ଅନ୍ୟ ଜାତିରେ ବିବାହର ପରିଣାମ କ’ଣ ଏତେ ଭୟଙ୍କର ? 

88

ପ୍ରେମ କରିବା ପାପ ନୁହଁ କିନ୍ତୁ ଅନ୍ୟ ଜାତିରେ ପ୍ରେମ କରିବା ପାପ । ନାହିଁ ଆଜ୍ଞା ଆମେ କହୁନୁ , କହୁଛନ୍ତି କିଛି ସଭ୍ୟ ସମାଜର ମୁଖାଧାରୀ ବ୍ୟକ୍ତି । ଆମେ ଯେତେ ନିଜକୁ ଶିକ୍ଷିତ ଏବଂ ସଭ୍ୟ ସମାଜର ନାଗରିକ କହି ଡେଙ୍ଗୁରା ପିଟିଲେ ମଧ୍ୟ ଆମ ଭିତରର ଜାତି,ଅଜାତି,ବର୍ଣ୍ଣବୈଶମ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରୁ । କିନ୍ତୁ ପ୍ରେମ କ’ଣ ସତରେ ଏଭଳି ସଂକୀର୍ଣ୍ଣ ମନୋବୃତ୍ତିକୁ ଆପଣାଏ । ବୋଧହୁଏ ନାହିଁ । ସମାଜରେ ଏମିତି ଅନେକ ପ୍ରେମୀଯୁଗଳ ତଥା ଦମ୍ପତୀ ଥିବେ ଯେଉଁମାନେ ଅନ୍ୟଜାତିରେ ଭଲପାଇ କଠିନ ପରିସ୍ଥିତିରେ ଗତି କରିଥିବେ ଏବଂ ଅନ୍ୟ କିଛି ଦମ୍ପତୀଙ୍କ ଅସ୍ଥିତ୍ୱ ବି ଦୁନିଆରେ ଥିବ କି ନାହିଁ ତାହା ସନ୍ଦେହ । ଏଭଳି ସମାଜକୁ ଖାତିର ନକରି ଅନ୍ୟଜାତିରେ ଭଲପାଇ ବସିଥିଲେ ୨୩ ବର୍ଷୀୟ ପ୍ରଣୟ କୁମାର ଏବଂ ୨୧ ବର୍ଷୀୟା ଅମୃତା । ତେଲେଙ୍ଗାନାର ଏକ ସ୍କୁଲରୁ ଆରମ୍ଭ ହୋଇଥିବା ବନ୍ଧୁତା ପରମୁହୂର୍ତ୍ତରେ ପ୍ରେମ ଏବଂ ବିବାହର ରୂପ ନେଇଥିଲା । କିନ୍ତୁ ଏହି ବିବାହକୁ ଅମୃତାଙ୍କ ପରିବାର ତରଫରୁ ସ୍ୱୀକୃତି ମିଳିନଥିଲା । କାରଣ ଆଇ କିଛି ନୁହଁ ତଥାକଥିତ ବର ନିଚ୍ଚଜାତିର ଥିବାବେଳେ କନ୍ୟା ଉଚ୍ଚଜାତିର ଥିଲା । ତେବେ ପ୍ରେମ ଆଗରେ ସବୁକିଛି ମାନିଥିଲା ହାର । ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ହସଖୁସିରେ ବିବାହର ୮ ମାସ ବିତି ଯାଇଥିଲା ।

କିନ୍ତୁ ବିଧିର ବିଧାନ କୁହନ୍ତୁ କିମ୍ବା ଅମାନବିକତା ଅମୃତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଦୁହେଁ ଡାକ୍ତରଖାନା ଯିବା ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ପଛପଟୁ ଆସି ଦୁଇଥର ପ୍ରଣୟଙ୍କୁ ଏକ ଅସ୍ତ୍ର ମାଧ୍ୟମରେ ପ୍ରହାର କରିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା । ପେଟରେ ୫ ମାସର ଶିଶୁ ଧରିଥିବା ଅମ୍ୃତା ଘଟଣାସ୍ଥଳରେ ହିଁ ଚେତାଶୂନ୍ୟ ହୋଇଯାଇଥିଲେ । ହୋସ୍ ଆସିବା ପରେ ସେ କାହାରିକୁ ଚିହ୍ନିବାଭଳି ପରିସ୍ଥିତିରେ ନଥିଲେ । କିନ୍ତୁ କିଛି ସମୟ ପରେ ସେ ବାପା ଏବଂ ଦାଦାଙ୍କୁ ଏଥିପ୍ରତି ଦୋଷାରୋପ କରିଥିଲେ । ଅନ୍ୟଜାତିରେ ବିବାହ କରିଥିବାରୁ ବାପା,ଦାଦା ଖୁସି ନଥିଲେ ଏବଂ ଅମୃତା ଗର୍ଭବତୀ ହେବା ଜାଣିବା ପରେ ଦୁହେଁ ଗର୍ଭପାତ କରାଇ ଅନ୍ୟତ୍ର ବିବାହ କରିବାକୁ ମଧ୍ୟ କହି ଆସୁଥିଲେ । କିନ୍ତୁ ଏଥିରେ ଅରାଜି ହେବାରୁ ପ୍ରଣୟଙ୍କୁ ଜୀବନରେ ମାରିବା ଏବଂ ଜିଇଁ ଥାଉ ଥାଉ ନିଜ ଝିଅକୁ ମରିବା ପାଇଁ ଛାଡିଦେବା ଭଳି କାଣ୍ଡ ଘରଲୋକ କରିଦେଲେ । ଅମୃତା ସ୍ୱାମୀଙ୍କୁ ଖୁବ୍ ଭଲ ପାଉଥିଲେ ଏବଂ ସେ ଏବେ ନିଜ ଆଗନ୍ତୁକ ଶିଶୁକୁ ସ୍ୱାମୀ ରୂପେ ଦେଖିବେ ବୋଲି କହୁଛନ୍ତି ।