୧୪ ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ । ସେପଟେ ଓଡ଼ିଶାରେ ବି ତଳମୁହାଁ ଦୈନିକ ସଂକ୍ରମଣ ।୨୪ ଘଂଟାରେ ଆକ୍ରାନ୍ତ ସଂଖ୍ୟା ୧୦ ହଜାର ତଳେ

429

କନକ ବ୍ୟୁରୋ: କିଛି ଦିନ ୪ ଲକ୍ଷ ଉପରେ ସଂକ୍ରମଣ ଚିହ୍ନଟ ହେବା ପରେ ଟିକେ ଆଶ୍ୱସ୍ତି ଆଣିଲା ଭଳି ଖବର ଆସିଛି । ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୨୯ ହଜାର ୯୪୨ ନୂଆ ଆକ୍ରାନ୍ତ । ସବୁଠୁ ବଡ଼ କଥା ହେଉଛି, ୧୮ ଲକ୍ଷ ୫୦ ହଜାର ୧୧୦ କରୋନା ପରୀକ୍ଷା ହୋଇଥିଲା, ଆଉ ୧୭.୮୩ ପ୍ରତିଶତ ହାରରେ ଚିହ୍ନଟ ହୋଇଛି ପଜିଟିଭ୍ ମାମଲା । ଏପ୍ରିଲ ୨୭ ତାରିଖ ପରଠାରୁ ଅର୍ଥାତ ୨ ସପ୍ତାହ ପରେ ଏହା ହେଉଛି ସବୁଠୁ କମ ଦୈନିକ ସଂକ୍ରମଣ ।
ଭାରତ କରୋନା ମିଟର
ତାରିଖ          ଟେଷ୍ଟ                  ପଜିଟିଭ୍                        ପଜିଟିଭିଟି ହାର
ମେ’ ୧୦:      ୧୮,୫୦,            ୧୧୦ ୩,୨୯,୯୪୨        ୧୭.୮୩%
ମେ’ ୯ :        ୧୪,୭୪,୬୦୬    ୩,୬୬,୧୬୧                  ୨୪.୮୩%
ମେ’ ୮ :        ୧୮,୬୫,୪୨୮    ୪,୦୩,୭୩୮                  ୨୧.୬୪%
ମେ’ ୭ :        ୧୮,୦୮,୩୪୪    ୪,୦୧,୦୭୮                  ୨୨.୧୮%
ମେ’ ୬ :        ୧୮,୨୬,୪୯୦    ୪,୧୪,୧୮୮                  ୨୨.୬୮%
ମେ’ ୫ :        ୧୯,୨୩,୧୩୧     ୪,୧୨,୨୬୨                 ୨୧.୪୪%
ମେ’ ୪ :        ୧୫,୪୧,୨୯୯    ୩,୮୨,୩୧୫                  ୨୪.୮୦%

ପୂରା ସପ୍ତାହର ଟେଷ୍ଟ, ପଜିଟିଭ୍ ଏବଂ ପଜିଟିଭ ହାରକୁ ଭଲ ଭାବେ ଅନୁଧ୍ୟାନ କରନ୍ତୁ । ୪ ଦିନ ଧରି ୪ ଲକ୍ଷ ଉପରେ ସଂକ୍ରମଣ ଚିହ୍ନଟ ହେବା ପରେ ଗତ ଦୁଇ ଦିନ ହେଲା ହ୍ରାସ ପାଇଛି ସଂକ୍ରମଣ । ବିଭିନ୍ନ ରାଜ୍ୟରେ ଲକଡାଉନ, ସଟଡାଉନ ଭଳି କଟକଣା ପରେ ସଂକ୍ରମଣରେ ସାମାନ୍ୟ ଅଙ୍କୁଶ ଲାଗିଲା ବୋଲି କୁହାଯାଉଛି ।

କେବଳ ଦୈନିକ ସଂକ୍ରମଣ ନୁହେଁ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାର ତଳକୁ ଖସିଛି । ଗତ ୨୪ ଘଂଟାରେ ଦେଶରେ ୩,୮୭୬ ଜଣଙ୍କ ମୃତ୍ୟୁ ହୋଇଥିବା ସରକାର ତଥ୍ୟ ଦେଇଛନ୍ତି । ୨ ମାସ ପରେ ପ୍ରଥମ ଥର ପାଇଁ ସକ୍ରିୟ ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଇଛି । ୨୪ ଘଂଟାରେ ୩ ଲକ୍ଷ ୨୯ ହଜାର ୯୪୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୬ ହଜାର ୮୨ ଜଣ । ଫଳରେ ମୋଟ ସକ୍ର୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୧୬ ହ୍ରାସ ପାଇଛି । ଦେଶରେ ସକ୍ରିୟ ସଂକ୍ରମଣ ସଂଖ୍ୟା ପହଁଚିଛି ୩୭,୧୫,୨୨୧ । ଯାହାକି ମୋଟ ସଂକ୍ରମିତ ସଂଖ୍ୟାର ୧୬.୧୬ ପ୍ରତିଶତ । ସେହିପରି ଦେଶର ସୁସ୍ଥହାର ରହିଛି ୮୨.୭୫ ପ୍ରତିଶତ । ଦେଶରେ କରୋନା ଜନିତ ମୃତ୍ୟୁହାର ରହିଛି ୧.୦୯ ପ୍ରତିଶତ ।

ଏପଟେ ଓଡ଼ିଶାରେ ମଧ୍ୟ ୧୦ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । କ୍ରମାଗତ ୫ ଦିନ ଧରି ୧୦ ହଜାର ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ତେବେ ଗତ ୨୪ ଘଂଟାରେ ୯୭୯୩ ପଜିଟିଭ୍ ମାମଲା ଆସିଛି । ୪୬ ହଜାର ୨୪୧ କରୋନା ପରୀକ୍ଷା କରାଯାଇଥିବା ବେଳେ ସଂକ୍ରମଣ ହାର ରହିଛି ୨୧.୧୮ ପ୍ରତିଶତ । ମେ’ ୫ରୁ ୧୦ ମଧ୍ୟରେ ୫ ଥର କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି । ମେ’ ୬ ତାରିଖରେ ୧୨ ହଜାର ଉପରେ ଚିହ୍ନଟ ହୋଇଥିଲେ କରୋନା ରୋଗୀ । ଏହାପରେ ଧୀରେ ଧୀରେ ଖସୁଛି ଦୈନିକ ସଂକ୍ରମଣଙ୍କ ସଂଖ୍ୟା । ଓଡ଼ିଶାର ୪ଟି ଜିଲ୍ଲାକୁ ଛାଡିଦେଲେ ୨୬ ଜିଲ୍ଲା ଏବେ ରେଡ୍ ଜୋନରେ ରହିଛି । ଦେବଗଡ଼, କନ୍ଧମାଳ, ଗଜପତି ଓ ମାଲକାନଗିରି ଜିଲ୍ଲାରେ ହଜାରେ ତଳକୁ ରହିଛି ସକ୍ରିୟ ସଂକ୍ରମଣଙ୍କ ସଂଖ୍ୟା ।

ଓଡ଼ିଶା କରୋନା ମିଟର
ତାରିଖ              ଟେଷ୍ଟ             ପଜିଟିଭ୍         ପଜିଟିଭିଟି ହାର
ମେ’ ୧୦ :        ୪୬,୨୪୧      ୯,୭୯୩         ୨୧.୧୮%
ମେ’ ୯ :           ୪୮,୩୭୭      ୧୦,୦୩୧      ୨୦.୭୩%
ମେ’ ୮ :           ୪୮,୭୫୭       ୧୦,୬୩୫      ୨୧.୮୧%
ମେ’ ୭ :            ୫୦,୮୬୪      ୧୧,୮୦୭      ୨୩.୨୧%
ମେ’ ୬ :            ୫୦,୭୯୯      ୧୨,୨୩୮      ୨୪.୦୯%
ମେ’ ୫ :           ୪୮,୩୧୪       ୧୦,୫୨୧       ୨୧.୭୮%