ଅମାନିଆ ଦାମ ! ବିଜେଡି ବିରୋଧରେ ବର୍ଷିଲେ, କହିଲେ ମୋତେ ନିନ୍ଦିତ କରିଛନ୍ତି ମୁଁ ନିନ୍ଦିତ କରିବି । ।

459

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଛି, ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ନେଇ ଚର୍ଚ୍ଚା ସେତିକି ବଢିବାରେ ଲାଗିଛି । ବିଜେଡିରୁ ବିଦା ହେବା ପରେ ଦାମଙ୍କୁ ଆଗାମୀ ନିର୍ବାଚନରେ କେଉଁ ଭୂମିକାରେ ଦେଖିବାକୁ ମିଳିବ ତାହା ଏବେ ରାଜନୈତିକ ଦୃଶ୍ୟପଟ୍ଟର ବଡ ରହସ୍ୟ ପାଲଟିଛି । ନିର୍ବାଚନ ଘୋଷଣା ପରେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଥିବା ବେଳେ ଦାମ କେଉଁ ଦଳକୁ ଯିବେ ତାହା ସବୁଠୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି । ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିଙ୍କର ଏବେ ଦାମଙ୍କ ଆଗାମୀ ଭବିଷ୍ୟତ ପନ୍ଥା କଣ ହେବ ତାହା ଉପରେ ନଜର ରହିଛି । ଆଉ ଏଭଳି ସମୟରେ ଦାମ ଚିରାଚରିତ ଢଙ୍ଗରେ ପୁଣି ମାରିଛନ୍ତି ବାଣ ।

କେତେବେଳେ ବିଜେପି ତ ପୁଣି କେତେବେଳେ କଂଗ୍ରେସ ଶିବିରକୁ ଦାମ ଯିବା ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବଡ ବୟାନ ଦେଇଛନ୍ତି ବିଜୁ ଅମଳର ଏହି ପୁରୁଖା ନେତା । ଗତ ଦୁଇ ଦିନ ହେବ ପୁଅ ଓ ଝିଅଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଦାମ ବିଜେପି ଶିବିରକୁ ଯିବେ ନାହିଁ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଲା । ଏପରିକି ଦାମ ଦିଲ୍ଲୀ ପାଇଁ କାଟିଥିଲେ ମଧ୍ୟ ଦିଲ୍ଲୀ ଗଲେ ନାହିଁ ବୋଲି ଖବର ସାମ୍ନାକୁ ଆସିଲା । କିନ୍ତୁ ଦାମ ଏବେ ଯେଉଁ ବୟାନ ଦେଇଛନ୍ତି ତାହା ରାଜ୍ୟ ରାଜନୀତିକୁ ଗରମ କରିଛି ।

ମୋତେ ଯେଉଁଭଳି ନିନ୍ଦିତ କରିଛନ୍ତି, ମୁଁ ନବୀନ ସରକାରକୁ ମଧ୍ୟ ସେହିଭଳି ନିନ୍ଦିତ କରିବି । ୨୦୧୯ରେ ନବୀନ ପଟ୍ଟନାୟକ ପୁଣିଥରେ ସରକାର ଗଠନ କରିପାରିବେ ନାହିଁ ବୋଲି ଦମ୍ଭ ଦେଖାଇ କହିଛନ୍ତି ଦାମ । କେମିତି ଏ ସରକାର ବଦଳିବ ସେନେଇ ଉଦ୍ୟମ କରିବି । ମୁଁ ପାରିବି କି ନାହିଁ ଜାଣିନି କିନ୍ତୁ ସରକାରକୁ ହଟାଇବା ପାଇଁ ସବୁ ପ୍ରକାର ପ୍ରୟାସ କରିବି । ମୋର ୪୦ ବର୍ଷର କ୍ୟାରିୟରକୁ ଗୋଟିଏ ମୁହୂର୍ତ୍ତରେ ଧ୍ୱଂସ କରିଦେଇଛନ୍ତି ଯାହା ମୁୁଁ ଭୁଲି ପାରୁନାହିଁ । ମୋତେ ଯଦି ବରିଷ୍ଠ ନେତା ବୋଲି କହୁଛନ୍ତି ତେବେ ମୋତେ ଦଳରୁ ବାହାର କରୁଥିଲେ କେମିତି । ମୁଁ ପକାଇଥିବା ଛେପ ଢୋକିବି ନାହିଁ ।
ଏହାବାଦ ପୁଅ ଓ ଝିଅଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଦାମ ଚୁପ ରହିବେ କି ପ୍ରଶ୍ନରେ ସେ କହିଛନ୍ତି, ମୁଁ କାହାକଥା ଶୁଣିବି ନାହିଁ । ପୁଅ, ଝିଅ କିମ୍ବା ସ୍ତ୍ରୀ ଯେ କେହି ବି ପ୍ରତିବନ୍ଧକ ହେଲେ ମୁଁ ଶୁଣିବି ନାହିଁ । ପୁଅ ବଡ ହେଲାଣି, ପାଠ ପଢିଛି ତେଣୁ ସେ ବିଜେଡି ନେତୃବୃନ୍ଦଙ୍କ ସହ କଣ କଥା ହେଉଛି ତାହା ସେ ମୋତେ କହୁନି କି ମୁଁ ମଧ୍ୟ ଜାଣିନି । ଆଉ ଦାମଙ୍କ ଏହି ବୟାନ ତାଙ୍କର ବିଜେପିରେ ଯୋଗଦାନକୁ ନେଇ ହେଉଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଏପରିକି ଆଜି ଅପରାହ୍ନରେ ଦାମ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି ।