ଦାମଙ୍କ ଟାର୍ଗେଟରେ ଯୁବନେତା । କହିଲେ, ସୁଚିନ୍ତିତ ଅଭିଯାନ ଯୋଗୁଁ ମନ୍ତ୍ରୀପଦ ଯାଇଥିଲା

81

ତିନିଜଣ ଦାୟିତ୍ୱହୀନ ଯୁବନେତାଙ୍କ ପାଇଁ ମନ୍ତ୍ରୀମଣ୍ଡଳରୁ ଦାମୋଦର ରାଉତଙ୍କୁ ବାଦ୍ ଦିଆଗଲା । ସେମାନଙ୍କର ସୁଚିନ୍ତିତ ଅଭିଯାନକୁ ବିଶ୍ୱାସକୁ ନିଆଗଲା । ଅଥଚ ଯେଉଁ ମଂଚରେ ଦାମ ବାବୁ ବିବାଦୀୟ ବୟାନ ଦେଇଥିଲେ ସେଠାରେ ଉପସ୍ଥିତ ଥିବା ଜିଲ୍ଲାପାଳ, ପ୍ରକଳ୍ପ ଅଧିକାରୀ ଓ ଦଳୀୟ ନେତାଙ୍କ ମତାମତ ଲୋଡାଗଲା ନାହିଁ । ଉଭୟ ମନ୍ତ୍ରୀମଣ୍ଡଳ ଓ ଦଳୀୟ ଉପ-ସଭାପତି ପଦରୁ ବାଦ୍ ପଡିଥିବା ଡାକ୍ତର ଦାମୋଦର ରାଉତ୍ କିଛି ଏଭଳି ଢଙ୍ଗରେ ମୁହଁ ଖୋଲିଛନ୍ତି । ଗଣମାଧ୍ୟମକୁ ବୟାନ ଦେଇ ନୁହେଁ ବରଂ ନିଜେ ପ୍ରତିଷ୍ଠା କରିଥିବା ସଂଚାର ଖବର କାଗଜରେ ମନର କଥାକୁ ଲେଖିଦେଇଛନ୍ତି ଏହି ରାଜନେତା । ଯାହା ପୁଣିଥରେ ଏକ ବିବାଦୀୟ ପରିସ୍ଥିତି ତିଆରି କରିବାର ଆଶଙ୍କା ରହିଛି ।
ଅନର୍ଥର ଅନ୍ତରାଳେ ଶୀର୍ଷକରେ ଦାମ ବାବୁ ଲେଖିଛନ୍ତି, ମାଲକାନଗିରି ମଂଚରେ ଦେଇଥିବା ବକ୍ତବ୍ୟ କିଭଳି ବେଦଜ୍ଞାନ ଅଧିକାରୀ, ସମାଜର ସବୁ ବର୍ଗର ଲୋକ ସମ୍ମାନର ଅଧିକାରୀ, ବ୍ରାହ୍ମଣ ମାନଙ୍କୁ କିଭଳି ଅପମାନ ଦେଲା ବୁଝିପାରୁନାହିଁ । ମହୋତ୍ସବରେ ସଭାପତିତ୍ୱ କରୁଥିବା ଜିଲ୍ଲାପାଳ, ପରିଚାଳନା କରୁଥିବା ପ୍ରକଳ୍ପ ଅଧିକାରୀ, ମଂଚରେ ଉପସ୍ଥିତ ଥିବା ଦଳୀୟ ନେତାଙ୍କ ଠାରୁ ମତାମତ ଲୋଡାଗଲା ନାହିଁ । ଅଥଚ ମୁଁ ଜାଣିବାରେ ତିନିଜଣ ଦାୟିତ୍ୱହୀନ ଦଳୀୟ ଯୁବନେତାଙ୍କ ସୁଚିନ୍ତିତ ଅଭିଯାନକୁ ବିଶ୍ୱାସକୁ ନେଇ ମତେ ପଦଚ୍ୟୁତ କରାଗଲା । ସେଥିରେ ମୁଁ ଆଦୈା ଦୁଃଖିତ କିମ୍ବା ବିଚଳିତ ନୁହେଁ । କାରଣ ମୋ ଘର ହେଉଛି ବିଜୁ ଜନତା ଦଳ, ମୋ ଘରର ମୁରବୀ ହେଉଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଇଛାରେ ମନ୍ତ୍ରୀ ହୋଇଥିଲି ତାଙ୍କ ଇଛାରେ ମନ୍ତ୍ରୀମଣ୍ଡଳରୁ ଅନ୍ତର କରାଗଲା । ଏଥିରେ ଦୁଃଖିତ ନୁହେଁ କାରଣ, ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ମୋର ସାମ୍ବିଧାନିକ ଅଧିକାର ନୁହେଁ ।


