ବିଧାନସଭାରେ ଦାମଙ୍କ ସିଟ୍ ବଦଳିଲା । ଜାଣନ୍ତୁ ଏଣିକି କାହା ପାଖରେ ବସିବେ ଦାମ

69

କନକ ବ୍ୟୁରୋ : ପଛ ସିଟରେ ବସିବେ ଦାମ ରାଉତ । ବିଜେଡିରୁ ବହିଷ୍କୃତ ହେବା ପରେ ବିଧାନସଭା ଗୃହ ମଧ୍ୟରେ ଦାମ ରାଉତଙ୍କ ସିଟ ବଦଳିଛି । ଏହାଛଡା କିଛି ବିଧାୟକଙ୍କ ସିଟରେ ମଧ୍ୟ ଅଦଳବଦଳ କରାଯାଇଛି । ପୂର୍ବରୁ ଦାମ D/୩ ସିଟରେ ବସୁଥିଲେ । କିନ୍ତୁ ବିଜେଡିରୁ ଦାମ ବିତାଡିତ ହେବା ପରେ ଏହି ଆସନଟି ସୁଦାମ ମାରାଣ୍ଡି ପାଇଛନ୍ତି । ଏଣିକି ଦାମଙ୍କୁ F/୧୦ ସିଟରେ ବସିବେ । ବିଧାନସଭାରେ ସମତାକ୍ରାନ୍ତି ଦଳର ବିଧାୟକ ଜର୍ଜ ତିର୍କୀଙ୍କ ପାଖରେ ବସିବେ ଦାମ ରାଉତ । ଦାମ ବିଜେଡିରୁ ବିତାଡିତ ହେବା ପରେ ଏବେ ସ୍ୱାଧୀନ ବିଧାୟକ ଭାବେ ବିଧାନସଭାକୁ ଆସିବେ ।

ଗତ ବୁଧବାର ଦିନ ଦଳବିରୋଧୀ ମନ୍ତବ୍ୟ ପାଇଁ ଦାମଙ୍କୁ ବିଜେଡିରୁ ବହିଷ୍କୃତ କରିଥିଲେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏହାପରେ ବିଧାନସଭାରେ ଦାମଙ୍କ ସିଟ ବଦଳାଇବାକୁ ମଧ୍ୟ ବିଜେଡି ପକ୍ଷରୁ ବାଚସ୍ପତିଙ୍କ ନିକଟରେ ଦାବି କରାଯାଇଥିଲା । ଆଉ ଏହାକୁ ଅନୁମୋଦନ ମଧ୍ୟ କରିଥିଲେ ବାଚସ୍ପତି । ଆଉ ଏହାପରେ ଦାମଙ୍କ ସିଟ ପରିବର୍ତ୍ତନ ହୋଇଥିଲା । ଯେହେତୁ ଦାମ ଏବେ ବିଜେଡି ଦଳରେ ନାହାନ୍ତି ତେଣୁ ତାଙ୍କୁ ସ୍ୱାଧୀନ ବିଧାୟକ ଭାବେ F/୧୦ରେ ସିଟ ଦିଆଯାଇଛି । ତେବେ ବିଜେଡିରୁ ବହିଷ୍କୃତ ହେବା ପରେ ଦାମଙ୍କୁ ଆଜି ବିଧାନସଭାରେ ଦେଖିବାକୁ ମିଳିନାହିଁ ।