ଦାମଙ୍କ ହିସାବ ! ଓଡିଶାରୁ କେବଳ ଜଣେ କେନ୍ଦ୍ରମନ୍ତ୍ରୀ, ଧର୍ମେନ୍ଦ୍ର ମଧ୍ୟପ୍ରଦେଶ କୋଟାରୁ ମନ୍ତ୍ରୀ । 

1,027

କନକ ବ୍ୟୁରୋ : ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ କେତେ ଜଣ ମନ୍ତ୍ରୀ । ଏହାର ହିସାବ ନିକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ । ସାଧାରଣ ଲୋକଙ୍କ କହିବା ଅନୁଯାୟୀ, ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାର ଦୁଇ ଜଣ ମନ୍ତ୍ରୀ ଥିବା ବେଳେ ଦାମଙ୍କ  ହିସାବରେ ମୋଦିଙ୍କ ଟିମରେ ଓଡିଶାରୁ ମାତ୍ର ଜଣେ କେନ୍ଦ୍ରମନ୍ତ୍ରୀ ରହିଛନ୍ତି ।

ଧର୍ମେନ୍ଦ୍ର ଓଡିଆ ହେଲେ ମଧ୍ୟ ଓଡିଶାର ମନ୍ତ୍ରୀ ନୁହଁନ୍ତି । ଓଡିଶା କୋଟାରୁ କେବଳ ପ୍ରତାପ ଷଡଙ୍ଗୀଙ୍କୁ ମନ୍ତ୍ରୀ ପଦ ମିଳିଛି । ତାହା ବି ପୁଣି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ମୋଦିଙ୍କ ମନ୍ତ୍ରିମଣ୍ଡଳକୁ ନେଇ ଏଭଳି ହିସାବ ନିକାଶ କରିଛନ୍ତି ଦାମ । ଧର୍ମେନ୍ଦ୍ର ଓଡିଆ ଲୋକ, ତାଙ୍କର ଓଡିଶା ପ୍ରୀତି ରହିଛି ଓ ଓଡିଶା ପାଇଁ କାମ ମଧ୍ୟ କରୁଛନ୍ତି । କିନ୍ତୁ ସେ ଓଡିଶାର ମନ୍ତ୍ରୀ ନୁହଁନ୍ତି ବୋଲି ଦାମ କହିଛନ୍ତି । ଧର୍ମେନ୍ଦ୍ର ପ୍ରଥମେ ବିହାର ଓ ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇ ମନ୍ତ୍ରୀ ହୋଇଛନ୍ତି କିନ୍ତୁ କେବଳ ପ୍ରତାପ ଷଡଙ୍ଗୀ ହେଉଛନ୍ତି ଓଡିଶାର ମନ୍ତ୍ରୀ । ଆଉ ଏଭଳି କହି ରାଜନୀତିକୁ ଉଷ୍ମ କରିଛନ୍ତି ଦାମ  ।

ଗତ ଥର ରାଜ୍ୟରୁ ଜଣେ ସାଂସଦ ନିର୍ବାଚିତ ହୋଇଥିଲେ ମଧ୍ୟ ମୋଦିଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟା ମିଳିଥିଲା । କିନ୍ତୁ ଚଳିତଥର ରାଜ୍ୟରୁ ୮ ଜଣ ସାଂସଦ ନିର୍ବାଚିତ ହୋଇଥିଲେ ମଧ୍ୟ ମାତ୍ର ଜଣଙ୍କୁ ମନ୍ତ୍ରୀପଦ ମିଳିଛି । ତାହା ବି ପୁଣି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । କିନ୍ତୁ ଓଡିଶା କୋଟାରୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଅଧିକ ଓଡିଆ ସାଂସଦଙ୍କୁ ସ୍ଥାନ ମିଳିବା କଥା । ଯାହା ଓଡିଶାକୁ ମିଳିନାହିଁ । ତେଣୁ ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ନିଜ ଟିମରେ ଅଧିକ ଓଡିଆ ସାଂସଦଙ୍କୁ ସାମିଲ କରି ଓଡିଶାବାସୀଙ୍କୁ ମୋଦି ନ୍ୟାୟ ଦେବେ ବୋଲି କହିଛନ୍ତିି ଦାମ ।

ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଓଡିଶା କୋଟାରୁ କେବଳ ପ୍ରତାପ ଷଡଙ୍ଗୀଙ୍କୁ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି । ସେହିଭଳି ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ସହ ଇସ୍ପାତ ବିଭାଗର କ୍ୟାବିନେଟ ପାହ୍ୟା ମିଳିଛି । ୨୦୧୪ରେ ମଧ୍ୟ ମୋଦି ସରକାରଙ୍କ ପ୍ରଥମ ପାଳିରେ ପେଟ୍ରୋଲିୟମ ବିଭାଗର ମନ୍ତ୍ରୀ ରହିଥିଲେ ଧର୍ମେନ୍ଦ୍ର । ସେତେବେଳେ ଓଡିଶାରୁ ନିର୍ବାଚିତ ହୋଇଥିବା ଜୁଏଲ ଓରାମଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଥିଲା ।