ଲଗାଣ ବର୍ଷା ହେଲା କାଳ । ଉଛୁଳିଲା ଡ୍ୟାମ୍ ପାଣି, ଭାସିଗଲା ଯାତ୍ରୀବାହି ବସ୍ ।

620

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବର୍ଷାର ମହାବିତ୍ପାତ ଦେଖିବାକୁ ମିଳିଛି । ଯାହାଫଳରେ ବନ୍ୟାରେ ଭାସିଯାଇଛି ଯାତ୍ରୀବାହୀ ବସ୍ । ନାନ୍ଦେଡରୁ ନାଗପୁର ଯାଉଥିବା ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ଲଗାଣ ବର୍ଷା ପାଇଁ ୟେବତମାଲରେ ଥିବା ଏକ ଡ୍ୟାମରେ ଜଳସ୍ତର ବଢିବାରେ ଲାଗିଥିଲା ଏବଂ ରାସ୍ତା ଉପରେ ପ୍ରବାହିତ ହେଉଥିଲା ବନ୍ୟା ପାଣି । ଫଳରେ ଏହି ରାସ୍ତା ଦେଇ ଯାଉଥିବା ବସଟି ଦୁର୍ଘଟଣା ଘଟି ପାଣିରେ ଭାସି ଯାଇଥିଲା । ଘଟଣାରେ ବସ ଡ୍ରାଇଭର ସହ ଆହୁରି ୨ ଜଣ ଏବେବି ନିଖୋଜ ଅଛନ୍ତି ।

ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାରୁ ନଦୀଗୁଡିକରେ ଜଳସ୍ତର ବଢିବାରେ ଲାଗିଛି । ନାସିକ ସହରର ଗୋଦାବରୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ସହରାଞ୍ଚଳରେ ପଶିଛି ବନ୍ୟା ପାଣି । ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇ ରହିଛି । ଲୋକଙ୍କ ଘର ଭିତରେ ବନ୍ୟା ପାଣି ପସିଥିବାରୁ ଲୋକେ ଅନେକ ହଇରାଣ ହେଉଥିବା ଦେଖିବାକୁ ମିିଳିଛି ।

ସେପଟେ ଔରଙ୍ଗାବାଦରେ ବି ଲଗାଣ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସହରର ରାସ୍ତାରେ ମୋଟା ସୁଅର ବର୍ଷା ପାଣି ବହୁଥିବା ଦେଖିବାକୁ ମିଳିଛି । ଫଳରେ ଲୋକଙ୍କ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ବର୍ଷା ପାଣି ପାଇଁ ଲୋକଙ୍କୁ ଯାତାୟାତରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି । ଗାଡି ଚଳାଚଳ ମଧ୍ୟ ବାଧା ପ୍ରାପ୍ତ ହୋଇଛି । ସେପଟେ ପାଣିପାଗ ବିଭାଗ ତରଫରୁ ରାଜ୍ୟରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।