କନକ ବ୍ୟୁରୋ : ଓଡ଼ିଶା ଜମିରେ ବାରମ୍ବାର ଦାଦାଗିରି କରୁଛି ପଡୋଶୀ ସରକାର । ସୀମାନ୍ତବର୍ତୀ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ଉଦ୍ୟମ କରୁଛନ୍ତି ପଡୋଶୀ ରାଜ୍ୟର ଅଧିକାରୀ । ପୁଣି କୋରାପୁଟର ସୀମାନ୍ତବର୍ତୀ ଅଞ୍ଚଳରେ ଜମି ପଟା ବାଂଟୁଛି ଆନ୍ଧ୍ର ସରକାର । କୋଟିଆ, ନାରାୟଣପାଟଣା ପରେ ଏବେ ନନ୍ଦପୁର ବ୍ଲକର ସୀମାନ୍ତ ରାଇପାଡ଼ୁ ଗାଁ ଉପରେ ରହିଛି ଆନ୍ଧ୍ର ପ୍ରଶାସନର ନଜର । ଏଠାରେ ଓଡ଼ିଶାର ଜଙ୍ଗଲ ଜମି କିନ୍ତୁ ଆନ୍ଧ୍ର ବାଂଟୁଛି ପଟ୍ଟା । କେବଳ ପଟ୍ଟା ବାଂଟୁ ନାହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଧ୍ୟ ତିଆରି କରୁଛି । ଗୋଟିଏ କି ୨ଟି ନୁହଁ ଏକା ସଙ୍ଗେ ୧୩ଟି ଘର ତିଆରି କରୁଛି । ଏହି ଦୃଶ୍ୟଟି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳା ନନ୍ଦପୁର ବ୍ଳକ୍ର ରାଇପାଡ଼ୁ ଗାଁରେ । ଜିଲ୍ଳା ପ୍ରଶାସନ ପଦକ୍ଷେପ ନନେଲେ ମାଟି ବଂଚାଅ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ଉତ୍କଳ ସମ୍ମିଳନୀ ।
ସେପଟେ ଜମି ପଟା ବଂଟା ଖବର ପାଇଁ ଘଟଣାସ୍ଥଳରେ ପହଂଚି ଆନ୍ଧ୍ର କାମକୁ ବନ୍ଦ କରିଛନ୍ତି ସ୍ଥାନୀୟ ଅଧିକାରୀ । ନନ୍ଦପୁର ବ୍ଲକର ଦେଢ଼ କିମି ଭିତରକୁ ପଶି ଆସି ଓଡ଼ିଶା ଜମିରେ ନିଜର ପଟ୍ଟା ବାଂଟିଛନ୍ତି ଆନ୍ଧ୍ର ଅଧିକାରୀ । କୋଟିଆ ବିବାଦ ନତୁଟୁଣୁ ଆଉ ଏକ ବିବାଦ ଛିଡ଼ା କରିଛି ପଡୋଶୀ ରାଜ୍ୟ । ଏହି ଗାଁର ୧୩ଟି ପରିବାରକୁ ଜଙ୍ଗଲ ଜମି ପଟ୍ଟା ବାଣ୍ଟିଛି । କେବଳ ପଟ୍ଟା ବାଣ୍ଟୁନି, ତେଲୁଗୁ ଫଳକ ମଧ୍ୟ ଲଗାଇଛି, ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପାସବୁକ ମଧ୍ୟ ବାଣ୍ଟିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ଚାଲିଥିବା ବେଳେ ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ବିଡ଼ିଓ ଓ ତହସିଲଦାର କାମକୁ ବନ୍ଦ କରିଛନ୍ତି ।