ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ ବିକ୍ରି କରିବାକୁ ଯୋଜନା! କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନରେ ଖତ ଖାଉଛି, କିନ୍ତୁ ଆସିପାରୁନାହିଁ ଓଡିଶା

306

କନକ ବ୍ୟୁରୋ : ବିଜୁ ବାବୁଙ୍କ ସ୍ମୃତି ଡାକୋଟା ବିମାନ ଓଡିଶା ଫେରିବ ନା ସ୍କ୍ରାପ ଦରରେ କୋଲକାତାରେ ବିକ୍ରି ଏବେ ଏହାକୁ ନେଇ ଉଠିଛି ସବୁଠୁ ବଡ ପ୍ରଶ୍ନ । କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତିକ ବିମାନ ବନ୍ଦରରେ ପଡି ଖତ ଖାଉଥିବା ବିଜୁ ବାବୁଙ୍କ ଏହି ପ୍ରିୟ ବିମାନକୁ ଭାରତୀୟ ବିମାନବନ୍ଦର କର୍ତୃପକ୍ଷ ସ୍କ୍ରାପ ଦରରେ ବିକ୍ରି କରିବାକୁ ଯୋଜନା କରୁଛନ୍ତି । ଐତିହାସିକ ଅନିଲ ଧୀର କହିଛନ୍ତି ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଏହା ଓଡିଶାକୁ ଆସିପାରିଲାନାହିଁ । ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଡାକୋଟାକୁ ଓଡିଶାକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯିବ ।

ଡାକୋଟା ବିମାନ, ଯାହାକୁ ଦିନେ ବିଜୁ ବାବୁ କୋଲକାତାରୁ ଭୁବନେଶ୍ୱର ଚଳାଉଥିଲେ । ଏବେ ଅସ୍ତିତ୍ୱ ହରାଉଛି ଡାକୋଟା । ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି କୋଲକାତା ବିମାନ ବନ୍ଦରରେ । ବିଜୁ ବାବୁଙ୍କ ସ୍ମୃତି କୁହାଯାଉଥିବା ଏହି ଡାକୋଟା ବିମାନ ଏବେ ଖତ ହେବାକୁ ବସିଛି ।

ସ୍କ୍ରାପ ଦରରେ ବିକ୍ରି ହେବ କି ଡାକୋଟା? ନା ଓଡିଶାକୁ ଫେରିବ ବିଜୁ ବାବୁଙ୍କ ସ୍ମୃତି?ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଭାରତୀୟ ବିମାନ କର୍ତୃପକ୍ଷ ଚିନ୍ତା କରୁଛନ୍ତି ଡାକୋଟା ବିମାନର ଅବଶିଷ୍ଟାଂଶକୁ ସ୍କ୍ରାପ ଦରରେ ବିକ୍ରି କରିବା ପାଇଁ । ଏପରିକି ଖୁବଶୀଘ୍ର ବିକ୍ରି ହେବା ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ । କୋଲତାତା ବିମାନ ବନ୍ଦରରେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଏହି ଡାକୋଟା ବିମାନକୁ ଓଡିଶା ଆଣି କଟକ ଆନନ୍ଦ ଭବନ ସଂଗ୍ରହାଳୟରେ ରଖିବାକୁ ଯୋଜନା କରିଥିଲେ ରାଜ୍ୟ ସରକାର । ହେଲେ ଯୋଜନା ରହିଗଲା ଯୋଜନାରେ । ଅଧିକ ପରିବହନ ଖର୍ଚ୍ଚର ଆଳ ଦେଖାଇ ଏହାକୁ ଓଡିଶା ଅଣାଗଲାନାହିଁ ବୋଲି ଐତିହାସିକ ଅନିଲ ଧୀର । ଏବେ ସ୍କ୍ରାପ ଦରରେ ବିକ୍ରି କରିବାକୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ମସୁଧା କରୁଥିବା ଜଣାପଡିଛି । ଐତିହାସିକ ଅନିଲ ଧୀର ଏଥିପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକାତର ଅଭାବକୁ ଦାୟୀ କରିଛନ୍ତି ।

ଡାକୋଟା ବିମାନକୁ ଓଡିଶା ଫେରାଇ ଆଣିବାକୁ ସରକାର କଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆଗକୁ ବାହାରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅତି ପ୍ରିୟ ଥିଲା ଡାକୋଟା । ତେଣୁ ଏହାକୁ ଫେରାଇବା ଆଣିବାକୁ ସେ ଚେଷ୍ଟା କରିବେ ବୋଲି ଦୃଢତାର ସହିତ କହିଛନ୍ତି ଧର୍ମେନ୍ଦ୍ର । ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ଅବସରରେ ଅନେକ କାର୍ଯ୍ୟକ୍ରମ ରାଜ୍ୟରେ ହେଉଥିବା ବେଳେ ବିଜୁଙ୍କ ଏହି ସ୍ମୃତିକୁ କୋଲକାତାରୁ ଓଡିଶା ଫେରାଇ ଆଣିବାକୁ ସରକାରୀ ସ୍ତରରେ ହୋଇଥିବା ଉଦ୍ୟମ ବର୍ତମାନ ସୁଦ୍ଧା ଫେଲ ମାରିଛି । ସ୍ଥାନାନ୍ତରଣ ନେଇ ପ୍ରକ୍ରିୟା କେବଳ ଚିଠିରେ ସୀମିତ ରହିଛି । ରାଜ୍ୟ ସରକାର ଅନୁଧ୍ୟାନ କରି ଚୁପ ବସିଛନ୍ତି । ହେଲେ ଆସିପାରିନାହିଁ ଡାକୋଟା । ଏବେ ଓଡିଶାକୁ ଡାକୋଟା ବିମାନ ଫେରାଇ ଅଣାଯିବା ଦୁଃସାହସିକ ପାଇଲଟ ଓ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପାଇଁ ସବୁଠୁ ବଡ ଶ୍ରଦ୍ଧାଞ୍ଜଳି ହେବ ବୋଲି କୁହାଯାଉଛି ।