ଦହିବରା ଖାଇବେ, ଦାସକାଠିଆ ଶୁଣିବେ । ଗ୍ରାହକଙ୍କ ମନୋରଞ୍ଜନ ପାଇଁ ଢଗ କହୁଛନ୍ତି ଦୋକାନୀ, ଜମୁଛି ଭିଡ । 

268

କନକ ବ୍ୟୁରୋ: ତାଙ୍କ ଦାସକାଠିଆ ଶୁଣି ରହିଯାଏ ପାଦ, ଅଟକିଯାଏ ଗାଡି । କାନ ଯୁଆଡେ ଟାଣିନିଏ ମନ ବି ସିଆଡେ ଟାଣିନିଏ ଆଉ ହାତଗୋଡ ଦୌଡେ ଦହିବରା ଦୋକାନ ଆଡକୁ , ଅଭୟ ଭାଇଙ୍କ ଜଳଖିଆ ଦୋକାନ ପାଖକୁ । ଯେଉଁଠି ଦାସକାଠିଆର ତାଳେ ତାଳେ ଲୋକଙ୍କୁ ଦମଦାର ଦହିବରା ଦେଉଛନ୍ତି ଭୁବନେଶ୍ୱରର ଅଭୟ ମାଣ୍ଡୋଇ । ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପାଖ ରାସ୍ତା କଡରେ ଟିଫିନ୍ ଷ୍ଟଲଟିଏ କରିଛନ୍ତି ଅଭୟ । ଆଉ ଲୋକଙ୍କୁ ଭଳିକି ଭଳି ଖାଦ୍ୟ ଖୁଆଇବା ସହ ଦାସକାଠିଆ ବଜାଇ, ଢଗଢମାଳି କହି ମନୋରଞ୍ଜନ କରୁଛନ୍ତି । ଯେଉଁଥିପାଇଁ ତାଙ୍କ ପାଖରେ ଜମୁଛି ଲୋକଙ୍କ ଭିଡ ।

ପ୍ରଭୁ ଲିଙ୍ଗରାଜଙ୍କୁ ସ୍ମରଣ କରି ଅଭୟ ଆରମ୍ଭ କରନ୍ତି ବେପାର । ଦହିବରାରେ ଯେମିତି ଆଳୁଦମ, ସେଓ, ଦହି ସହ ହାଲକା ଲଙ୍କାର ଛୁଙ୍କ ଦିଆଯାଏ ସେ ବି ଗରାଖଙ୍କୁ ଗରମା ଗରମ ଖାଇବା ଦେଇ ତାଙ୍କ ଗୀତର ଛୁଙ୍କ ଦିଅନ୍ତି । ଆଉ ଏହି କଳାକୌତୁକ ପାଇଁ ଗ୍ରାହକଙ୍କ ପ୍ଲେଟରୁ କେତେବେଳେ ଜଳଖିଆ ସରିଯାଏ ଜମା ଜଣାପଡେନି । ଭିନ୍ନ ଏକ ଢଙ୍ଗରେ ବେପାର ଭିତରେ ବି ଲୋକକଳାକୁ ବଞ୍ଚାଇ ରଖିଛନ୍ତି ଅଭୟ ।

ଆଜିର ଏ ଆଧୁନିକ ଦୁନିଆରେ ଧିରେଧିରେ ହଜିଯାଉଛି ଲୋକ ସଙ୍ଗୀତ, ଲୋକକଳା । ଯେତେବେଳେ ଆଧୁନିକ ସମାଜର ମଣିଷ ଡିଜେ ଡ୍ୟାନ୍ସ ଓ ମ୍ୟୁଜିକର ତାଳେତାଳେ ମସଗୁଲ ହେଉଛି ସେତେବେଳେ ବ୍ୟବସାୟ ଭିତରେ ନିଜ କଳା, ନିଜ ଇଚ୍ଛା ଆଗ୍ରହକୁ ଉଜ୍ଜୀବିତ ରଖିଛନ୍ତି ଅଭୟ । ଦାସକାଠିଆ ବୋଲି କିଛି ବାଦ୍ୟଯନ୍ତ୍ର ଅଛି ତାହା ଆଗାମୀ ପିଢିଙ୍କୁ ଅବଗତ କରାଇବାକୁ ଅଭୟ ସବୁଦିନ ଏ ବାର୍ତ୍ତା ବାଣ୍ଟି ଚାଲିଛନ୍ତି । ଆଉ ଗ୍ରାହକଙ୍କୁ ମନୋରଞ୍ଜନ କରେଇବାରେ ତାଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କ ସହଯୋଗୀ ।