ଖୁବ ସନ୍ତୁଳିତ ଏହି କେଇପଦ କଥାରେ ଦାମ ବାବୁ ଦୁଇଟି ଶିକାର କରିଛନ୍ତି । ଗୋଟିକରେ ଦଳୀୟ ଯୁବନେତାଙ୍କୁ ଟାର୍ଗେଟ୍ ଆଉ ଅନ୍ୟଟିରେ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ଇଛାଧୀନ ବ୍ୟାପାର କରି ପୁଣି ବିଶ୍ୱାସ ଜିତିବାକୁ ଉଦ୍ୟମ କରିବା । ତେବେ ପ୍ରଶ୍ନ ଉଠୁଛି, ଦାମ ବାବୁ କେଉଁ ତିନି ଯୁବନେତାଙ୍କ କଥା ଉପସ୍ଥାପନ କରିବାକୁ ଚାହୁଁଛନ୍ତି । ଯେଉଁମାନଙ୍କୁ ନିକଟରେ ମନ୍ତ୍ରୀମଣ୍ଡଳରୁ ବାଦ୍ ଦେଇ ସୁପ୍ରିମୋ ଦଳୀୟ ସଂଗଠନକୁ ମଜଭୁତ କରିବାର ଦାୟିତ୍ୱ ଦେଇଥିଲେ ସେମାନେ ପ୍ରକୃତରେ ଏକ ସୁଚିନ୍ତିତ ଅଭିଯାନ ଚଳାଇଥିଲେ କି? ଦାମ ବାବୁଙ୍କ ଲେଖାରେ ଯଦିଓ ସିଧାସଳଖ କାହାକୁ ଇଙ୍ଗିତ କରାଯାଇନି, ତଥାପି ଏହା ଅତୀତରେ ମଧ୍ୟ ସ୍ପଷ୍ଟ ହୋଇଥିଲା ଯେ ଯୁବନେତା ଓ ବରିଷ୍ଠ ନେତାଙ୍କ ଭିତରେ ମନୋମାଳିନ୍ୟ ରହିଛି । ଯାହାକୁ ନିଜେ ଡାକ୍ତର ରାଉତ୍ ଗଣମାଧ୍ୟମ ସାମ୍ନାରେ ଉପସ୍ଥାପନ ମଧ୍ୟ କରିଥିଲେ ।
ଦାମ ବାବୁ ଆହୁରି ଲେଖିଛନ୍ତି, ସେ ଏବେ ଏକ ତିକ୍ତ ଅନୁଭୁତିକୁ ସାମ୍ନା କରୁଛନ୍ତି । ହେଲେ ଏହି ତିକ୍ତ ଅନୁଭୁତିକୁ ସେ ବିସ୍ତାରିତ ଭାବେ ଦୁନିଆ ସାମ୍ନାରେ ପ୍ରକାଶ କରିବାକୁ ପ୍ରୟାସ କରିପାରୁନାହାନ୍ତି । କାରଣ ତାଙ୍କ ମନରେ ଆଶଙ୍କା ରହିଛି ତିକ୍ତ ଅନୁଭୁତିକୁ ଶୁଣିଲେ ଘର ଭୁଶୁଡିଯିବାର ଆଶଙ୍କା ରହିଛି । ସେ ନିଜ ଘରକୁ ଭଲପାଆନ୍ତି । ଘରର ମୁରବୀଙ୍କ ମନରେ ଦୁଃଖହେବା ଅଶୁଭ କାମନା କରିବା କିମ୍ବା ତାଙ୍କ ମୁରବିତ୍ୱ ଉପରେ ଆଂଚ ଆଣିବା ପାଇଁ ତାଙ୍କ ବିବେକ ତାଙ୍କୁ ବାଧା ଦେଉଛି । ଆଉ ଦାମ ବାବୁ ଲେଖାର ପରବର୍ତ୍ତୀ ପର୍ଯ୍ୟାୟରେ ନିଜ ଘର ଭାବେ ବିଜେଡିକୁ ଉପସ୍ଥାପନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁରବୀ ଭାବେ ଚିତ୍ରଣ କରିଛନ୍ତି । ଅର୍ଥାତ୍ କେଉଁଠି ନା କେଉଁଠି ଦାମ ବାବୁଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦେବାକୁ ଯେଉଁ ନିଷ୍ପତ୍ତି ହୋଇଥିଲା ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିଜୁ ଅମଳର ଏହି ନେତା । ଆଉ ମନର କଥାକୁ ଚୁମ୍ବକରେ ସାମ୍ନାକୁ ଆଣି ବଡ ବାଣ ମାରିଛନ୍ତି ।

