୨୪ ଘଣ୍ଟାରେ ନରମି ଗଲା ଦାମୋଦର ରାଉତଙ୍କ ସ୍ୱର! କହିଲେ ନବୀନ ଭଲ ଲୋକ

48

କନକ ବ୍ୟୁରୋ : ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ଅଡୁଆରେ ପକାଉଥିବା ଦାମୋଦର ରାଉତ ଶେଷରେ ନରମିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭଲ ଲୋକ କହି ପ୍ରଶଂସା କରିଛନ୍ତି । ଏହା ସହିତ ସଫେଇ ଦେଇ କହିଛନ୍ତି ସେ ନବୀନଙ୍କ ବିରୋଧରେ ପଦୁଟିଏ କହିନାହାନ୍ତି । ବରଂ ଅଫିସରଙ୍କ ଦୁର୍ନୀତି ବାବଦରେ କହିଛନ୍ତି । ସେପଟେ ଦାମଙ୍କ ଚାରା ଘୋଟାଲା ପ୍ରସଙ୍ଗକୁ ଅସ୍ତ୍ର କରିଛନ୍ତି ବିରୋଧୀ । ବିଧାନସଭା ଭିତରେ ଓ ବାହାରେ ସରକାରଙ୍କୁ ଘେରିଛନ୍ତି ।

ଦାମୋଦର ରାଉତଙ୍କୁ ବହିଷ୍କାର ଲାଗି ଜଗତସିଂହପୁର ଜିଲ୍ଲା ବିଜେଡି କର୍ମୀ ଓ ନେତା ନବୀନଙ୍କୁ ଫେରାଦ ହେବାର ଦିନକ ପରେ ବଦଳି ଯାଇଛି ଦାମଙ୍କ ସ୍ୱର । ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରୁଥିବା ଦାମ ବାବୁଙ୍କ ସ୍ୱର ଅଚାନକ ନରମି ଯାଇଛି । ନବୀନଙ୍କୁ ପ୍ରଶଂସା କରି ଦାମ କହିଛନ୍ତି ସେ ଭଲ ଲୋକ । ଜଣେ ଲେଖକ ଓ ଚିତ୍ରକାର । ଏପରିକି ନବୀନଙ୍କ ବିରୋଧରେ ସେ ପଦୁଟିଏ କହିନଥିବା ସଫେଇ ଦେଇଛନ୍ତି ।

ମଙ୍ଗଳବାର ଯେତେବେଳେ ଦାମଙ୍କ ବିରୋଧରେ ନବୀନ ନିବାସରେ ଫେରାଦ ହେଉଥିଲେ ଏରସମା-ବାଲିକୁଦାର ଶହଶହ ବିଜେଡି କର୍ମୀ, ସେତେବେଳେ ଖୁବ ଦମ୍ଭ ଦେଖାଇଥିଲେ ଦାମ । ବିଜେଡିର ପରିଚାଳନାକୁ ନେଇ ପ୍ରଶ୍ନ କରିବା ସହ ସେ ଦଳରେ ନଥିବା କହିଥିଲେ । ତେବେ ଦଳୀୟ କର୍ମୀଙ୍କ ଅଭିଯୋଗକୁ ବିଚାର କରୁଛନ୍ତି ବୋଲି ନବୀନ କହିବା ପରେ ଦାମ ଦଳରୁ ବିଦା ହେବା ନେଇ ବାଟ ଫିଟୁଥିବା ଚର୍ଚ୍ଚା ହେଲା । ଏବେ ଦାମଙ୍କ ଏହି ସାନି ମନ୍ତବ୍ୟ ନବୀନଙ୍କ ମନ ପରିବର୍ତନ କରିପାରୁଛି କି ନାହିଁ ତାହା ଦେଖିବାର କଥା । ଏପଟେ କିନ୍ତୁ ଦାମ ଆଣିଥିବା ବିଭିନ୍ନ ଅଭିଯୋଗ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା ଆରମ୍ଭ କରିଦେଇଛନ୍ତି ବିରୋଧୀ । ଚାରା, ଓମଫେଡ ଓ ସମବାୟ ଦୁର୍ନୀତି ନେଇ ସରକାରଙ୍କ ସ୍ପଷ୍ଟୀକରଣ ଦାବିରେ ଗୃହକୁ ଅଚଳ କରିଦେଇଛନ୍ତି ।

ଦାମ ଉଠାଇଥିବା ସମବାୟ ଋଣ ଦୁର୍ନୀତି ପ୍ରସଙ୍ଗରେ ବିଧାନସଭା ବାହାରେ ମଧ୍ୟ ସରକାରଙ୍କୁ ଘେରିଛି ବିଜେପି । ରାଜ୍ୟ ସମବାୟ ବ୍ୟାଙ୍କ ଆଗରେ ହାତରେ ପ୍ଲାକାର୍ଡ ଧରି ଆନ୍ଦଳୋନ କରିଛନ୍ତି ଶତାଧିକ କର୍ମୀ । ଦାମ କହିଛନ୍ତି ଦୁର୍ନୀତି ପର୍ଦ୍ଦାଫାସ ବିରୋଧୀ କରିବା କଥା । ହେଲେ ସେମାନେ ତାଙ୍କ କାମ କରୁନଥିବାରୁ ଦାମ ତାହା କରିଛନ୍ତି । ହେଲେ ଏବେ ଦାମଙ୍କ କଥାରୁ ଖିଅ ଧରି ବିଧାନସଭା ଭିତରେ ଓ ବାହାରେ ଦୁର୍ନୀତି ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି ବିରୋଧୀ ।