ରାଜ୍ୟରେ ଦୈନିକ ସଂକ୍ରମଣ ୩୦ ହଜାର ଛୁଇଁପାରେ! ନୂଆ ଷ୍ଟ୍ରେନ ଓ ମ୍ୟୁଟେସନ ଘାତକ ହୋଇପାରେ । ସତର୍କ ନହେଲେ ଉପୁଜିବ ସାଂଘାତିକ ସ୍ଥିତି ।

207

କନକ ବ୍ୟୁରୋ :  ରାଜ୍ୟରେ ଦୈନିକ ସଂକ୍ରମଣ ୩୦ ହଜାର ଛୁଇଁପାରେ। କରୋନା ଭୂତାଣୁର ନୂତନ ଷ୍ଟ୍ରେନ୍(ବ୍ରିଟେନ୍, ଦକ୍ଷିଣ ଆଫ୍ରିକା) ଓ ଡବଲ ମ୍ୟୁଟେସନ୍‌ ସଂକ୍ରମଣକୁ ଅଧିକ ବଢ଼ାଇ ଦେଇପାରେ। ମହାରାଷ୍ଟ୍ରରେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଓଡ଼ିଶାରେ ଏଭଳି ସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେଣୁ ଏବେଠାରୁ ସତର୍କ ନ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଏହାସହ ରାଜ୍ୟବାସୀଙ୍କୁ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଭାରି ପଡ଼ିବ ବୋଲି ସତର୍କ କରାଇଛନ୍ତି ବରି‌ଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର।

ଡା. ନିରୋଜ ମିଶ୍ରଙ୍କ କହିବା କଥା, ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌ ବିଶେଷଭାବେ ଯୁବଗୋଷ୍ଠୀଙ୍କ ସଂକ୍ରମିତ କରୁଛି। ୧୮/୨୦ବର୍ଷରୁ ଅଧିକ ଯୁବପିଢ଼ି ଏହାଦ୍ବାରା ଆକ୍ରାନ୍ତ ହେଉଥିବା ନଜରକୁ ଆସିଛି। ଛୋଟ ପିଲା ମଧ୍ୟ ଏଥିରେ ସଂକ୍ରମିତ ହୋଇପାରନ୍ତି। ବିଶ୍ବରେ ଏ ପର୍ଯ୍ୟନ୍ତ ଛୋଟ ପିଲାଙ୍କ ପାଇଁ ଟିକା ପ୍ରସ୍ତୁତ ହୋଇନାହିଁ। ନିକଟରେ ଫାଇଜର ପକ୍ଷରୁ ୧୨-୧୫ବର୍ଷ ବାଳକ/ବାଳିକାଙ୍କ ପାଇଁ ଟିକା ପ୍ରସ୍ତୁତ ହୋଇଥିବା ସଂପର୍କରେ ତଥ୍ୟ ବାହାରକୁ ଆସିଛି। ତେଣୁ ବାପାମା’ଙ୍କୁ ଏଥିପାଇଁ ଯତ୍ନବାନ ହେବାକୁ ପଡ଼ିବ। ସେହିପରି ରାଜ୍ୟରେ ଏ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌ ଚିହ୍ନଟ ସଂପର୍କରେ ଘୋଷଣା ହୋଇନାହି। ମାତ୍ର ରାଜ୍ୟରେ ଭୂତାଣୁର ଜିନ୍ ଅନୁଶୀଳନ ବହୁତ କମ୍ ହେଉଥିବାରୁ ଏସବୁ ଷ୍ଟ୍ରେନ୍‌ ରାଜ୍ୟରେ ଘୁରି ବୁଲୁଛି କି ନାହିଁ ତାହା ସଂପର୍କରେ ଅଧିକ କହିବା ମୁସ୍କିଲ୍। ତେଣୁ ଏବେଠାରୁ ଲୋକମାନଙ୍କୁ ସତର୍କ ହେବାକୁ ହେବ। ରାଜ୍ୟ ସରକାର କୋଭିଡ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। ଯାହାକି ରାଜ୍ୟ ପାଇଁ ଏକ ଶୁଭ ଖବର।

ଅପରପକ୍ଷରେ ନୂତନ ଷ୍ଟ୍ରେନର ଲକ୍ଷଣ ସଂପର୍କରେ ଡା. ନିରୋଜ ମିଶ୍ର କହିଛନ୍ତି, ଗତବର୍ଷ ଯେଉଁ ଲୋକମାନେ କୋଭିଡ ସଂକ୍ରମିତ ହେଉଥିଲେ ସେମାନଙ୍କ ନିକଟରେ ସ୍ବାଦ ଓ ଆଘ୍ରାଣ ଶକ୍ତିରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଥିଲା। ମାତ୍ର ଏବେ ଅଧିକାଂଶ ସଂକ୍ରମିତଙ୍କ ନିକଟରେ ଏ ଲକ୍ଷଣ ନାହିଁ। ବରଂ ସେମାନଙ୍କଠାରେ ଶରୀରରେ ଯନ୍ତ୍ରଣା, ହାଲିଆ ଲାଗିଆ, ସାମାନ୍ୟ ଜ୍ବର କିମ୍ବା କାଶ, ଚର୍ମ କୁଣ୍ଡାଇ ହେବା ଭଳି ଲକ୍ଷଣ ଦେଖିବାକୁ ମିଳୁଛି। ଏପରିକି ଆରଟି-ପିସିଆର ରିପୋର୍ଟ ନେଗେଟିଭ୍ ରହିଥିବା ଲୋକଙ୍କ ସିଟି ସ୍କାନରେ ପରୀକ୍ଷା କରିବା ପରେ ହିଁ ଭୂତାଣୁ ସଂପର୍କରେ ସ୍ପଷ୍ଟ ହୋଇପାରୁଛି। ଏସବୁ ଦୃଷ୍ଟିରୁ ରାଜ୍ୟ ସରକାର ଇନଡୋରରେ ବହୁ ସଂଖ୍ୟାରେ ଲୋକ ଏକାଠି ହେବା କିମ୍ବା ଧର୍ମାନୁଷ୍ଠାନରେ ଲୋକମାନଙ୍କୁ ଏକାଠି ହେବାକୁ ବାରଣ କରିବା ଉଚିତ୍ ବୋଲି ସେ କହିଛନ୍ତି।