କନକ ବ୍ୟୁରୋ: ଦାନ ଠାରୁ ପୁଣ୍ୟ ନାହିଁ । ସେ ଟଙ୍କାଟିଏ ହେଉ ବା ହଜାରେ ଟଙ୍କା । ଯଦି ଜଣେ ଦିନ ମଜୁରିଆଙ୍କ ଦାନ ଅର୍ଥ କୁନି କୁନି ପିଲାଙ୍କ ଜ୍ଞାନ ଆହାରଣରେ ଲାଗୁଛି, ତାହା ହେଲେ ତା’ଠାରୁ ମହତ କାର୍ଯ୍ୟ ଆଉ କିଛି ନୁହେଁ । ସେମିତି ଜଣେ ଦାତା ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା କୁଶିଆପାଳ ଗାଁର ଦିନ ମଜୁରିଆ ରାଧେଶ୍ୟାମ ବେହେରା । ନିଜେ ଏକ ଅଟା କଳରେ କାମ କରି କେବେ ୨ ଶହ ତ କେବେ ୫ଶହ ରୋଜଗାର କରନ୍ତି । ସେଥିରେ ପରିବାର ଚଳାଇବା ସହ ନିଜ ଉଦ୍ୟମରେ ଏକ ପାଠାଗାର କରିଛନ୍ତି ।

  • ଦାନ କଲେ ଦିନ ମଜୁରିଆ
  • ପାଠଗାର ପାଇଁ ବଢ଼ାଇଲେ ସହଯୋଗର ହାତ

ବିଦ୍ୟାଳୟର କୁନି କୁନି ପିଲା ପାଠ ପଢିବା ସହ ସଂସ୍କାର ଶିଖିବେ । ଧର୍ମ ପୁସ୍ତକ, ମହାପୁରୁଷଙ୍କ ଜୀବନି ପଢି ଉତ୍ତମ ଚରିତ୍ର ଗଠନ କରିବେ । ସେଥିପାଇଁ ହଳଦିଆ ଶିଶୁ ମନ୍ଦିରରେ ଲାଇବ୍ରେରୀ କରିବା ପାଇଁ ୫ ହଜାର ଟଙ୍କା ଦାନ କରିଛନ୍ତି । ଏଭଳି ମହତ୍ କାର୍ଯ୍ୟ ପାଇଁ ସ୍କୁଲ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଅନେକ ଲୋକ ଅଛନ୍ତି କୋଟି କୋଟି ଟଙ୍କା ରୋଜଗାର କରନ୍ତି । ନିଜେ ବିଳାସମୟ ଜୀବନ କାଟିବାକୁ ପସନ୍ଦ କରନ୍ତି । ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ରାଧେଶ୍ୟମଙ୍କ ଭଳି ନିଜ ପେଟରୁ କାଟି କୁନି କୁନି ପିଲାଙ୍କ ପାଇଁ ଦାନ କରନ୍ତି ।