ଦାମ ଛାଡିଲେ ବାଣ ! ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ କଥାକୁ କାଟିଲେ ଦାମ । କହିଲେ ସବୁ କଂଗ୍ରେସ କର୍ମୀ ବିଜେଡିରେ ମିଶିଯିବେ ,ଏହା ଅସମ୍ଭବ

32

କନକ ବ୍ୟୁରୋ : କଂଗ୍ରେସକୁ ନେଇ ବିଜେଡି ଭିତରେ ଲଢେଇ । ବିଜେଡି ବନାମ ବିଜେଡି । ଆଉ ଲଢେଇରେ ସାମିଲ ହୋଇଛନ୍ତି ଦୁଇ ବରିଷ୍ଠ ନେତା । ଜଣେ କଂଗ୍ରେସର ସପକ୍ଷରେ ମତ ରଖୁଥିବା ବେଳେ ଅନ୍ୟ ଜଣେ ଖୋଲାଖୋଲି ବିରୋଧ କରୁଛନ୍ତି । ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ସୂର୍ଯ୍ୟ କହିବା ଅନୁଯାୟୀ, ଓଡିଶାରୁ କଂଗ୍ରେସ ଲୋପ ପାଇଯିବ ତାହା ସମ୍ପୂର୍ଣ୍ଣ ଭୁଲ୍ ବୋଲି କହିଛନ୍ତି ଦାମ । ଏହାସହ ସୂର୍ଯ୍ୟଙ୍କୁୁ କଟାକ୍ଷ କରି ପ୍ରଶ୍ନ କରିଛନ୍ତି ସେ କଣ ଚାହୁଁଛନ୍ତି ଦେଶରେ ସାମ୍ପ୍ରଦାୟିକ ଦଳ କାୟା ବିସ୍ତାର କରୁ । ବିଜେଡି ଓ କଂଗ୍ରେସ ୨ଟି ଧର୍ମ ନିରପେକ୍ଷ ଦଳ । ତେଣୁ କଂଗ୍ରେସ ଲୋପ ପାଇଯିବ ଏଭଳି କହିବା ଉଚିତ୍ ନୁହେଁ । ଏହା ସହିତ ସୂର୍ଯ୍ୟ କହିଥିବା ସମସ୍ତ କଂଗ୍ରେସ କର୍ମୀ ବିଜେଡିରେ ମିଶିଯିବେ, ପ୍ରସଙ୍ଗରେ ଏହା କଣ ସମ୍ଭବ ବୋଲି ଓଲଟା ପ୍ରଶ୍ନ କରିଛନ୍ତିି ଦାମ ।

ଗତକାଲି ସୂର୍ଯ୍ୟ ପାତ୍ର କଂଗ୍ରେସ ଉପରେ ଖୁବ ବର୍ଷିଥିଲେ । କଂଗ୍ରେସର ଅବସ୍ଥା ପୂରା ଦେଶରେ ଭଲ ନାହିଁ । ଓଡିଶାର ଗ୍ରାମାଞ୍ଚଳରେ କିଛି ମାତ୍ରାରେ କର୍ମୀ ଥିଲେ ମଧ୍ୟ ଦଳର ଉପର ମହଲରେ ଗୋଷ୍ଠୀକନ୍ଦଳ ଲାଗି ରହିଛି । ଏପରିକି ସଭାପତି ପଦ ପାଇଁ ନେତୃବୃନ୍ଦଙ୍କ ମଧ୍ୟରେ ଗୋଡ ଟଣାଟଣି ନୀତି ସବୁବେଳେ ଚାଲିଛି । ଏଭଳି ପରିସ୍ଥିତି ଦେଖିଲେ କଂଗ୍ରେସ ଦଳ ଆଉ ବେଶି ଦିନ ତିଷ୍ଠି ରହିବନି ବୋଲି ମତ ଦେଇଥିଲେ ସୂର୍ଯ୍ୟ ।