ତୁଣ୍ଡ ପାଇଁ ମୁଣ୍ଡ ଯିବା ପରେ ବର୍ଷିଲେ ଦାମୋଦର ରାଉତ । ଜାଣନ୍ତୁ କାହାକୁ ଓ କିଭଳି ଟାର୍ଗେଟ କଲେ ଦାମ

69

କନକ ବ୍ୟୁରୋ : ବିଜେଡିରୁ ବହିଷ୍କୃତ ହେଲେ ଦାମୋଦର ରାଉତ । ଦଳବିରୋଧୀ ମନ୍ତବ୍ୟ ଦାମଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦାମ ରାଉତଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ପ୍ରେସ ଇସ୍ତାହାରରେ ପ୍ରକାଶ ପାଇଛି । ତେବେ ବିଜେଡିରୁ ବହିଷ୍କୃତ ହେବା ପରେ ଦଳ ଓ ସୁପ୍ରିମୋଙ୍କ ବିରୋଧରେ ବିଷ ଓଗାଳିଛନ୍ତି ଦାମ । ତାଙ୍କୁ ବିନା କାରଣରେ ମନ୍ତ୍ରୀପଦରୁ ବିଦା କରାଯାଇଥିଲା । ଏପରିକି ଦଳର ଉପସଭାପତି, ପଯ୍ୟବେକ୍ଷକ ପଦରୁ ମଧ୍ୟ ବିନା କାରଣ ଦର୍ଶାଇ ତାଙ୍କୁ ବାଦ୍ ଦିଆଯାଇଥିଲା । ଆଉ ଏବେ ଦଳରୁ ବହିଷ୍କୃତ କରିବା ପରେ ଅଧିକ କ’ଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଗତ ଡିସେମ୍ବର ମାସରୁ ସେ ଦଳରେ ଥିବା କଥା ଜାଣିପାରୁନାହାନ୍ତି । ଏପରିକି ଏହି ସମୟ ମଧ୍ୟରେ ତାଙ୍କୁ ଦଳ ପକ୍ଷରୁ କେହି ସର୍ମ୍ପକ କରିନଥିବା କହିଛନ୍ତି ଦାମ ।

ବିଜେଡିରୁ ବହିଷ୍କୃତ ହେବା ନେଇ ସେ ବିବତ୍ର ନୁହଁନ୍ତି ବୋଲି କହିବା ସହ ପାଲଟା ପ୍ରଶ୍ନ କରିଛନ୍ତି, ବିଜୁ ଜନତା ଦଳରେ ସଭାପତି କିଏ? ନୈତିକତା ଦୃଷ୍ଟିରୁ ନବୀନ ସଭାପତି ନୁହଁନ୍ତି ଓ ସ୍ଥିତି ଦେଖି ନବୀନ ନୀତି ବଦଳାଇବା ଲୋକ ବୋଲି କହିବାକୁ ଭୁଲିନାହାନ୍ତି ଦାମ । ଏହାଛଡା ନବୀନଙ୍କ ସହ ବିଜୁ ଅମଳର କେଉଁ ଲୋକ ଅଛନ୍ତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ଦୁର୍ନୀତି ସର୍ମ୍ପକରେ ମୁହଁ ଖୋଲିବାରୁ ଏଭଳି ପରିସ୍ଥିତି ହୋଇଛି । ଯାହାର ଜବାବ ଅଗାମୀ ଦିନରେ ଓଡିଶାବାସୀ ଦେବେ । ଯେଉଁ ଦୁନୀର୍ତି ପ୍ରସଙ୍ଗକୁ ନେଇ ଦଳରୁ ତାଙ୍କୁ ବହିଷ୍କୃତ କରାଯାଇଛି ଏବେ ସେହି ପ୍ରସଙ୍ଗକୁ ଅଧିକ ତ୍ରୀବତର କରିବି ବୋଲି ଦାମ ଗଣମାଧ୍ୟମରେ କହିଛନ୍ତି ।