DAMA_00066
ଏମିତିରେ ବି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଯୁବମନ୍ତ୍ରୀଙ୍କୁ ନେଇ ଅତୀତରେ କଡାବାଣ ମାରିଥିଲେ ଦାମ ବାବୁ । କହିଥିଲେ, ଏଠି ଯୁବମନ୍ତ୍ରୀ ହେଉଛନ୍ତି ବରିଷ୍ଠ ଆଉବରିଷ୍ଠ ମନ୍ତ୍ରୀ ହେଉଛନ୍ତି ବୟସ୍କ । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଏହି ତେରଛା ଉତ୍ତର ସେହି ସମୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ଏବେ ପୁଣି ଦାମ ବାବୁଙ୍କ ଟାର୍ଗେଟର ରାଡାରକୁ ପୁଣି ଆସିଛନ୍ତି ଯୁବନେତା । ଉଭୟ ସରକାର ଆଉ ଦଳରେ ଯୁବନେତାଙ୍କ ପ୍ରଭାବକୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଥିବା ବେଳେ ଡାକ୍ତର ରାଉତ ଏହାର କିଛି ଅଂଶ ଏବେ ସାମ୍ନାକୁ ଆଣିଛନ୍ତି । ହେଲେ ଏହାକୁ ବାସ୍ତବତା ବୁଝାଯିବ ନା ମନର କ୍ଷୋଭ ? କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଦାମ ବାବୁଙ୍କ ତୁଣ୍ଡ ଅବା କଲମ ଏଭଳି ଅନେକ ବିବାଦୀୟ ଦିଗକୁ ସାମ୍ନାକୁ ଆଣିବ ।

ଏବେ ନଜର ପକାନ୍ତୁ ଦାମବାବୁ ଦେଇଥିବା କିଛି ବିବାଦୀୟ ବୟାନ୍ ଉପରେ । ଯାହା ତାଙ୍କୁ ଅଡୁଆ ଭିତରକୁ ଟାଣି ଆଣିଥିଲା ।

DAMA_00000

ବ୍ରାହ୍ମଣ ଭିକ ମାଗନ୍ତି
ଆଦିବାସୀ ମାନେ ଝରଣା ପାଣି ପିଇ ମରିଯିବେ ପଛେ ଭିକ ମାଗନ୍ତି ନାହିଁ କିନ୍ତୁ ବ୍ରାହ୍ମଣ ମାନେ ବସ ଷ୍ଟାଣ୍ଡରେ ଛିଡା ହୋଇ ଭିକ ମାଗୁଥିବାର ଅନେକ ସମୟରେ ଦେଖିଥିବେ । କାର୍ତ୍ତିକ ମାସ ହୋଇଥିବ ବସ ଷ୍ଟାଣ୍ଡରେ ଓଦା ଗାମୁଛା କାନ୍ଧରେ ପକାଇ ବ୍ରାହ୍ମଣ ଟିଏ ଭିକ ମାଗିଥାଏ । ବୃଦ୍ଧ ବ୍ରାହ୍ମଣଙ୍କୁ ୫ ପଇସା ମିଳୁ ଆପଣଙ୍କର ପୂଣ୍ୟ ହେବ ଏଭଳି କହି ହାତ ପତାଇ ବସ ଷ୍ଟାଣ୍ଡରେ ଭିକ ମାଗନ୍ତି ବ୍ରାହ୍ମଣ । ଦାମଙ୍କ ଏଭଳି ବୟାନ ପରେ ତାତି ଉଠିଥିଲେ ବ୍ରାହ୍ମଣ ସମାଜ । ଚାରିଆଡେ ଜଳିଥିଲା ଦାମଙ୍କ କୁଶପୁତ୍ତଳିକା । ଏପରିକି ଏହି ମନ୍ତବ୍ୟ ପାଇଁ କିଛି ବ୍ରାହ୍ମଣ ଦାମଙ୍କୁ ଅଭିଶାପ ମଧ୍ୟ ଦେଇଥିଲେ । ଦାମଙ୍କ ବିରୋଧରେ ଚାରି ଉଠିଥିଲା ବିରୋଧର ସ୍ୱର । ଏପରିକି ମନ୍ତ୍ରୀପଦରୁ ତୁରନ୍ତ ବାହାର କରିବା ପାଇଁ ଦାବି ହୋଇଥିଲା । ଏହାପରେ ବ୍ରାହ୍ମଣଙ୍କୁ ଭୁଲ ମାଗିଥିଲେ ଦାମ । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇ ସାରିଥିଲା । ମନ୍ତ୍ରୀମଣ୍ଡଳରୁ ବାହାର କରିବା ପାଇଁ ନିଷ୍ପତି ନେଇ ସାରିଥିଲେ ଦଳ ମୁଖିଆ । ଆଉ ଦାମଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ନେଇ ଘୋଷଣା କରିଥିଲେ ନବୀନ ।

