କନକ ବ୍ୟୁରୋ: ନିଜ ଯୋଜନା ନିଜେ ଭୁଲି ଯାଉଛି କମିସନରେଟ୍ ପୁଲିସ। ଲୋକଙ୍କ ସୁବିଧା ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା ଆରମ୍ଭ ହେଉଛି। କିନ୍ତୁ କିଛି ଦିନ ପରେ ବନ୍ଦ ହୋଇଯାଉଛି। ନୂଆ ଅଫିସର୍ ଆସିଲେ ନୂଆ ନିୟମ ହେଉଛି ସତ କିନ୍ତୁ ପୁରୁଣାକୁ ଭୁଲି ଯାଉଛନ୍ତି। ଚୋରି ଗାଡ଼ି ଫେରସ୍ତ ପାଇଁ ପ୍ରାୟ ଦୁଇବର୍ଷ ତଳେ ଆରମ୍ଭ ହୋଇଥିଲା ‘ବାଇକ୍ ମେଳା’। ସିଧା ଅଭିଯୋଗକାରୀଙ୍କ ପାଖକୁ ଥାନାରୁ କଲ୍ ଯାଉଥିଲା। ମେଳାରେ ପହଞ୍ଚି ଉପଯୁକ୍ତ କାଗଜପତ୍ର, ଦସ୍ତାବିଜ୍ ଦେଖାଇ ଅଭିଯୋଗକାରୀ ନିଜ ଗାଡ଼ି ଫେରସ୍ତ ନେଇ ଯାଉଥିଲେ। ମେଳାର ବଡ଼ ମହତ୍ ଉଦ୍ଦେଶ୍ୟ ଥିଲା। ଗାଡ଼ି ମାଲିକଙ୍କୁ ଆଉ ଥାନା ଚକ୍କର୍ କାଟିବାକୁ ପଡ଼ିବନି କି ହଇରାଣ ହେବାକୁ ପଡ଼ିବନି। ସେତେବେଳର ଏହି ଉଦ୍ଦେଶ୍ୟ ଏବେର ମୋ’ ସରକାର ସେବା ସହ ପୂରା ମେଳ ଖାଉଥିଲା।
କିନ୍ତୁ ଦୁଇ ତିନି ଥର ଏହି ବାଇକ୍ ମେଳା ହେବା ପରେ ହଠାତ୍ ଠପ୍ ହୋଇଯାଇଛି। ପ୍ରାୟ ବର୍ଷେରୁ ଅଧିକ ସମୟ ହେଲା ଆଉ ଦେଖିବାକୁ ମିଳୁ ନାହିଁ ମେଳା। ପୁଣି ସେଇ ପୁରୁଣା ପଦ୍ଧତିକୁ ଫେରିଛି କମିସନରେଟ ପୁଲିସ। ସେମିତି ଥାନାରେ ଉଦ୍ଧାର ହୋଇଥିବା ଚୋରି ଗାଡ଼ି, ଦୁର୍ଘଟଣାର ଶିକାର ଗାଡ଼ି ସଂଖ୍ୟା ବଢ଼ି ବଢ଼ି ଚାଲିଛି। କେତେକ ଥାନାର ଅବସ୍ଥା ଏପରି ହେଲାଣି ଯେ ହତା ଭର୍ତି ହୋଇ ରାସ୍ତା ଉପରେ ଗଦା ହେଲାଣି। ଯାହାକି ଅନେକ ସମୟରେ ଟ୍ରାଫିକ ସମସ୍ୟା ବି ସୃଷ୍ଟି କରୁଛି। ମଞ୍ଚେଶ୍ବର, ଏୟାରଫିଲ୍ଡ, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ଖାରବେଳନଗର ଆଦି କେତେକ ଥାନାର ଅବସ୍ଥା ନ କହିଲେ ଭଲ। ହତା ଭର୍ତି ହେବା ପରେ ଏବେ ଥାନା ବାହାର ରାସ୍ତା କଡ଼ରେ ଗାଡ଼ି ଜମା ହୋଇ ରହିଲାଣି। ଅଳିଆ ଆବର୍ଜନା ଭଳି ପଡ଼ି ରହିଛି ଗାଡ଼ି।
୨୦୧୭ ନଭେମ୍ବର ୪ ତାରିଖ। କମିସନରେଟ୍ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଚୋରି ସାମଗ୍ରୀ ଫେରାଇବା ମେଳା। ତତ୍କାଳୀନ ପୁଲିସ କମିସନର ଯୋଗେଶ ବାହାଦୂର ଖୁରାନିଆ ଏଭଳି ଏକ ଅଭିନବ ଯୋଜନା ଆରମ୍ଭ କରିଥିଲେ। ପୁଲିସର ରିଜର୍ଭ ଗ୍ରାଉଣ୍ଡଠାରେ କମିସନରେଟ୍ ପୁଲିସ ପକ୍ଷରୁ ୪୩ ଜଣ ବାଇକ୍ ମାଲିକଙ୍କୁ ସେମାନଙ୍କ ବାଇକ୍, ୩ ଜଣଙ୍କୁ ମୋବାଇଲ ଓ କିଛି ବ୍ୟକ୍ତିବିଶେଷଙ୍କୁ ସୁନାଗହଣା ଆଦି ଫେରାଇ ଦିଆଯାଇଥିଲା। ଏହି ସମୟରେ କୁହାଯାଇଥିଲା, ମାସକୁ ଦୁଇଥର ଏଭଳି ମେଳା କରାଯାଇ ଜବତ ହୋଇଥିବା ଚୋରି ସାମଗ୍ରୀ ସମ୍ପୃକ୍ତ ମାଲିକଙ୍କୁ ଫେରାଇ ଦିଆଯିବ। ଏଭଳି ଯୋଜନାକୁ ଅଢ଼େଇ ବର୍ଷ ବିତି ଗଲାଣି। କିନ୍ତୁ ପୁଲିସ ପକ୍ଷରୁ ଥରୁଟିଏ ମଧ୍ୟ ଆଉ ମେଳା ଆୟୋଜନ କରାଯାଇ ନାହିଁ। ଫଳରେ ଜବତ ହୋଇଥିବା ସାମଗ୍ରୀ ଏବେ ବି ବିଭିନ୍ନ ଥାନାରେ ପଡ଼ି ରହିଛି। ଜବତ କରିଥିବା ସାମଗ୍ରୀ ପାଇବା ପାଇଁ ଲୋକେ ପ୍ରତିଦିନ ଥାନାକୁ ଦୌଡ଼ୁଛନ୍ତି। କମିସନରେଟ୍ ପୁଲିସର ଏହି ଲୋକାଭିମୁଖୀ ଯୋଜନା କେବଳ କାଗଜପତ୍ରରେ ହିଁ ରହି ଯାଇଛି।
କମିସନରେଟ୍ ପୁଲିସ ପକ୍ଷରୁ ଯାହା ସୂଚନା ମିଳିଛି, କେବଳ ବାଇକ୍ କାହିଁକି ମୋବାଇଲ ଫୋନ୍, ଲାପ୍ଟପ୍ ଓ ସୁନାଗହଣା ଆଦି ମଧ୍ୟ ଫେରା ଯାଉଥିଲା ଏହି ମେଳାରେ। କିନ୍ତୁ ଚୋରି ଜିନିଷ ପାଇବା ପାଇଁ ଲୋକ ଥାନା ଚକ୍କର କାଟୁଛନ୍ତି। ପୁଲିସ କାଗଜପତ୍ର ଆଳରେ ଦିନ ଗଡ଼ାଇ ଚାଲିଛି। କମିସନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଥିଲା, ଜବତ ହୋଇଥିବା ଜିନିଷପତ୍ର କମିସନରେଟ୍ ପୁଲିସର ୱେବସାଇଟରେ ଉପଲବ୍ଧ ହେବ। କିନ୍ତୁ ଗତ କିଛି ବର୍ଷ ହେବ ୱେବ୍ ସାଇଟ୍ ମଧ୍ୟ କାମ କରୁନାହିଁ।
ୱେବସାଇଟ୍ କଥା ବି ଭୁଲି ଯାଇଛନ୍ତି
ଚୋରି ଯାଇଥିବା ବାଇକ୍ ଓ ମୋବାଇଲର ସନ୍ଧାନ ପାଇବା ପାଇଁ ଆଉ ଥାନାକୁ ଥାନା ଦୌଡ଼ିବାକୁ ପଡ଼ିବ ନାହିଁ। ଖୁବଶୀଘ୍ର ଜବତ ହୋଇଥିବା ଚୋରା ବାଇକ୍ ଓ ମୋବାଇଲର ତାଲିକା କମିସନରେଟ ପୁଲିସର ୱେବସାଇଟରେ ରହିବ। ସେହି ୱେବସାଇଟରୁ ତଥ୍ୟ ଦେଖି ବ୍ୟକ୍ତିବିଶେଷମାନେ ଉପଯୁକ୍ତ କାଗଜପତ୍ର ଦେଖାଇ ଥାନାରୁ ନିଜ ଚୋରି ଯାଇଥିବା ବାଇକ୍ ଓ ମୋବାଇଲ୍ ଫୋନ୍ ନେଇପାରିବେ ବୋଲି ପୂର୍ବତନ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଥିଲେ। କିନ୍ତୁ ଏଯାଏଁ କୌଣସି ତଥ୍ୟ ୱେବସାଇଟରେ ଅପଲୋଡ୍ ହୋଇନାହିଁ। ଫଳରେ ଏବେ ଥାନାଗୁଡ଼ିକରେ ବାଇକ୍, ମୋବାଇଲ୍, ସୁନାଗହଣା ଆଦି ଭଳି ମୂଲ୍ୟବାନ୍ ଜିନିଷପତ୍ର ଜମା ହୋଇରହୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/kasaragod_two_whealers_1.jpg)