ସୋସିଆଲ ମିଡ଼ିଆରେ ଭାଇରାଲ ହେଲା କୃଷି ମନ୍ତ୍ରୀଙ୍କ ଦୁଇଟି ସ୍ୱାମୀ ଉପାଖ୍ୟାନ ! ଦାମ କହିଲେ, ଏଭଳି କହିବା ଠିକ୍ ନୁହେଁ, ତାରାଙ୍କ ଦାବି କ୍ଷମା ମାଗନ୍ତୁ ମହାରଥୀ ।

70

କନକ ବ୍ୟୁରୋ : ସୋସିଆଲ ମିଡିଆରେ ପ୍ରଦୀପ ମହାରଥୀଙ୍କ ବୟାନକୁ ନେଇ ବିବାଦ । ମହାରଥୀ କହିଛନ୍ତି ଯେ ଜଣେ ମହିଳାଙ୍କ ଦୁଇଜଣ ସ୍ୱାମୀ । ମହାରଥୀଙ୍କ ଏପରି ମନ୍ତବ୍ୟକୁ କଡା ସମାଲୋଚନା କରାଯାଇଛି । ବିଜେଡିରୁ ବହିଷ୍କୃତ ଦାମୋଦର ରାଉତ ଏହାକୁ ନିନ୍ଦା କରିଥିବା ବେଳେ ବିରୋଧି ଦଳ ମୁଖ୍ୟ ସଚେତକ କହିଛନ୍ତି, ଏପରି ମନ୍ତବ୍ୟ ପାଇଁ ମହାରଥୀ କ୍ଷମା ପ୍ରାର୍ଥନା କରନ୍ତୁ ।

ସେପଟେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ସୃଷ୍ଟି ହୋଇଛି ଝଡ । ବିଜେପିର ମହିଳା କାର୍ଯ୍ୟକାରିଣୀ ସମୟରେ ମହିଳା ଭୋଟ ବ୍ୟାଙ୍କକୁ କିଏ ଅଧିକ ଆକୃଷ୍ଟ କରିପାରିବ ବିଜେପି ନା ବିଜେଡି , ସେନେଇ ମହାରଥୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରୁଥିବା ବେଳେ କିଛି ଏମିତି ତାତ୍ସଲ୍ୟ କରି ଉତ୍ତର ରଖିଥିଲେ ମହାରଥୀ ।

ବିଭିନ୍ନ ମହଲରେ ମହାରଥୀଙ୍କ ଏପରି ମନ୍ତବ୍ୟକୁ କଡା ସମାଲୋଚନା କରାଯାଇଛି । ବିଜେଡିରୁ ବହିଷ୍କୃତ ଦାମୋଦର ରାଉତ କହିଛନ୍ତି ଏପରି ମନ୍ତବ୍ୟ ଦେବା ଖରାପ । ସେ ବି ଜଣେ ସ୍ୱାମୀ । ଏପରି କହିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଦାମ ।

ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମହାରଥୀଙ୍କ ଏପରି ମନ୍ତବ୍ୟକୁ କଡା ନିନ୍ଦା କରିଛନ୍ତି । ମହାରଥୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ତାରା । ପୂର୍ବରୁ ଅଙ୍ଗନୱାଡି ମହିଳାଙ୍କ ପ୍ରସଙ୍ଗରେ ମନ୍ତବ୍ୟ ରଖି ବେଶ ବିବାଦୀୟ ହୋଇଥିଲେ ବରିଷ୍ଠ ନେତା ଦାମୋଦର ରାଉତ । ଏପରିକି ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ମନ୍ତ୍ରୀପଦ ଚାଲିଯିବାର ମଧ୍ୟ ନଜିର ରହିଛି । ଏବେ ବିଜେପିର ମହିଳା କାର୍ଯ୍ୟକାରିଣୀ ସମୟରେ ସାମ୍ବାଦିକଙ୍କ ପ୍ରଶ୍ନରେ ମହାରଥୀଙ୍କ ଏପରି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଛି ।