ଶ୍ରମିକଙ୍କୁ ଦୈନିକ ମଜୁରୀ କ୍ଷେତ୍ରରେ ପ୍ରଥମ ସ୍ଥାନରେ କେରଳ, ଜାଣନ୍ତୁ ସବୁଠାରୁ ପଛରେ ରହିଛି କେଉଁ ରାଜ୍ୟ ?

2,954

କନକ ବ୍ୟୁରୋ : ଦେଶରେ ପ୍ରତି ୧୨ ମିନିଟରେ ଜଣେ ଦୈନିକ ମଜୁରୀଆ ଆତ୍ମହତ୍ୟା କରୁଛନ୍ତି । ଅନେକ ଥର ଆତ୍ମହତ୍ୟା ପଛରେ ଆର୍ଥିକ ଦୂରାବସ୍ଥା ବୋଲି କୁହାଯାଉଛି । ଏହି ସମୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଦୈନିକ ମଜୁରୀ ପ୍ରଦାନକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ୨୦୨୧-୨୨ ର ପରିସଂଖ୍ୟାନ ମୁତାବକ ଶ୍ରମିକଙ୍କୁ ମଜୁରୀ ଦେବା କ୍ଷେତ୍ରରେ ଗୁଜରାଟ ଓ ମଧ୍ୟ ପ୍ରଦେଶ ସବୁଠାରୁ ପଛରେ ରହିଛି । ହେଲେ କେରଳ ଏଭଳି ଏକ ରାଜ୍ୟ ଯେଉଁଠି କି ସରକାର ଶ୍ରମିକମାନଙ୍କ ପାଇଁ ସବୁଠାରୁ ଦୈନିକ ମଜୁରୀ ଅଧିକ ନିର୍ଦ୍ଧାରଣ କରିଛନ୍ତି ।

ଆରବିଆଇର ରିପୋର୍ଟ ମୁତାବକ ୨୦୨୧-୨୨ ରେ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ଦୈନିକ ମଜୁରୀ ହାରାହାରି ୩୨୩.୨ ଟଙ୍କା ଥିବା ବେଳେ ମଧ୍ୟପ୍ରଦେଶର ଗ୍ରାମାଞ୍ଚଳରେ କ୍ଷେତରେ କାମ କରୁଥିବା ଶ୍ରମିକଙ୍କ ମଜୁରୀ ରହିଛି ୨୧୭.୮ ଟଙ୍କା ଓ ଗୁଜରାଟର ୨୨୦.୩ ଟଙ୍କା । ଏଭଳି କ୍ଷେତ୍ରରେ କେରଳ ଏକମାତ୍ର ରାଜ୍ୟ ଏଠାରେ କ୍ଷେତରେ କାମ କରୁଥିବା ମଜୁରୀଆଙ୍କ ଦୈନିକ ମଜୁରୀ ରହିଛି ୭୨୬.୮ ଟଙ୍କା । ଅନ୍ୟ ରାଜ୍ୟମାନଙ୍କ କଥା କୁହାଗଲେ ଓଡିଶାରେ ୨୬୯.୫ ଟଙ୍କା, ତ୍ରିପୁରାରେ ୨୭୦ ଟଙ୍କା, ମହାରାଷ୍ଟ୍ରରେ ୨୮୪.୨ ଟଙ୍କା ଓ ଉତ୍ତରପ୍ରଦେଶରେ ୨୮୮.୦ ଟଙ୍କା ।
ସେହିଭଳି କେରଳ ପରେ ଦୈନିକ ମଜୁରୀ ଦେବା କ୍ଷେତ୍ରରେ ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ତାମିଲନାଡୁ ରହିଛି । ଜାମ୍ମୁ-କାଶ୍ମୀରର ଗ୍ରାମୀଣ ଅଞ୍ଚଳରେ ଦୈନିକ ମଜୁରୀ ୫୨୪.୬ ଟଙ୍କା, ହିମାଚଳପ୍ରଦେଶରେ ୪୫୭.୬ ଟଙ୍କା ଓ ତାମିଲନାଡୁରେ ୪୪୫.୬ ଟଙ୍କା ରହିଛି ।

ଯଦି ଆମେ କନଷ୍ଟ୍ରକସନ ୱାକର୍ସଙ୍କ କଥା କହିବା ତେବେ ଦେଶରେ ହାରାହାରି ମଜୁରୀ ୩୭୩.୩ ଟଙ୍କା ରହିଛି । ଏହି କ୍ଷେତ୍ରରେ ବି ଗୁଜରାଟ ଓ ମଧ୍ୟପ୍ରଦେଶ ସବୁଠାରୁ ପଛରେ ରହିଛି । କେରଳରେ କନଷ୍ଟ୍ରକସନ ୱାକର୍ସମାନେ ଦୈନିକ ମଜୁରୀ ୮୩୭.୭ ଟଙ୍କା ପାଉଥିବା ବେଳେ ମଧ୍ୟପ୍ରଦେଶରେ ୨୬୬.୭ ଟଙ୍କା ଓ ଗୁଜରାଟରେ ୨୯୫.୯ ଟଙ୍କା ପାଇଥାନ୍ତି ।

ଅନ୍ୟପଟେ ବଗିଚାରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଦେଶର ହାରାହାରି ମଜରୁ ୩୨୯.୭ ଟଙ୍କା ରହିଛି । ଏ କ୍ଷେତ୍ରରେ ବି ଗୁଜରାଟ ଓ ମଧ୍ୟପ୍ରଦେଶ ସବୁଠାରୁ ପଛରେ ରହିଛନ୍ତି । ମଧ୍ୟପ୍ରଦେଶରେ ବଗିଚାରେ କାମ କରୁଥିବା ଶ୍ରମିକମାନଙ୍କୁ ୨୦୩.୫ ଟଙ୍କା ମଜରୁୀ ମିଳୁଥିବା ବେଳେ ଗୁଜରାଟରେ ୨୧୬.୫ ଟଙ୍କା ମିଳୁଛି । ଏକ୍ଷେତ୍ରରେ ତାମିଲନାଡୁ ସରକାର ସବୁଠାରୁ ଅଧିକ ୩୬୮.୬ ଟଙ୍କା ମଜୁରୀ ଦେଇଥାନ୍ତି ।

ଅଣ କୃଷିକ୍ଷେତ୍ରରେ କାମ କରୁଥିବା ଦୈନିକ ମଜୁରୀଆଙ୍କ ମଜୁରୀର ଜାତୀୟ ହାର ୩୨୬.୬ ଟଙ୍କା ରହିଛି । ହେଲେ ଏ କ୍ଷେତ୍ରରେ ବି କେରଳ ଆଗରେ ରହିଛି ଓ ଗୁଜରାଟ ଏବଂ ମଧ୍ୟପ୍ରଦେଶ ସବୁଠାରୁ ପଛରେ ରହିଛନ୍ତି । କେରଳ ସରକାର ଅଣ କୃଷିକ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କୁ ୬୮୧.୮ ଟଙ୍କା ମଜୁରୀ ଦେଉଥିବା ବେଳେ ମଧ୍ୟପ୍ରଦେଶ ସରକାର ୨୩୦.୩ ଟଙ୍କା ଓ ଗୁଜରାଟ ସରକାର ୨୫୨.୫ ଟଙ୍କା ଦେଇଥାନ୍ତି ।