୪ମାସ ପରେ ଦେଶରେ ସର୍ବାଧିକ ଦୈନିକ ସଂକ୍ରମଣ, ୨୪ଘଂଟାରେ ୮୪୧ ସଂକ୍ରମିତ ଚିହ୍ନଟ

127

କନକ ବ୍ୟୁରୋ : ଗତ କିଛି ଦିନ ହେବ ଦେଶରେ ଏଚ୩ଏନ୨ ଇନଫ୍ଲୁଏଞ୍ଜା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଭିତରେ ପୁଣି ଥରେ କାୟା ମେଲାଉଛି କରୋନା । ୪ମାସ ପରେ ଦେଶରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେବାପରେ ଚିନ୍ତା ବଢିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ୨୪ ଘଂଟା ଭିତରେ ଦେଶରୁ ୮୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି   । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କରୋନା ସଂକ୍ରମଣ ବୃଦ୍ଧି ପଛରେ ରହିଛି କରୋନାର ନୂଆ ଭାରିଆଣ୍ଟ ଏକ୍ସବିବି.ୱାନ.ୱାନସିକ୍ସ । ଏବେ ସୁଦ୍ଧାର ଭାରତରୁ ଏହି ଭ୍ୟାରିଆଣ୍ଟରେ ୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ମହାରାଷ୍ଟ୍ର, ଗୁଜରାଟ,ମଧ୍ୟପ୍ରଦେଶରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେପଟେ ୨୪ ଘଣ୍ଟା ମଧ୍ୟରେ ଝାଡଖଣ୍ଡ ଓ ମହାରାଷ୍ଟ୍ର ଏବଂ କେରଳରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଗୋଟେପଟେ କରୋନା ମାମଲା ବଢୁଛି ଅନ୍ୟପଟେ ଭୟ ଆଣିଛି ଇନଫ୍ଲୁଏଞ୍ଜା ଭାଇରସ । ଦେଶରେ ଏବେ ସୁଦ୍ଧାର ୯ଜଣଙ୍କ ଜୀବନ ନେଇସାରିଛି ଏହି ଭାଇରସ । ସ୍ଥିତିକୁ ଦୃଷ୍ଟିରେ ରଖି ଯେଉଁ ରାଜ୍ୟରେ ସଂକ୍ରମଣ ବଢୁଛି ସେଠାରେ ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା,କର୍ଣ୍ଣାଟକ, ପୁଡୁଚେରୀ, ତାମିଲନାଡୁ ଆଦି ବିଭିନ୍ନ ସ୍ଥାନରେ ଇନଫ୍ଲୁଏଞ୍ଜା ମାମଲା ବଢିବାରେ ଲାଗିଛି ।