କନକ ବ୍ୟୁରୋ : ବିଜେଡିରୁ ବିଦା ହେଲେ ଦାମୋଦର ରାଉତ । ଗତ କିଛି ଦିନ ଧରି ଦାମ ରାଉତଙ୍କୁ ଦଳରୁ ବହିଷ୍କୃତ କରାଯିବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ବରିଷ୍ଠ ବିଜେଡି ନେତା ତଥା ପାରାଦ୍ୱୀପ ବିଧାୟକ ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଯାଇଛି । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ଦାମଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ବୋଲି ପ୍ରେସ ବିଜ୍ଞପ୍ତି ବିଜେଡି ପକ୍ଷରୁ ଜାରି କରାଯାଇଛି । ଏନେଇ ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି । ଗତ କିଛି ଦିନ ପୂର୍ବେ ଦାମ ରାଉତ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇ ବିଜେଡିକୁ ଅଡୁଆରେ ପକାଇଥିଲେ । ଏପରିକି ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ସର୍ମ୍ପକରେ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରି ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଦାମ ବାରମ୍ବାର ଦଳବିରୋଧୀ ବୟାନ ଦେଉଥିବାରୁ ସୋମବାର ଜଗତସିଂହପୁରର ଦୁଇ ବରିଷ୍ଠ ନେତା ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଥିଲେ । ଏପରିକି ଦାମଙ୍କ ବିରୋଧରେ ସମସ୍ତ ଅଭିଯୋଗ ନବୀନଙ୍କୁ ଜଣାଇଥିଲେ । ଆଉ ଏହାପରେ ଗତକାଲି ବାଲିକୁଦା-ଏରସମାରୁ ବିଜେଡି କର୍ମୀ ମାନେ ଆସି ଦାମଙ୍କ ବିରୋଧରେ ନବୀନଙ୍କ ନିକଟରେ ଅଭିଯୋଗ କରିଥିଲେ । ଆଉ ଏହାପରେ ନବୀନ ମଧ୍ୟ ଅଭିଯୋଗ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଆଉ ଆଜି ଦାମଙ୍କୁ ଦମନ କରିବାକୁ ଶେଷରେ ଦଳରୁ ବିଦା କରିଛନ୍ତି ବିଜେଡି ମୁଖିଆ ।