ବିଧାନସଭାରେ କହିବାକୁ ସୁଯୋଗ ଦେଲେନି , କାନ୍ଦିଲେ ଦଳିତ ବିଜେପି ବିଧାୟକ

245

କନକ ବ୍ୟୁରୋ: ଦଳିତ ହୋଇଥିବାରୁ ବିଧାନସଭାରେ କହିବାକୁ ସୁଯୋଗ ଦେଲେନି ବାଚସ୍ପତି । କାନ୍ଦିକାନ୍ଦି ବିଧାନସଭା ବାହାରକୁ ଆସିଲେ ବିଜେପି ବିଧାୟକ  ଅମର କୁମାର ବାଉରୀ । ବିଧାୟକଙ୍କୁ ଏପରି ଅବସ୍ଥାରେ ଦେଖି ଚକିତ ହୋଇଯାଇଥିଲେ ବାହାରେ ଥିବା ସାମ୍ବାଦିକ ଓ ଅନ୍ୟ କର୍ମଚାରୀ । ବୁଧବାର ବିଜେପି କର୍ମକର୍ତ୍ତାଙ୍କ ଉପରେ ଲାଠି ମାଡ ସହ ବିଧାନସଭାରେ ନମାଜ ପଢିବାକୁ ସ୍ୱତନ୍ତ୍ର ଗୃହ ନିର୍ମାଣ କରିବା ଉପରେ ରହିତାଦେଶ ପ୍ରସ୍ତାବକୁ ପଢିବାକୁ ଚାହିଁଥିଲେ ବି ବାଚସ୍ପତି ରବୀନ୍ଦ୍ରନାଥ ମହତୋ ଅନୁମତି ଦେଇନଥିଲେ । ଫଳରେ ଗୃହରୁ ୱାକଆଉଟ୍ କରିଥିଲେ ଅମର କୁମାର । 

ସୂଚନା ମୁତାବକ, ମନସୁନ ଅଧିବେଶନର ଶେଷ ଦିନରେ ଉପରୋକ୍ତ ଦୁଇଟି ପ୍ରସଙ୍ଗରେ ସ୍ଥଗିତାଦେଶ ଉପସ୍ଥାପନ କରିବାକୁ ଚାହିଁଥିଲେ ଅମର କୁମାର । ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଅନୁମତି ମିଳିନଥିଲା । ମଧ୍ୟାହ୍ନ ଭୋଜନ ପରେ ବି ବାଚସ୍ପତିଙ୍କୁ ଅନୁରୋଧ କରିବା ସତ୍ତେ୍ୱ ତାଙ୍କୁ ଅଣଦେଖା କରାଯାଇଥିଲା । ପୂର୍ବରୁ ମନ୍ତ୍ରୀ ଓ ଅନେକ ଥର ବିଧାୟକ ରହିସାରିଥିବା ଅମର କୁମାର ଗୃହର ନିତିନିୟମ ପ୍ରତି ଅବଗତ । ବାଚସ୍ପତି ମଧ୍ୟ ଏସବୁକୁ ମାନିବା ଆବଶ୍ୟକ । ଉଭୟ ଶାସକ ଦଳ ଓ ବିରୋଧୀଙ୍କୁ ନିଜ ମନ୍ତବ୍ୟ ରଖିବାର ସମାନ ଅଧିକାର ଦେବା ଆବଶ୍ୟକ । ହେଲେ ଗୃହର ମଙ୍ଗୁଆଳ ଖୋଦ୍ ବାଚସ୍ପତି ଜଣେ ଦଳିତ ବିଧାୟକଙ୍କୁ ଅଣଦେଖା କରି ଆଇନ ବ୍ୟବସ୍ଥାର ଉଲଂଘନ କରିଛନ୍ତି । ଫଳରେ ମୁଁ ମାନସିକ ସ୍ତରରେ ଗଭୀର ଭାବେ ଆହତ ହୋଇଛି  । ମୋ ଆଖିରୁ ଝରୁଥିବା ଲୁହ ମୋର ଅସହାୟତା ନୁହେଁ ବରଂ ରାଜୀତି ପ୍ରତି ମୋର ସମର୍ପଣ ଭାବ ବୋଲି ଅମର କୁମାର ଗଣମାଧ୍ୟମରେ ପ୍ରକାଶ କହିିଛନ୍ତି ।

ଅନ୍ୟ ବିଜେପି ବିଧାୟକ ମଧ୍ୟ ବାଚସ୍ପତିଙ୍କ ଏପରି ପକ୍ଷପାତିତାକୁ ବିରୋଧ କରିଛନ୍ତି । ରାଞ୍ଚି ବିଜେପି ବିଧାୟକ ସିପି ସିଂ କହିଛନ୍ତି ଯେ, ସେ ବାଚସ୍ପତି ଥିବା ସମୟରେ ବିରୋଧୀଙ୍କୁ ମତବ୍ୟକ୍ତ କରିବାକୁ ଅଧିକ ସୁଯୋଗ ଦିଆଯାଉଛି । ହେଲେ ଏବେ ମିଳିତ ସରକାରଙ୍କ ସମୟରେ ବିରୋଧୀ ତଥା ଦଳିତ ବିଧାୟକଙ୍କୁ ଅବହେଳା କରାଯାଉଛି ବୋଲି ସିପି ସିଂ କହିଛନ୍ତି ।