କନକ ବ୍ୟୁରୋ: ଜଗତସିଂହପୁରରେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଆଜି ବିଧାନସଭାରେ ପ୍ରବଳ ହଟ୍ଟୋଗଳ ହୋଇଛି । ଘଟଣାରେ ସରକାର ଉତର ରଖିବା ଦାବିରେ ଅଡି ବସିଥିଲେ ବିରୋଧୀ । ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ଫଳରେ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ଅପରାହ୍ନରେ ବିରୋଧୀଙ୍କ ଦାବି ଗ୍ରହଣ କରିଛନ୍ତି ବାଚସ୍ପତି । ଏବଂ ଗୃହରେ ଉତର ରଖିବାକୁ ରୁଲିଂ ଦେଇଛନ୍ତି ।
ଜଗତସିଂହପୁର ନାଉଗାଁ ଥାନା ତେଂଟୋଇ ଗାଁରେ ଘଟିଥିବା ଦୁଃଖଦ କାହାଣୀ, ବିଧାନସଭାକୁ ଦୋହଲାଇ ଦେଇଛି । ସେପଟେ ଘଟଣାକୁ ୧୯ ଦିନ ବିତିବାକୁ ବସିଲାଣି, ହେଲେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ । ପରିବାର ଲୋକ କହିଛନ୍ତି, ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବାରୁ, ଘରେ କେହି ନଥିବା ବେଳେ ଜୋରଜବରଦସ୍ତ ଝିଅର ଅଶ୍ଳୀଳ ଫଟୋ ଉଠାଇଥିଲା ଅଭିଯୁକ୍ତ ଦୀପକ ବେହେରା । ଘରର କାନ୍ଥ, କବାଟ ସହ ଗାଁ ଦାଣ୍ଡରେ ଉଲଗ୍ନ ଫଟୋ ଲଗାଇବାରୁ ଲୋକଲଜ୍ଜା ସହିନପାରି ରଶି ଲଗାଇ ଆତ୍ମହତ୍ୟା କରିଥିଲେ ୨୪ ବର୍ଷର ପୀଡ଼ିତା ।
ଯୁବତୀଙ୍କ ଉଲଗ୍ନ ଫଟୋକୁ ନେଇ ବ୍ଲାକମେଲିଂ କରିଆସୁଥିଲେ ଅଭିଯୁକ୍ତ । ପ୍ରତିବାଦ କଲେ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଥିଲା । ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ ବି ନାଉଗାଁ ପୋଲିସ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିଥିଲା କଂଗ୍ରେସ । ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ଘଟଣାର ପରଦିନ ଅଭିଯୁକ୍ତ ଦୀପକ ବେହେରାକୁ ଗିରଫ କରିଛି ପୋଲିସ । ତେବେ ଜଣେ ଦଳିତ ଯୁବତୀଙ୍କର ଆତ୍ମହତ୍ୟା ଘଟଣାରେ ପୋଲିସ କୋହଳ ଦଫା ଲଗାଇ ମାମଲାକୁ ଦୁର୍ବଳ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ଦଳିତ ବିକାଶ ପରିଷଦ ।