ଏସବୁ ଭିତରେ ବିଜେଡିରେ ସମ୍ବିଧାନ ନଥିବା ବୋଲି କହିଛନ୍ତି ଦାମ । ତେବେ ବହିଷ୍କୃତ ହେବା ପରେ ଅନ୍ୟ କୌଣସି ଦଳରେ ଯୋଗ ଦେବେ ନାହିଁ ବୋଲି ଦୃଢତାର ସହ କହିଛନ୍ତି । ସାଧାରଣ ଲୋକଙ୍କ ସହ ରହିଛି ତେଣୁ ଆଗାମୀ ଦିନରେ ନିର୍ବାଚନ ଲଢିବି । କେଉଁ ଟିକେଟରେ ନିର୍ବାଚନ ଲଢିବା ପ୍ରସଙ୍ଗରେ ଦାମ କହିଛନ୍ତି, ଦଳ ବା ଦଳୀୟ ଟିକେଟ ମୋ ପାଇଁ ଅନିବାର୍ଯ୍ୟ ନୁହେଁ । କେବଳ ପାରାଦ୍ୱୀପ ନୁହେଁ ବରଂ ଖୋର୍ଦ୍ଧା, ଜଟଣୀ ଏପରିକି ଓଡିଶାର ଯେକୌଣସି ସ୍ଥାନରୁ ନିର୍ବାଚନ ଲଢିବାକୁ ମୋର ସାମର୍ଥ୍ୟ ରହିଛି ବୋଲି କହି ଦମ୍ଭ ଦେଖାଇଛନ୍ତି ଦାମ ବାବୁ ।

ଦାମଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣ ଦାସ । ସେ କହିଛନ୍ତି ଦାମଙ୍କୁ ବହିଷ୍କାର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ । ବହୁ ଆଗରୁ ତାଙ୍କୁ ଦଳରୁ ବହିଷ୍କାର କରାଯିବାର ଥିଲା । ଦାମଙ୍କ ବହିଷ୍କାର ପରେ ଦଳ ମଜବୁତ ହେବ । ତେବେ ଏନେଇ ପୁଅ ସମ୍ବିତ ରାଉତରାୟ କହିଛନ୍ତି, ମୋ ମା’ଙ୍କ ଦେହ ଦୀର୍ଘ ଦେଢ ମାସ ହେଲା ଖରାପ ଅଛି, ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ତେଣୁ ବହିଷ୍କୃତ ହୋଇଥିବା ବ୍ୟକ୍ତି ଓ ବହିଷ୍କାର କରିଥିବା ବ୍ୟକ୍ତି ହିଁ କହିପାରିବେ ଏହା ପଛର କ’ଣ କାରଣ ରହିଛି । ମୁଁ ଏବେ ମଧ୍ୟ ବିଜେଡି ଦଳରେ ଅଛି ବୋଲି କହିଛନ୍ତି ସମ୍ବିତ ।

ଗତ କିଛି ଦିନ ହେବ ଦଳ ବିରୋଧରେ ବେଶ ଆକ୍ରାମକ ହୋଇ ଉଠିଥିଲେ ଦାମ । ବିଭିନ୍ନ ବିଭାଗରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କ ପାଇଁ ସେ ଅଡୁଆ ସୃଷ୍ଟି କରୁଥିଲେ । ଚାରା, ଓମ୍ଫେଡ ଓ ସମବାୟ ଋଣ ଦୁର୍ନୀତି ନେଇ ସରକାରଙ୍କୁ ଘେରିଥିଲେ ଦାମ । ବିଜେଡିରେ ଥାଇ ବିରୋଧୀଙ୍କ ଭୂମିକା ତୁଲାଉଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇ ଆସୁଥିଲା । ସେପଟେ ଜଗତସିଂହପୁର ଜିଲ୍ଲା ବିଜେଡିରେ ଚାଲିଥିବା ଦଳୀୟ ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଥିଲା । ଦଳ ବିରୋଧୀ କାର୍ଯ୍ୟ ନେଇ ନବୀନଙ୍କ ନିକଟରେ ହୋଇଥିଲା ଅଭିଯୋଗ । ଦାମୋଦର ରାଉତଙ୍କୁ ବହିଷ୍କାର ଲାଗି ଜଗତସିଂହପୁର ଜିଲ୍ଲା ବିଜେଡି କର୍ମୀ ଓ ନେତା ନବୀନଙ୍କ ନିକଟରେ ଫେରାଦ ହୋଇଥିଲେ । ଦଳୀୟ କର୍ମୀଙ୍କ ଅଭିଯୋଗକୁ ବିଚାର କରୁଛନ୍ତି ବୋଲି ନବୀନ କହିବା ପରେ ଦାମ ଦଳରୁ ବିଦା ହେବା ନେଇ ବାଟ ଫିଟୁଥିବା ଜଣା ପଡିଥିଲା । ଯାହା ଅନୁମାନ କରାଯାଉଥିଲା ତାହା ହେଲା । ଶେଷରେ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।