DAMA

ଚାଷୀ ଔରସରୁ ମୋର ଜନ୍ମ
କିଛି ଦିନ ତଳେ ବାହାଡଝୋଲା ଯାଇଥିଲି । ସେଠି ୧୦ ହଜାର କୃଷକ ଥିଲେ ଯେଉଁଥିରେ ୩ ହଜାର ମହିଳା ସାମିଲ ହୋଇଥିଲେ । ମୁଁ ଗୋଟେ ଚାଷୀର ଔରସରୁ ଚାଷୁଣୀର ଗର୍ଭରୁ ଜାତ ହୋଇଛି । ଆଉ ଯେଉଁମାନେ ବେପାରୀଙ୍କ ଔରସରୁ ବେପାରୀଙ୍କ ଗର୍ଭରୁ ଜାତ ହୋଇଛନ୍ତି, ସେମାନେ ଚାଷୀଙ୍କ ମର୍ମ ବେଦନା ବୁଝିବେ କେଉଁଠୁ । ମୁଁ କୃଷିମନ୍ତ୍ରୀ ଅଛି, ମୋ ସହ କେହି ଭେଟି ଆଲୋଚନା କରୁନାହାନ୍ତି । ବିଜେପିର ସଚିବାଳୟ ଚାଲ ଅଭିଯାନ ପରିପ୍ରେକ୍ଷୀରେ ଏହି ବୟାନ ରଖିଥିଲେ କୃଷିମନ୍ତ୍ରୀ ଦାମୋଦର ରାଉତ । ଠିକ ଯେମିତି ଅତୀତରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ବାଏଁ ବାଏଁ ଉଡେଇ ଦେଇଥିଲେ ଦାମ ବାବୁ, ଠିକ ସେଭଳି ନିଜ ବିବାଦୀୟ ବୟାନ ଜରିଆରେ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରୁ ନଜର ହଟାଇବାର ତରିକା ବୁଝିଗଲେଣି ଏହି ଅଭିଜ୍ଞ ମନ୍ତ୍ରୀ ।

 

DAMA JAYRAJGURU

ଜୟୀ ରାଜଗୁରୁ ଉପାଖ୍ୟାନ
ବର୍ତ୍ତମାନକୁ ବୁଝିବାରେ ଅସମର୍ଥ ଥିବା ଅବା ବୁଝିବାକୁ ଚାହୁଁନଥିବା କୃଷିମନ୍ତ୍ରୀ ଅତୀତର ଉପାଖ୍ୟାନକୁ କିନ୍ତୁ ଘାଂଟିବାରେ ବେଶ ବ୍ୟସ୍ତ । ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମକୁ ନେଇ ଟଣାଓଟରା ଚାଲିଥିବା ବେଳେ ଦାମ ବାବୁ ଦେଇଥିଲେ ଆଉ ଏକ ବିବାଦୀୟ ବୟାନ । କଥା ଛଳରେ ବୁଝାଇବାକୁ ଚେଷ୍ଟା କରିଥିଲେ, ଜୟୀ ରାଜଗୁରୁ ନିଜ ସ୍ୱାର୍ଥ ପାଇଁ ଇଂରେଜଙ୍କ ବିରୋଧରେ ଲଢେଇ କରିଥିଲେ । ଦାମ ବାବୁ କହିଥିଲେ, ଜୟୀ ରାଜଗୁରୁଙ୍କୁ ଆମେ ସ୍ୱାଧୀନତା ସଂଗ୍ରାମୀ କହିବାନି । କାରଣ, ସେ ବ୍ରିଟିଶର ମାନଙ୍କ ବିରୋଧରେ ବିଦ୍ରୋହ କରିନଥିଲେ ସ୍ୱାଧୀନତା ପାଇଁ, ସେ ବିଦ୍ରୋହ କରିଥିଲେ ତାଙ୍କ କଥା ରଖିଲେନି ପ୍ରତିଶ୍ରୁତି ଭାଙ୍ଗିଲେ, ସୁଚ୍ୟଗ୍ରେ ମେଦିନୀ ଦେବି ବୋଲି କହିବା ପରେ ସେ ମୁହଁ ଫିଟାଇଥିଲେ । ତେବେ ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ଓଡ଼ିଆ ସହିଦ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବେ ମାନିବା ସହ ତାଙ୍କ ଶ୍ରାଦ୍ଧ ଦିବସରେ ଟ୍ୱିଟ୍ ମଧ୍ୟ କରି ଏହିକଥା ଜଣାଇଥିଲେ । କିନ୍ତୁ ଦଳିଆ ମୁଖିଆଙ୍କ କଥାରେ ସହମତ ହୋଇନପାରିନଥିଲେ ଦାମ । ଜୟୀ ରାଜଗୁରୁଙ୍କୁ ପ୍ରଥମ ଓଡ଼ିଆ ସହିଦ ଭାବେ ମାନିବାକୁ ସିଧାସଳଖ ମନା କରିଦେଇଥିଲେ ।

DAMA ROUT

 

ସ୍ୱାମୀ ଛାଡି ଅଙ୍ଗନବାଡି
୨୦୧୯ ମସିହାରେ ଯଦି ଆମେ ୧୨୫ ଆସନରେ ନଜିତିବୁ ତେବେ ଆମେ ବିଜୁ ପଟ୍ଟନାୟକଙ୍କର ଯୋଗ୍ୟ ସନ୍ତାନ କେବେ ହୋଇପାରିବୁ ନାହିଁ । ଏହା ଆମେ ଅଲବତ କରିବୁ, ମୁଁ ଏବେ ବୁଲିବା ଆରମ୍ଭ କଲିଣି । ଜଣେ ବିଜେପି ନେତ୍ରୀ କିଏ ଅଛି, ସ୍ୱାମୀ ଛାଡି ଅଙ୍ଗନବାଡି । କହିଲେ, ନବୀନ ପଟ୍ଟନାୟକ ଧ୍ରୁତରାଷ୍ଟ୍ର, ଦାମ ରାଉତ ଶ୍ରୀଖଣ୍ଡି । ମୁଁ କହିଲି, କେଉଁ ମହାଭାରତ ପଢିଛ କି? ନବୀନ ପଟ୍ଟନାୟକ ଧ୍ରୁତରାଷ୍ଟ୍ର ନୁହଁ, ସେ ହେଉଛନ୍ତି ଯୁଧିଷ୍ଠିର । ମୁଁ ତାଙ୍କ ସଖା ଅର୍ଜୁନ । ଦାମ ବାବୁଙ୍କ ଏହି କେଇପଦ କଥା ଢେର ବିବାଦ ସୃଷ୍ଟି କରିଥିଲା । ବିଜେପି ଏହାକୁ ନେଇ ଆନ୍ଦୋଳନ କରିବାକୁ ଅଂଟା ଭିଡିଲା । ଏପରିକି ଦାମ ବାବୁଙ୍କ ଘରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଏହି ବୟାନକୁ ନାପସନ୍ଦ ମଧ୍ୟ କରିଥିଲେ । ଢେର ବିବାଦ ପରେ ଦାମ ବାବୁ ଶେଷରେ ଦୁଖ ପ୍ରକାଶ କରିଥିଲେ । ଦୁଖ ପ୍ରକାଶ କରି ମନ୍ତ୍ରୀ ମୋବାଇଲ ଭିଡିଓ ଯୋଗେ କହିଥିଲେ, ପ୍ରଚଳିତ ଲୋକକଥାକୁ ଉଦାହରଣ ଭାବେ ଦେବାରୁ ଭୁଲ ବୁଝାମଣା ସୃଷ୍ଟି ହୋଇଛି । ମୋ କଥାକୁ ତିଳରୁ ତାଳ କରି ଯେଉଁ ସ୍ଥିତି ସୃଷ୍ଟି କରାଯାଉଛି ସେଥିପାଇଁ ମର୍ମାହତ । ମୋର ବକ୍ତବ୍ୟ ଯଦି କାହା ମନରେ ଦୁଃଖ ଦେଇଥାଏ ସେଥିପାଇଁ ମୁଁ ଦୁଖ ପ୍ରକାଶ କରୁଛି ।

