କାମର ମାନ ଯାଞ୍ଚ ନକରି ବି ଠିକାଦାରଙ୍କୁ ଦିଆଯାଉଛି ବିଲ୍ । କାମ ଶେଷ ହେବାର ସାର୍ଟିଫିକେଟ ନଥାଇ ବି ଦିଆଯାଉଛି ପ୍ରାପ୍ୟ ! କନକ ନ୍ୟୁଜ ହାତରେ ଲାଗିଲା ସାଂଘାତିକ ପ୍ରମାଣ ।

136

କନକ ବ୍ୟୁରୋ : କାମର ମାନ ଯାଞ୍ଚ ନକରି ବି ଠିକାଦାରଙ୍କୁ ଦିଆଯାଉଛି ବିଲ୍ । କାମ ଶେଷ ହେବାର ସାର୍ଟିଫିକେଟ ନଥାଇ ବି ଦିଆଯାଉଛି ପ୍ରାପ୍ୟ ! ଆପଣଙ୍କୁ ଏକଥା ଆଶ୍ଚର୍ଯ୍ୟ ଲାଗୁଥାଇପାରେ ମାତ୍ର ଜଳସମ୍ପଦ ବିଭାଗରେ ଏଭଳି ଘଟୁଥିବା ଦେଖିବାକୁ ମିଳିଛି । ବିଭାଗର ମେକାନିକାଲ ୱିଙ୍ଗରେ କୋଟି କୋଟି ଟଙ୍କାର କାମକୁ ଖଣ୍ଡ ଖଣ୍ଡ କରି ବାଣ୍ଟିଦେବା ସହ କ୍ୱାଲିଟି ଚେକ୍ ନ କରି ବି ଠିକାଦାରଙ୍କୁ ସେମାନଙ୍କର ପ୍ରାପ୍ୟ ପଇଠ କରାଯାଉଥିବା ପ୍ରମାଣ କନକନ୍ୟୁଜ ହାତରେ ଲାଗିଛି । କେବଳ ଭୁବନେଶ୍ୱର ମେକାନିକାଲ ଡିଭିଜନରେ ପ୍ରାୟ ୮ କୋଟି ଟଙ୍କାର କାମକୁ ପାଞ୍ଚ ଯୋଡ଼ା ସ୍ୱାମୀ-ସ୍ତ୍ରୀଙ୍କୁ ବାଣ୍ଟିବା ବ୍ୟତୀତ ଏଭଳି ଚଞ୍ଚକତା କରି ଏବେବି ଟଙ୍କା ଦିଆଯାଇଛି ।

ଯାଞ୍ଚ କରାଯାଉନି କାର୍ଯ୍ୟର ମାନ । ଠିକାଦାରଙ୍କୁ ଦିଆଯାଉଛି ପ୍ରାପ୍ୟ । କାର୍ଯ୍ୟର ମାନ ଯେମିତି ହେଲେ ବି ଚଳିବ । ନା କାର୍ଯ୍ୟର ମାନ ଯାଞ୍ଚ କରାଯାଉଛି ନା କାମ ସରିବାର ପ୍ରମାଣ ଅଛି । କିଛି ନଥାଇ ବି ଠିକାଦାରଙ୍କୁ ମିଳୁଛି ପ୍ରାପ୍ୟ । ଏମିତି ଆଶ୍ଚର୍ଯ୍ୟ କଲା ଭଳି କେଳେଙ୍କାରୀର ଚିତ୍ର ଦେଖିବାକୁ ମିଳିଛି ଜଳସମ୍ପଦ ବିଭାଗରେ ।

ଭୁବନେଶ୍ୱର ମେକାନିକାଲ ଡିଭିଜନ ଅଧୀନରେ ଥିବା ୭ଟି ଜିଲ୍ଲାରେ ଚେକଡ୍ୟାମ ଜରିଆରେ ପାଣି ମଡ଼ାଇବା ପାଇଁ ଚଳିତ ବର୍ଷ ଫେବ୍ରୁଆରୀରୁୁ ମାର୍ଚ୍ଚ ମାସ ଭିତରେ ୩୨୨ଟି ଗେଟ୍ ଓ ସଟର କାମ ବିନା ଓପନ ଟେଣ୍ଡରରେ କରାଯାଇଥିଲା । ଏଥିରୁ ୧୩୦ଟି ସ୍ଥାନରେ ନୂଆ ଲୁହା ଗେଟ୍ ଲଗାଇବା କାମ ହୋଇଥିବା ବେଳେ ବାକି ସ୍ଥାନରେ ସଟର ମରାମତି କରାଯାଇଛି । ହେଲେ ଜଳସେଚନ ବିଭାଗର ଗାଇଡଲାଇନ୍ ମୁତାବକ କୌଣସି ଗୋଟିଏ ହେଲେ କାର୍ଯ୍ୟର ମାନକୁ କ୍ୱାଲିଟି କଣ୍ଟ୍ରୋଲ ଡିଭିଜନ ଦ୍ୱାରା ଯାଞ୍ଚ କରାନଯାଇ ବିଲ୍ ପଇଠ କରାଯାଇଥିବା ଜଣାପଡିଛି ।

ରାଜ୍ୟର ସମସ୍ତ ମେକାନିକାଲ କାମରେ ଅର୍ଥାତ୍ ଚେକଡ୍ୟାମ ଓ ବ୍ୟାରେଜରେ ଲାଗୁଥିବା ଗେଟ୍ ଓ ସଟର କାମରେ ସ୍ୱଚ୍ଛତା ଆଣିବା ପାଇଁ କ୍ୱାଲିଟି କଂଟ୍ରୋଲ ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ନିର୍ବାହୀ ଯନ୍ତ୍ରୀ ସବୁ କାମର ନିୟମିତ ତଦାରଖ କରିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଛି । କିନ୍ତୁ ଏହି ୩୨୨ଟି କାମ ପାଇଁ ଠିକାଦାରଙ୍କୁ ଟଙ୍କା ଦିଆଯାଇଥିଲେ ବି ଗୋଟିଏ କାମକୁ କ୍ୱାଲିଟି କଂଟ୍ରୋଲର ନିର୍ବାହୀ ଯନ୍ତ୍ରୀ ଯାଂଚ୍ କରିନଥିବା ସୂଚନା ଅଧିକାର ଆଇନରେ ଜଣାପଡ଼ିଛି । ଅନ୍ୟପଟରେ କାମ ଶେଷ ହେବାର କୌଣସି ପ୍ରମାଣପତ୍ର ଦିଆଯାଇନାହିଁ କିମ୍ବା ଭଙ୍ଗାଗେଟ ମରାମତି ବେଳେ ବଳକା ସ୍କ୍ରାପ୍ ମିଳିନାହିଁ ବୋଲି ସିଭିଲ୍ ଇଞ୍ଜିନିୟରିଂ ବିଭାଗ ଦର୍ଶାଇଛି । ଏଥିରୁ ଅଧିକାଂଶ ଗେଟ-ସଟର ମରାମତି କାମ କେବଳ କାଗଜପତ୍ରରେ କରାଯାଇଥିବା ସନ୍ଦେହ କରାଯାଉଛି ।