ଓଡ଼ିଶାରେ କମୁଛି ଦୈନିକ କରୋନା ସଂକ୍ରମଣ । ପଢନ୍ତୁ, କଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର?

237

କନକ ବ୍ୟୁରୋ: ଗତ କିଛି ଦିନ ହେଲା ରାଜ୍ୟର କରୋନା ମିଟର ୧୦ ହଜାର ଉପରେ ରହୁଥିବାବେଳେ ଆଜି ତଳକୁ ଖସିଛି । ସେହିପରି ଟେଷ୍ଟ ପଜିଟିଭିଟି ରେଟ୍ ମଧ୍ୟ ୧୪ ପ୍ରତିଶତ ତଳକୁ ଖସିଛି । ତେବେ ଖୋର୍ଦ୍ଧା ଓ ସୁନ୍ଦରଗଡର ସଂକ୍ରମଣ ହାର ୨୫ ପ୍ରତିଶତ ଉପରେ ରହିଛି । ରାଜ୍ୟରେ ସକ୍ରିୟ ଆକାନ୍ତଙ୍କ ସଂଖ୍ୟା ୮୯ ହଜାର ଟପିଛିି । ଯାହାକି ଚିନ୍ତାର କାରଣ ହୋଇଛି । ଅନ୍ୟପଟେ ଦେଶରେ ପୁଣି ଥରେ ଉପର ମୁହାଁ ହୋଇଛି କରୋନା ମିଟର ।

ଗତ ୫ ଦିନର କରୋନା ମିଟର ଉପରେ ନଜର ପକାଇଲେ ଜଣାପଡିବ ଯେ, ଦୁଇ ଦିନ ହେଲା ସଂକ୍ରମଣ ସଂଖ୍ୟା କମିଛି, ସଂକ୍ରମଣ ହାର ମଧ୍ୟ କମ ରହିଛି । ୧୪ ପ୍ରତିଶତ ତଳକୁ ଖସିଛି ଟେଷ୍ଟ ପଜିଟିଭ୍ ରେଟ୍ ବା ସଂକ୍ରମଣ ହାର । ୨୪ ଘଣ୍ଟା ମଧ୍ୟରେ ୯ ହଜାର ୮୩୩ ନୂଆ କରୋନା ପଜିଟିଭ୍ ମାମଲା ଆସିଛି । କିଛି ଦିନ ହେଲା ଯେଉଁ ଗତିରେ ଦୈନିକ ସଂକ୍ରମଣ ବଢୁଥିଲା, ସେଥିରେ ସାମାନ୍ୟ ବ୍ରେକ୍ ଲାଗିଛି ।

ଖୋର୍ଦ୍ଧାରେ ମଧ୍ୟ ଦୈନିକ ସଂକ୍ରମଣ ତିନି ହଜାର ତଳକୁ ଖସିଛି । ଗୋଟିଏ ଦିନରେ ଖୋର୍ଦ୍ଧା ଜିଲ୍ଲାରୁ ୨ ହଜାର ୯୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୧ଶହ ୩୪, କଟକରୁ ୭୭୪, ମୟୂରଭଞ୍ଜରୁ ୨୯୫, ନୟାଗଡ଼ରୁ ୨୯୨, ବାଲେଶ୍ୱରରୁ ୨୮୬, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସଂକ୍ରମଣ ହାର ରହିଛି ୨୫.୯ ପ୍ରତିଶତ ଏବଂ ସୁନ୍ଦରଗଡ଼ରେ ସଂକ୍ରମଣ ହାର ୨୫ ପ୍ରତିଶତ ରହିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସକ୍ରିୟ ମାମଲା ୮୯ ହଜାର ଟପିଛିି । ରାଜ୍ୟରେ ସକ୍ରିୟ ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଟେଷ୍ଟିଂ କମାଯାଇନି, ଗାଇଡଲାଇନ ଅନୁସାରେ କରୋନା ପରୀକ୍ଷା କରାଯାଉଛି ।

ଅନ୍ୟପଟେ ଗତ ୨୪ ଘଣ୍ଟା ଭିତରେ ଦେଶରେ ୩ ଲକ୍ଷ ୪୭ ହଜାର ୨୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୨୯ ହଜାର ୭୨୨ ଅଧିକ ମାମଲା ଆସିଛି । ସକ୍ରିୟ ମାମଲା ୨୦ ଲକ୍ଷ ପାର କରିଛି । ସେହିପରି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୬୯୨କୁ ବୃଦ୍ଧି ପାଇଛି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମାସ୍କ ବ୍ୟବହାର ନେଇ ଗାଇଡଲାଇନ୍ ଜାରି କରିଛି ।

ମାସ୍କ ବ୍ୟବହାର ନେଇ ମାର୍ଗଦର୍ଶିକା

  • ୫ ବର୍ଷ କିମ୍ବା ତା’ଠାରୁ କମ୍ ବୟସର ଶିଶୁଙ୍କୁ ମାସ୍କ ପିନ୍ଧିବା ମନା
  • ବାପା-ମାଆଙ୍କ ତତ୍ତ୍ୱାବଧାନରେ ୬ରୁ ୧୧ ବର୍ଷର ପିଲା ପିନ୍ଧିବେ ମାସ୍କ
  • ତେବେ ସୁରକ୍ଷିତ ଭାବେ ମାସ୍କ ପିନ୍ଧିବା ପାଇଁ ସକ୍ଷମ ହୋଇଥିବା ଜରୁରୀ
  • ବୟସ୍କଙ୍କ ଭଳି ୧୨ ବର୍ଷରୁ ଅଧିକ ପିଲା ବ୍ୟବହାର କରିବେ ମାସ୍କ
  • ମାସ୍କ ଛୁଇଁବା ବେଳେ ସାବୁନରେ କିମ୍ବା ସାନିଟାଇଜରରେ ହାତ ସଫା କରିବା ଆବଶ୍ୟକ