DAMA

ଶ୍ରୀଖଣ୍ଡି ପ୍ରସଙ୍ଗରେ ବୟାନବାଜି
ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ନବୀନ ପଟ୍ଟନାୟକଙ୍କୁ ଧ୍ରୁତରାଷ୍ଟ୍ର ଆଉ ଦାମବାବୁଙ୍କୁ ଶ୍ରୀଖଣ୍ଡି କହିବା ପରେ ସେ ଏହାର ଜବରଦସ୍ତ ପ୍ରତିକ୍ରିୟା ରଖିଥିଲେ । କହିଥିଲେ, ଧ୍ରୁତରାଷ୍ଟ୍ର ଅନ୍ଧ ଥିଲେ । ଦୁର୍ୟୋଧନ ଆଉ ତାଙ୍କର ୧୦୦ ଭାଇ ପ୍ରବଳ ପ୍ରତାପୀ ଥିଲେ ଆଉ ଅନ୍ୟାୟ କରୁଥିଲେ । ଆଉ ନବୀନ ପଟ୍ଟନାୟକଙ୍କୁ ଯଦି ଧ୍ରୁତରାଷ୍ଟ୍ର କହୁଛନ୍ତି, ତେବେ ତାଙ୍କର ଯେଉଁମାନେ ସହଯୋଗୀ ଅଛନ୍ତି ସେମାନେ ଅତ୍ୟାଚାରୀ ନୁହଁନ୍ତି, ସେମାନେ ରାଜ୍ୟର ସେବା କରୁଛନ୍ତି ୧୭ ବର୍ଷ ଧରି । ସେବା କରୁଛନ୍ତି ବୋଲି ରେକର୍ଡ ବ୍ରେକ କରି ନବୀନ ପଟ୍ଟନାୟକଙ୍କୁ ଲଗାତର ସରକାରରେ ରଖୁଛନ୍ତି, ତାଙ୍କୁ କାହିଁକି ରଖୁନାହାନ୍ତି? ଗୋଟେ ପଟେ ମତେ ଶ୍ରୀଖଣ୍ଡି କହୁଛନ୍ତି ଆଉ ଅନ୍ୟପଟେ କହୁଛନ୍ତି ସେ ଜଣେ ସ୍ୱାଭିମାନୀ ନେତା ଭାବେ ସରକାରଙ୍କୁ ଘଂଟ ଘୋଡାଉଛନ୍ତି । ଏଭଳି ଦୁଇପ୍ରକାରର କଥା କଣ ପାଇଁ? ବିଜେପିର ଯେଉଁମାନେ ମୁଖପାତ୍ର କହୁଛନ୍ତି, ସେମାନଙ୍କ ଜୀବନରେ ସେମାନେ କେଉଁଠି ସରପଂଚ ବା ୱାର୍ଡମେମ୍ବର ହୋଇନାହାନ୍ତି ଏବଂ ତାଙ୍କ ପଛରେ ଅନେକ ଘଟଣା ରହିଛି । ସେମାନେ ଯେଉଁପ୍ରକାରର ଭାଷା କହୁଛନ୍ତି ଏଥିପାଇଁ ଦୁଖ ଲାଗୁଛି ଆଉ ସେମାନଙ୍କ ଉପରେ ଦାୟା ମଧ୍ୟ ଆସୁଛି ।

