ବାତ୍ୟା ପ୍ରଭାବିତଙ୍କ ପାଇଁ ସହାୟତାର ହାତ ବଢାଇଲେ ବୌଦ୍ଧ ଧର୍ମଗୁରୁ ଦଲାଇଲାମା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦେଲେ ୧୦ ଲକ୍ଷ ଟଙ୍କା, ନବୀନଙ୍କୁ କଲେ ପ୍ରଂଶସା ।

534

କନକ ବ୍ୟୁରୋ : ବାତ୍ୟା ଫୋନି ଓଡିଶାରେ ତାଣ୍ଡବ ରଚିବା ପରେ ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଛି ଅଧା ଓଡିଶା । ଖାସକରି ପୁରୀ ଓ ଭୁବନେଶ୍ୱରର ଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳିଯାଇଛି । ରଙ୍ଗ ବେରଙ୍ଗର ଲାଇଟରେ ଝଲସି ଉଠୁଥିବା ଏହି ଦୁଇ ସହର ଉପରେ ଏବେ ଅନ୍ଧକାର ରାଜୁତି କରୁଛି । ତେବେ ଓଡିଶାର ଏଭଳି ଦୁର୍ଦ୍ଦିନ ସମୟରେ ସହାୟତାର ହାତ ବଢାଇଛି ପୂରା ଦେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ଫୋନିରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ବାତ୍ୟା ପୂର୍ବରୁୂ ୩୪୧ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ କେନ୍ଦ୍ର ସରକାର ।

ଏହାଛଡା ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଭାରତୀୟ କ୍ରିକେଟର ଏପରିକି ଟିଭି ପରଦାର କଳାକାର ମାନେ ମଧ୍ୟ ଏବେ ଓଡିଶାକୁ ପୁଣିଥରେ ଗଢି ତୋଳିବା ପାଇଁ ଆଗେଇ ଆସିଛନ୍ତି । କେବଳ ସେଲିବ୍ରିଟି କିମ୍ବା କ୍ରିକେଟର ନୁହଁନ୍ତି ବରଂ ସାଧାରଣ ଲୋକ ମଧ୍ୟ ଓଡିଶା ପାଇଁ ସହାୟତାର ହାତ ବଢାଇଛନ୍ତି । ଏସବୁ ଭିତରେ ବୌଦ୍ଧ ଧର୍ମଗୁରୁ ଦଲାଇଲାମା ବାତ୍ୟା ଫୋନି ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଓଡିଶା ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ।

ଓଡିଶା ପାଇଁ ଦଲାଇଲାମା ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହ ଫୋନିକୁ ସାହସିକତାର ସହ ମୁକାବିଲା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାତ୍ୟା ଫୋନି ଆସିବା ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ନବୀନ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇ ପାରିଛନ୍ତି । ତେବେ ବାତ୍ୟା ଯୋଗୁଁ ଯେଉଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗୁରୁତର ଆହତ ହୋଇଥିବା ଲୋକଙ୍କର ସ୍ୱାସ୍ଥ୍ୟବସ୍ଥାରେ ଖୁବଶୀଘ୍ର ସୁଧାର ଆସୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଦଲାଇଲାମା ।

Comments are closed.