ମୁଗ ଚାଷରେ ରୋଗ ପୋକ: ଚିନ୍ତାରେ ପଡିଛନ୍ତି କାକଟପୁର ଅସ୍ତରଙ୍ଗ ଚାଷୀ, ବିଭିନ୍ନ ମେଡିସିନ୍ ସିଂଚନ ପରେ ବି ଥମୁନି ସଂକ୍ରମଣ

103

କନକ ବ୍ୟୁରୋ: ମୁଗ ଚାଷରେ ରୋଗପୋକ । ଚିନ୍ତାରେ ପଡିଛି ଚାଷୀକୁଳ । ବିଭିନ୍ନ ପ୍ରକାର ମେଡିସିନ୍ ସିଂଚନ ପରେ ବି ଥମୁନି ସଂକ୍ରମଣ । ବର୍ଷ ତମାମ ଚାଷ କରି ପରିବାର ଚଳାଉଥିବା ଚାଷୀ ଏବେ ପରିବାର କିଭଳି ଚଳାଇବ ଓ ଋଣ କିଭଳି ସୁଝିବ ସେ ନେଇ ପଡିଛି ଚିନ୍ତାରେ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କାକଟପୁର ଅସ୍ତରଙ୍ଗ ଅଂଚଳରେ । ଶହଶହ ଚାଷୀ ମୁଗ ଚାଷ କରିଥିଲେ ଏବେ ଫୁଲ ଛୁଇଁ ଆସିବା ସମୟରେ ରୋଗପୋକ ଲାଗି ଫସଲ ନଷ୍ଟ ହେବାରେ ଲାଗିିଛି । ଫସଲରେ ରୋଗ ପୋକ ଲାଗି ଚାଷୀର ମେରୁଦଣ୍ଡ ଦୋହଲାଇ ଦେଲାଣି । ପ୍ରଥମେ ଜଉ ପୋକ ଲାଗିଥିଲା ପରେ ଫୁଲଖିଆ ଓ ତାପରେ ଏବେ ଛୁଇଁବିନ୍ଧା ପୋକ ଲାଗିଥିବାରୁ ଏକର ଏକର ଫସଲ ସବୁ ନଷ୍ଟ ହେବାରେ ଲାଗିଛି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ଚାଷୀ ଏବେ କ୍ଷତିରେ ପଡିଥିବା ବେଳେ କିଛି ସହଯୋଗ ଆଶରେ ଚାହିଁ ବସିଛି ।

ଚାଷୀ ନିଜ ଫସଲ ବଂଚାଇବାକୁ ବିଭିନ୍ନ ରାସାୟନିକ ପ୍ରୟୋଗ କରିସାରିଛି । ତା ସହିତ ବିଭିନ୍ନ ମେଡିସିନ୍ ବି ସିଂଚନ କରୁଛି । ହେଲେ ବି ଫସଲକୁ ସୁରକ୍ଷା ଦେଇପାରୁନି । ଫୁଲଖିଆ ଓ ଛୁଇଁବିନ୍ଧା ପୋକ ଯୋଗୁ ଏକର ଏକର ଫସଲ ନଷ୍ଟ ହେବାକୁ ବସିୀଛି । କିଛି ମେଡିସିନ୍ ମଧ୍ୟ କାମ କରୁନଥିବା ବେଳେ ହାତ ଟେକି ବସିଛି ଚାଷୀକୁଳ । ସେପଟେ ରବି ଫସଲରେ ଏହି ରୋଗପୋକ ଆକ୍ରମଣର କାରଣ ଦିନ ତାପମାତ୍ରା ଓ ପରିବେଶ ପ୍ରଦୁଷଣର ମୁଖ୍ୟ କାରଣ ବୋଲି କହିଛନ୍ତି କୃଷି ଅଧିକାରୀ । ରୋଗପୋକ ଯୋଗୁ କ୍ଷତିରେ ପଡୁଥିବା ଚାଷୀଙ୍କ ପାଇଁ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ଚାଷୀ ମାନେ ଉପକୃତ ହୋଇପାରିବେ ।