DAMA & farmer

କ୍ଷେତ ପୋଡିଲେ ଲକ୍ଷ୍ମୀ ଛାଡିଯିବେ
ଧାନ କିଆରିରେ ନିଆଁ ଲଗାଇବା ଆଉ ଆତ୍ମହତ୍ୟା କରିବା ଆମର ପରମ୍ପରା ନୁହେଁ । ପୋକ ଖାଇଯାଇଥିବା ଧାନକ୍ଷେତରେ ଯେଉଁମାନେ ନିଆଁ ଲଗାଇ ପୋଡୁଛନ୍ତି ସେମାନେ ଲକ୍ଷ୍ମୀଛଡା ହୋଇଯିବେ । ମୁଁ ରାଜନୈତିକ ଲୋକ ହିସାବରେ କହୁନି, ଜଣେ ଚାଷୀ ପରିବାରର ବ୍ୟକ୍ତି ଭାବେ କହୁଛି । ସେଇମାନଙ୍କୁ ନିବେଦନ କରୁଛି, ଲକ୍ଷ୍ମୀ ଠାକୁରାଣୀଙ୍କ ଦେହରେ ନିଆଁ ଲଗାନ୍ତୁନି ଆମେ ଲକ୍ଷ୍ମୀଛଡା ହୋଇଯିବା । ହଜାର ହଜାର ବର୍ଷର କୃଷି ପରମ୍ପରା । ଆଗରୁ ସରକାର ନଥିଲା । ବାତ୍ୟା, ବନ୍ୟ. ମରୁଡି ଓ ପୋକ ଆକ୍ରମଣ ହେଉଥିଲା । ସରକାର ଏବେ ଅଛି । ନୈତିକ ଦାୟିତ୍ୱ ଭାବେ ସରକାର ଚାଷୀଙ୍କୁ ସହାୟତା ଦେଉଛନ୍ତି । ନବୀନ ସରକାର ଏବାବଦରେ ସଚେତନ ମଧ୍ୟ ଅଛନ୍ତି । ଧାନ କ୍ଷେତରେ ଥିଲେ ସିନା ଜାଣିବ କେତେ କ୍ଷତି ହୋଇଛି, ନହେଲେ କେମିତି ଜାଣିବ । ସରକାର ଋଣ ଦେଉଥିବା ବେଳେ ଚାଷୀ କାହିଁକି ହାତ ଉଧାରି ନେଉଛି? ବୃନ୍ଦା ସାହୁ ହେଉ କି ଯିଏ ହେଉ, କ୍ଷେତ ପୋଡିଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ ନାହିଁ । କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଏହି ବୟାନ ପରେ ବିବାଦ ଜୋର ଧରିଥିଲା । ଚାଷୀ ବେଶ ପ୍ରତିକ୍ରିୟାଶୀଳ ହୋଇଥିଲେ । ସବୁସ୍ତରରେ ଉଠିଥିଲା ପ୍ରତିବାଦର ସ୍ୱର । ସ୍ଥିତି ଏମିତି ହୋଇଥିଲା ଯେ, କୃଷିମନ୍ତ୍ରୀଙ୍କ ବାହାରେ ସରକାରୀ ସ୍ତରରେ ପୁରା ଅଲଗା କଥା କୁହାଗଲା । ନିଆଁ ଲଗାଇଥିବା ଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ମିଳିବ ବୋଲି ସରକାର ଘୋଷଣା କଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କୃଷି କ୍ୟାବିନେଟ ବୈଠକ ପରେ ଚାଲିଥିବା ପ୍ରେସ ବ୍ରିଫିଂରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଦାମ ବାବୁଙ୍କ ଠାରୁ ମାଇକ ଆଣି ଘୋଷଣା କରିଥିଲେ, ନିଆଁ ଲଗାଇଥିବା ଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ମିଳିବ ।

କଂଗ୍ରେସ ସହ ମେଂଟ
କଂଗ୍ରେସ ସହ ବିଜେଡିର ମେଂଟକୁ ନେଇ ମଧ୍ୟ ଦାମ ଛାଡିଥିଲେ ଗୁଗଲି । କହିଥିଲେ, ୨୦୦୯ ଠାରୁ ବିଜୁ ଜନତା ଦଳ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୁରତ୍ୱ ରଖିଆସୁଛି । କଂଗ୍ରେସ ହେଲା ମୁଖ୍ୟ ବିରୋଧୀ ଦଳ ୨୦୦୦ ମସିହା ବେଳକୁ । କଂଗ୍ରେସ ଦଳର କନ୍ଦଳ କଣ ଅଛି, ସମସ୍ତେ ଜାଣିଛନ୍ତି । ତଥାପି ସେମାନେ ଜାତୀୟ ଦଳ । ସେହି ଜାତୀୟ ଦଳ ଯଦି ଭାରତୀୟ ଜନତା ପାର୍ଟିର ସାମ୍ପ୍ରଦାୟିକ ପ୍ରସାରକୁ ରୋକ ଲଗାଇବାକୁ ଆମ ସହ ସାମିଲ ହୁଅନ୍ତି, ତେବେ ଆମେ ସ୍ୱାଗତ କରିବୁ । ଖାଲି ଏତିକି ନୁହେଁ ଦାମ ବାବୁ ଆହୁରି ମଧ୍ୟ କହିଥିଲେ, କଂଗ୍ରେସ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କେଉଁ ଆସନରେ ଜିତିବେ ତାର ଏକ ତାଲିକା ଦିଅନ୍ତୁ । ଯାହାକୁ ନେଇ ରାଜନୈତିକ ସ୍ତରରେ ସମୀକ୍ଷା ଆରମ୍ଭ ହେଲା । ବିବାଦ ବଢିଥିଲା, ଆଉ ଦାମବାବୁ ନିଜ ବକ୍ତବ୍ୟକୁ ବଦଳାଇଥିଲେ । ଗଣମାଧ୍ୟମକୁ କହିଥିଲେ, ମୁଁ ମେଂଟ ହେବା କଥା କହୁନାହିଁ । ଏବାବଦରେ ତ ଦଳର ସଭାପତି ନିଷ୍ପତ୍ତି ନେବେ । ଆମେ ନିରାପଦ ଅବସ୍ଥାରେ ଅଛୁ । ୧୧୭ ଆସନରେ ଅଛୁ, ୨୦ ଲୋକସଭା ଆସନରେ ଜିତିଛୁ । ତାଙ୍କ ସହ ମେଂଟର ଆବଶ୍ୟକତା କଣ ଅଛି । ତେବେ ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ସାରା ଭାରତ ବର୍ଷରେ ଯାହା ହେବ, ସେତେବେଳେ କଣ କରାଯିବ ସେନେଇ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭ୍ରାନ୍ତ ସୃଷ୍ଟି କରିବାକୁ ଭୁଲ ଅର୍ଥରେ ତାଙ୍କ ବକ୍ତବ୍ୟକୁ ଉପସ୍ଥାପନ କରାଯାଉଛି. ମୋର ରାଜନୈତିକ ପ୍ରବେଶ ହେଉଛି ଅଣ କଂଗ୍ରେସ ରାଜନୀତିରୁ । ଦାମ ବାବୁଙ୍କ ଏହି ବକ୍ତବ୍ୟ ସେତେବେଳେ ଆସିଲା ଯେତେବେଳେ ନବୀନ ଟ୍ୱିଟ କରି କହିଥିଲେ, ଉଭୟ ୟୁପିଏ ଓ ଏନଡିଏ ଠାରୁ ବିଜୁ ଜନତା ଦଳ ସମଦୁରତ୍ୱ ଅବଲମ୍ବନ କରୁଛି ।

