ ସଂଗ୍ରାମ ପରେ ଶେଷରେ ଆଖି ବୁଜିଦେଲେ । ସଭିଙ୍କୁ ଛାଡ଼ି ଚାଲିଯାଇଛନ୍ତି ସତ କିନ୍ତୁ ମୃତ୍ୟୁ ପରେ ବି ସେ ହୋଇଯାଇଛନ୍ତି ଅମର । ମୃତ୍ୟୁ ପରେ ଯକୃତ ଅନ୍ୟ ଶରୀରରେ ଲାଗିବ । ଏହି ନିଷ୍ପତି ନେବା କିନ୍ତୁ ଏତେ ସହଜ ନଥିଲ ।

ଅଙ୍ଗପ୍ରତ୍ୟୋରୋପଣର ଏଭଳି ଏକ ବଡ଼ ଧରଣର ପ୍ରସାୟ ହୁଏତ ପ୍ରଥମ ଥର ପାଇଁ ହୋଇଛି । ଗ୍ରୀନ କରିଡରରେ ଭୁବନେଶ୍ୱର ବିମାନ ବନ୍ଦରକୁ ଯିବା ପରେ, ଯକୃତକୁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ନିଆଯାଇଛି । ସେହିପରି ଚେନ୍ନାଇ ପଠାଇବାକୁ ବ୍ୟବସ୍ଥା କରାଯାଇଥିବା ଅଙ୍ଗକୁ ବର୍ତମାନ ସମୟ ପାଇଁ ବାତିଲ କରାଯାଇଛି ।

ଓଡ଼ିଶା ମୋ ପରିବାରର ତତ୍ୱାବଧାନରେ ଏହି ଅଙ୍ଗପ୍ରତ୍ୟାରୋପଣ ଅଭିଯାନକୁ ସଫଳ କରିବା ପାଇଁ ଉଦ୍ୟମ ହୋଇଥିଲା । ଏପଟେ ରାଜ୍ୟ ସରକାର ଅର୍ଗାନ ଡୋନେଟ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଯେଉଁମାନେ ଅର୍ଗାନ ଡୋନେଟ୍ କରିବେ, ସେମାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ନେଇ ଘୋଷଣା ହୋଇଛି ।