ଚାଳ ଝୁମ୍ପୁଡି ଘରୁ ବିଧାନସଭା…ପଶ୍ଚିମବଙ୍ଗରେ ଟିଏମସିର ଟାଣୁଆ ନେତାଙ୍କୁ ହରାଇଲେ ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ।

708

କନକ ବ୍ୟୁରୋ : ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ଜିତିଲେ ବିଧାନସଭା ନିର୍ବାଚନ । ଚାଳ ଛପର ଘୋଡା ଝାଟିମାଟିର ଗରିବ ଘରୁ ଗଣତନ୍ତ୍ରର ମନ୍ଦିରରେ ପାଦ ଥାପିବେ ଜଣେ ଆଦିବାସୀ ଗରିବ ମା । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ହାରିଯାଇଛି ସତ, କିନ୍ତୁ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି, ବିଜେପିର ଜଣେ ମହିଳା ପ୍ରାର୍ଥୀ ।

ପଶ୍ଚିମବଙ୍ଗର ସାଲତୋରା ସିଟରୁ ଚନ୍ଦନା ବାଉରୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଚନ୍ଦନା ହେଉଛନ୍ତି ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ । ପୂରା ପଶ୍ଚିମବଙ୍ଗରେ ମମତାଙ୍କ ଯାଦୁ ଚାଲିଥିବା ବେଳେ, ଏହି ଆସନରେ କିନ୍ତୁ ଟିଏମସିର ଟାଣୁଆ ପ୍ରାର୍ଥୀ ସନ୍ତୋଷ ମଣ୍ଡଳଙ୍କୁ ୪ ହଜାର ଭୋଟରେ ଚକମା ଦେଇଛନ୍ତି ଚନ୍ଦନା ।

ତେବେ ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଆଉ ଚନ୍ଦନା ମଧ୍ୟ ଲୋକଙ୍କ ହୃଦୟକୁ ଜିଣିବାରେ ସକ୍ଷମ ହୋଇଛନ୍ତି । ନିର୍ବାଚନ ବୈତରଣୀ ପାର ହେବା ପରେ ଚନ୍ଦନା କହିଛନ୍ତି, ସେ କେବେ ଯେ, ଜଣେ ବିଧାୟିକା ହୋଇପାରିବେ, ସ୍ୱପ୍ନରେ ସୁଧା କେବେ ଭାବିନଥିଲେ । ଟିକେଟ୍ ପାଇବା ପରେ ଲୋକଙ୍କ ସମର୍ଥନ ପାଇ ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏବେ ବିଧାୟିକା ବନିବା ପରେ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ଚନ୍ଦନା ।

ଚାଳ ଛପର ଘରେ ଦୁଃଖ କଷ୍ଟରେ ଦିନ କାଟୁଥିବା ଚନ୍ଦନାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ । ତାଙ୍କ ପାଖରେ ଚାଷ କରିବାକୁ ଜମି ଖଣ୍ଡିଏ ବି ନାହିଁ । ଘରେ ୩ଟି ଗାଈ ଓ ୩ଟି ଛେଳି ରଖିଛନ୍ତି ଚନ୍ଦନା । ତେବେ ଶପଥପତ୍ରରେ ଚନ୍ଦନା ଦେଇଥିବା ତଥ୍ୟ ଅନୁଯାୟୀ, ତାଙ୍କ ବ୍ୟାଙ୍କ ଖାତାରେ ରହିଛି ମାତ୍ର ୬,୩୩୫ ଟଙ୍କା । ଏବଂ ସ୍ୱାମୀଙ୍କ ବ୍ୟାଙ୍କ ଖାତାରେ ମାତ୍ର ୧୫୬୧ ଟଙ୍କା ଜମା ଅଛି । ତେବେ ଚନ୍ଦନାଙ୍କ ମୋଟ୍ ସ୍ଥାବର ଏବଂ ଅସ୍ଥାବର ସମ୍ପତିର ମୂଲ୍ୟ ରହିଛି ମାତ୍ର ୩୧,୯୮୫ ଟଙ୍କା ।

ତେବେ ନିର୍ବାଚନରେ ଚନ୍ଦନାଙ୍କ ଏହି ସଫଳତା ବୟାନ କରୁଛି, ନିର୍ବାଚନ ଜିତିବାକୁ ହେଲେ ବିପୁଳ ଟଙ୍କା ଥିବା ଆବଶ୍ୟକ ନୁହେଁ । ଲୋକଙ୍କ ହୃଦୟ ଜିତିପାରିଲେ, ନିର୍ବାଚନ ରଣାଙ୍ଗନରେ ବିଜୟ ସହଜ ହୋଇଯାଏ । ଆଉ ଗରିବ ଘରୁ ବିଧାନସଭାର ରାସ୍ତା ମଧ୍ୟ ଫିଟିଯାଏ । ଚାଳ ଝୁମ୍ପୁଡି ଘରୁ ବିଧାୟିକା ବନି ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଚନ୍ଦନା ।