କନକ ବ୍ୟୁରୋ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ । କାରଣ ବାହାର ରାଜ୍ୟକୁ ରୋଜଗାର ପାଇଁ ଯାଇଥିବା ମଣିଷଟି ଶବ ହୋଇ ଫେରିଛି । ମୃତଦେହ ଗାଁରେ ପହଂଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗଂଜାମ ଧରାକୋଟ ଥାନା ଅନ୍ତର୍ଗତ ଖଇରପୁଟି ଗାଁର ମଞ୍ଜୁଳା ନାହାକ । ପରିବାର ମୁହଁରେ ଦାନା ଦେବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଦଲାଲର ଶୋଷଣର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତ ମଙ୍ଗଳବାର ରାତିରେ ମା’କୁ କେହି ମାରି ଦେଇଥିବା ଘରକୁ ଫୋନ କରି ଖବର ଦେଇଥିଲା ଝିଅ । କାମ କରିବାକୁ ନେଇଥିବା ଦଲାଲ ସାହାଯ୍ୟ କରିବା ତ ଦୂରର କଥା ମା’ର ଶବ ଗାଁକୁ ନେଇଯାଅ ବୋଲି ଭୟ ଦେଖାଇଥିଲା । ଶେଷରେ କିଛି ଉପାୟ ନପାଇ ସେଠାରେ ରହୁଥିବା ଓଡ଼ିଆ ଶ୍ରମିକଙ୍କ ସହଯୋଗରେ ମା’ର ମୃତଦେହ ଗାଁକୁ ନେଇ ଫେରିଛି ନାବାଳିକା ଝିଅ ।

Advertisment

ମଞ୍ଜୁଳାଙ୍କ ପରିବାର କହିଲେ ସ୍ୱାମୀ, ଦୁଇ ପୁଅ ଓ ଝିଅ । ସ୍ୱାମୀ ମଙ୍ଗୁଳୁ ନାହାକ ଗାଁରେ ମୂଲ ମଜୁରି ଲାଗୁଥିବା ବେଳେ ମଞ୍ଜୁଳା ୬ ମାସ ତଳେ ବଡ଼ ଝିଅ ଓ ସାନ ପୁଅକୁ ଧରି ହାଇଦ୍ରାବାଦ କାମ କରିବାକୁ ଯାଇଥିଲେ । ସେଠାରେ ପଇସା ମିିଳିବା ତ ଦୂରର କଥା ଦି ଓଳି ଦିମୁଠା ଖାଇବାକୁ ନପାଇ ଭୋକ ଉପାସରେ କାମ କରିବାକୁ ପଡ଼ୁଥିଲା । ଅନେକ ସମୟରେ ନିର୍ଯାତନାର ଶିକାର ହେବକୁ ପଡ଼ୁଥିଲା ବୋଲି କହିଛନ୍ତି ମଞ୍ଜୁଳାଙ୍କ ଝିଅ । ଏପଟେ ମଞ୍ଜୁଳାଙ୍କ ସ୍ୱାମୀ ହତ୍ୟା ଅଭିଯୋଗ ଆଣିବା ସହ ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି ।

ଖବର ପାଇ ଘଟଣାସ୍ଥଳରେ ଧରାକୋଟ ଥାନା ଅଧିକାରୀ ଗାଁରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିବା ସହ ଶବ ଜବତ୍ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି । ଶବ ନେଇ ଆସିଥିବା ଆମ୍ବୁଲାନ୍ସ ଓ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି ।