କନକ ବ୍ୟୁରୋ : ଦୀର୍ଘ ଦିନର ଅପେକ୍ଷା ପରେ ଆଜି ସାରା ଓଡ଼ିଶାରେ ରିଲିଜ୍ ହୋଇଛି ଫିଲ୍ମ ‘ଦମନ’ । ରାଜ୍ୟର ୫୦ଟି ହଲରେ ଫିଲ୍ମକୁ ଦେଖିପାରିବେ ଦର୍ଶକ । ଜୟପୁରରେ ରିହାତି ଦେଇଛନ୍ତି ହଲ ମାଲିକ । ଫିଲ୍ମ ଟିକେଟ୍ ୫୦ ଟଙ୍କା ରିହାତି ଦିଆଯାଇଛି । ଓଡ଼ିଆ ଫିଲ୍ମକୁ ହଲ୍ ମିଳୁନଥିବା ନେଇ ଅଭିଯୋଗ ଆସୁଥିବା ବେଳେ ଏକ ସତ୍ୟ କାହାଣୀ ଉପରେ ତିଆରି ହୋଇଥିବା ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି ।

Advertisment

ଅନେକ ହଲରେ ଟିକେଟ୍ ବୁକ୍ ଶେଷ ହୋଇଥିବା କୁହାଯାଉଛି । ଫିଲ୍ମ ରିଲିଜ୍ ପୂର୍ବରୁ ନିଆରା ଢଙ୍ଗରେ ପ୍ରମୋସନ ହୋଇଥିଲା । ଫିଲ୍ମର କ୍ରିୟୁ ମେମ୍ବର ଭୁବନେଶ୍ୱରର ବିଭିନ୍ନ ଛକରେ ଦେହରେ ଆପ୍ରନ ଓ ଗଳାରେ ଷ୍ଟେଥସକପ ପକାଇ ପ୍ରମୋସନ କରିଥିଲେ । ଏପରିକି ଉପାନ୍ତ ଅଞ୍ଚଳରେ ଯେପରି ବାଉଁଶ ଭାରରେ ରୋଗୀଙ୍କୁ ମେଡିକାଲ ନିଆଯାଏ, ଠିକ ସେଭଳି ଢଙ୍ଗରେ ଫିଲ୍ମର ପ୍ରମୋସନ କରାଯାଇଥିଲା । ଚଳଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡ୍ ସୁପରଷ୍ଟାର ବାବୁସାନ ।

ଏକ ସତ୍ୟ କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ । ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ନେଇ ତିଆରି ହୋଇଛି ଫିଲ୍ମ । ଡାକ୍ତର ଓମ୍କାର ହୋତାଙ୍କ ସଂଘର୍ଷମୟ କାହାଣୀରୁ ପ୍ରେରିତ ହୋଇ ଏହି ଫିଲ୍ମ ନିର୍ମାଣ କରାଯାଇଛି । ଯୁବ ଡାକ୍ତରଙ୍କ କର୍ତବ୍ୟନିଷ୍ଠ କାହାଣୀ ଏଥିରେ ପ୍ରତିଫଳିତ ହୋଇଛି । ଫିଲ୍ମରେ ଦର୍ଶାଯାଇଛି ଯେ, ଡାକ୍ତରୀ ପାଠ ଶେଷ ପରେ ଡାକ୍ତରଙ୍କ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପୋଷ୍ଟିଂ ହୋଇଥାଏ । ନକ୍ସଲ ଉପଦ୍ରୁତ ଅଂଚଳରେ ଯୁବ ଡାକ୍ତର କିଭଳି କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଂଜର ସାମ୍ନା କରିବାକୁ ପଡୁଛି ତାହା ଚଳଚିତ୍ରରେ ଦେଖିବାକୁ ମିଳିଛି ।