dama

ସରକାରକୁ ମୁଁ ସାହା
କୃଷି କ୍ୟାବିନେଟର ବୈଠକ ପରେ ବେଶ ରୋଚକ ସ୍ଥିତି ଦେଖିବାକୁ ମିଳିଥିଲା । ପ୍ରେସ ବ୍ରିଫିଂ ସରିବା ପରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ କୃଷିମନ୍ତ୍ରୀ ଦାମୋଦର ରାଉତ କହିଥିଲେ, ତମେମାନେ କେହି ଡରନାହିଁ, ମୁଁ ଅଛି । ତମ ସରକାରକୁ ସୁରକ୍ଷା ଦେବା ଦାୟିତ୍ୱ କେବଳ ମୋର, ଆଉ କାହାର ନାହିଁ । ସେହିଭଳି ଏହାର କିଛି ସମୟ ଆଗରୁ ଦାମ ବାବୁ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖୁଥାନ୍ତି, ଆଉ ଏହି ସମୟରେ ମହେଶ୍ୱର ମହାନ୍ତି କହିଲେ, ଦାମ ବାବୁ ଏଇଠୁ ଉଠ, ଗଣମାଧ୍ୟମ ତମ ମୁହଁରୁ କିଛି ଗୋଳମାଳିଆ କଥା ଶୁଣିବାକୁ ଚାହୁଁଛନ୍ତି । ଦାମ ବାବୁ କହିଥିଲ, ମୁଁ ଗୋଳମାଳିଆ କଥା କହିବି ଆଉ ତମ ସମସ୍ତଙ୍କୁ ଧରାପକାଇବି । ଯାହା ବେଶ ରୋଚକ ସ୍ଥିତି ସୃଷ୍ଟି କରିଥିଲା ।

ଧର୍ମେନ୍ଦ୍ରଙ୍କ ଯୋଗ୍ୟତା ନାହିଁ
କୃଷି ମୋର ବୃତ୍ତି, ଜଗନ୍ନାଥ ସସ୍କୃତି ହେଉଛି ମୋର ସଂସ୍କୃତି । ଭୋଟ ପାଇଁ ମୋର ସଂସ୍କୃତି ଆଉ ବୁନିୟାଦକୁ ମୁଁ ନଷ୍ଟ କରିପାରିବି ନାହିଁ । ଡିବିଟି ପ୍ରସଙ୍ଗରେ କହିଥିଲେ, ମଗଧର ଚଣ୍ଡାଷୋକ ଏଠି ଧର୍ମାଶୋକ ହୋଇ ଯାଇଥିଲା, ଏହା ହେଉଛି କଳିଙ୍ଗ । ହେଲେ ଧର୍ମ ନାଁ ନେଇ ଯିଏ ମଗଧ ଯାଉଛନ୍ତି ସେ ଚଣ୍ଡାଶୋକ ହେବା ବଦଳରେ କଣ ଆଉ କିଛି ହୋଇପାରିବେ । ନିଜ ବୁନିୟାଦକୁ ଯିଏ ଭୁଲିଯାଆନ୍ତି ତାଙ୍କୁ ବିଜେପି କୁହନ୍ତି । କେନ୍ଦ୍ରମନ୍ତ୍ରୀ ହେବାକୁ ଧର୍ମେନ୍ଦ୍ରଙ୍କର ଯୋଗ୍ୟତା ନାହିଁ ।