କନକ ବ୍ୟୁରୋ : କଂଗ୍ରେସ ସହ ମେଂଟ ପ୍ରସଙ୍ଗରେ ଆଜି ପୁଣି ମତ ବଦଳାଇଛନ୍ତି ଦାମ ରାଉତ । ସେ କହିଛନ୍ତି, ଅର୍ଥକୁ କାହିଁକି ଅନର୍ଥ କରାଯାଉଛି ମୁଁ ଜାଣିନି । ଓଡିଶାରେ କାହାର ସହୟତା ଦରକାର ନାହିଁ , ଆମେ ଏକାକୀ ଲଢିପାରିବୁ ବୋଲି କହିଛନ୍ତି ଦାମ ରାଉତ । କିନ୍ତୁ କଂଗ୍ରେସ ଅଛୁଆଁ ନୁହେଁ ବୋଲି ଦୋହରାଇଛନ୍ତି ଦାମ ରାଉତ । ସେ ଦୃଢୋକ୍ତି କରିଛନ୍ତି ବିଜେଡି ୧୨୫ ଆସନରେ ଜିତିବ ।

Advertisment

publive-imageକଂଗ୍ରେସ ବାବଦରେ ବିଜେଡି ଉପସଭାପତି ତଥା ମନ୍ତ୍ରୀ ଦାମୋଦର ରାଉତଙ୍କ ମତ । ଏହା ବିଜେଡିର ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଆମେ ସମ ଦୂରତା ରକ୍ଷା କରି ଆସିଛୁ, ଆଗକୁ ମଧ୍ୟ କରିବୁ । ଦାମଙ୍କ ଏଭଳି ମତ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା ସୁପ୍ରିମୋ ବିଚାର କରିବେ । କିନ୍ତୁ ଦାମଙ୍କ କଥାକୁ ବିଜେଡିରେ କେହି ହଜମ କରିପାରୁନଥିବା ସୂର୍ଯ୍ୟ ପାତ୍ର କହିଛନ୍ତି ।

publive-imageସେପଟେ କଂଗ୍ରେସ-ବିଜେଡି ମେଂଟ ପ୍ରସଙ୍ଗରେ ବିଜେଡି ଉପସଭାପତି ଦାମୋଦର ରାଉତଙ୍କ ମତ ଉପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ କହିଛନ୍ତି, ବିଜେପି ସହ କଂଗ୍ରେସ ହିଁ ଏକମାତ୍ର ଦଳ ମୁକାବିଲା କରିପାରିବ । ବିଳମ୍ବରେ ଦାମ ବାବୁଙ୍କ ବୁଦ୍ଧି ଉଦୟ ହୋଇଛି । ୯ ବର୍ଷ ବିଜେପି ସହ ମିଶି ଶାସନ କରୁଥିଲେ । ଏସବୁକୁ ଦେଖିଲେ ବିଜେଡି ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି କହିଛନ୍ତି ନିରଂଜନ । କଂଗ୍ରେସ ଦେଶରେ ଧର୍ମ ନିରପେକ୍ଷ ଶାସନ ଦେଇପାରିବ, ବିଜେପିକୁ ହରାଇବା ପାଇଁ ଚାହୁଁଥିବା ଦଳ କଂଗ୍ରେସ ସହ ହାତ ମିଳାନ୍ତୁ ବୋଲି ସେ କହିଛନ୍ତି । ଏସବୁ ଭିତରେ ଓଡିଶାର ସ୍ୱାର୍ଥକୁ ପ୍ରଥମେ ଗୁରୁତ୍ୱ ଦିଆଯାଉ । ପ୍ରଥମେ ବିଜେଡି ନିଜ ଘର ସଜାଡୁ ବୋଲି ମତ ରଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

publive-imageବିଜେଡି ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଥିଲେ କଂଗ୍ରେସର ସହଯୋଗ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛି ବିଜେଡି । ମୋଦିଙ୍କ କାର୍ୟ୍ୟଧାରାରେ ଖପ୍ପା ବିଜେଡି, ଜାତୀୟସ୍ତରରେ ବିଜେପିର ଏକ ନମ୍ବର ଶତ୍ରୁ କଂଗ୍ରେସ ସହ ହାତ ମିଳାଇବାକୁ ପ୍ରସ୍ତୁତ । ବିଜେପି ଓ କଂଗ୍ରେସ ଠାରୁ ସମଦୁରତ୍ୱ କହି ବାରମ୍ବାର ଓଡିଶାବାସୀଙ୍କ ଆସ୍ଥାଭାଜନ ହେଉଥିବାବିଜେଡି ସରକାରଙ୍କ ବରିଷ୍ଠ ମନ୍ତ୍ରୀ କହିଥିଲେ ଅଛୁଁଆ ନୁହେଁ କଂଗ୍ରେସ ।

ବାରମ୍ବାର ବିବାଦୀୟ ବୟାନ ଦେଇ ଦଳକୁ ଅଡୁଆ ଭିତରକୁ ଟାଣି ନେଉଥିବା ମନ୍ତ୍ରୀ ଦାମୋଦର ରାଉତ ରାଜ୍ୟ ରାଜନୀତିରେ ନୂଆସମୀକରଣ ଆଡକୁ ଇସାରା କରି ଥିଲେ । କହିଥିଲେ, ଅଣବିଜେପି ଦଳଙ୍କ ସହଯୋଗ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ବିଜୁ ଜନତା ଦଳା କିଛି ସମୟ ପରେ ସ୍ପଷ୍ଟ କଲେ ଯେଉଁ ଅଣ ବିଜେପି ଦଳ କଥା ସେ କହୁଛନ୍ତି, ସେ ହେଉଛି କଂଗ୍ରେସ । ତେବେ ଦାମଙ୍କ ଏଭଳି ବୟାନ ପଛର କାରଣ ସେ ନିଜେ ଖୋଲିଥିଲେ । କାହିଁକି କଂଗ୍ରେସ ସହ ମେଣ୍ଟ କଥା ଚିନ୍ତା କରୁଛନ୍ତି ବୋଲି ତାହାର ଗୁମର ଖୋଲିଥିଲେ ଦାମ । ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ୟ୍ୟଶୈଳୀରେ ସହମତ ହୋଇପାରୁନାହିଁ ବିଜେଡି ଏବଂ ଜାତୀୟ ଦୃଶ୍ୟପଟରେ ବିଜେପିର ଏକ ନମ୍ବର ଶତ୍ରୁ କଂଗେସ ସହ ହାତ ମିଳାଇବାକୁ ପ୍ରସ୍ତୁତ ଅଛି ଦଳ ।ଏହାସହ ଦାମ ଆଉ ଏକ ପାଦ ଆଗକୁ ଯାଇ କହିଥିଲେ ଯଦି ବୁଝାମଣା ଆଗକୁ ଯାଏ ତେବେ ଯେଉଁ ଆସନରେ କଂଗ୍ରେସ ଜିତିବାର ସମ୍ଭାବନା ରହିଛି ସେହି ଆସନ ଗୁଡିକ ବିଜେଡି ଛାଡି ଦେଇପାରେ ।