ଦିନେ ଇନଫୋସିସରେ ସଫାକରୁଥିଲେ ଟଏଲେଟ୍: ଗାଁରେ କରୁଥିଲେ ଦିନ ମଜୁରିଆ କାମ, ଏବେ ୨କୋଟି ଟଙ୍କା କମ୍ପାନୀର ମାଲିକ

687

କନକ ବ୍ୟୁରୋ: ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ । ଯଦି ତୁମେ ସଂଘର୍ଷ କରିଛ ତେବେ ସଫଳତା ନିଶ୍ଚେ ପାଇବ । ଏହାର ଏକ ବଡ ଉଦାହରଣ ହେଉଛନ୍ତି ମହାରାଷ୍ଟ୍ରର ଦାଦା ସାହେବ ଭଗତ । ତାଙ୍କ କାହାଣୀ ଶୁଣିଲେ ଆପଣ ବି ପ୍ରେରଣା ପାଇବେ । ଆଉ ଜାଣିପାରିବେ ଏ ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ତେବେ ଆସନ୍ତୁ ଜାଣିବା କିଏ ଦାଦା ସାହେବ ଭଗତ? ଆଉ ତାଙ୍କର ସଫଳତାର କାହାଣୀ ।

ଦାଦା ସାହେବ ଭଗତ । ମହାରାଷ୍ଟ୍ରର ଏକ ପଛୁଆ ଅଞ୍ଚଳର ବାସିନ୍ଦା । ଦିନ ଥିଲା ତାଙ୍କର ଘରର ସମସ୍ତ ଲୋକ କ୍ଷେତରେ ଆଖୁ କାଟିବାକୁ ଅନ୍ୟ ଗାଁକୁ ଚାଲିଯାଆନ୍ତି । ସେ କହନ୍ତି କି ତାଙ୍କ ମା ଗର୍ଭବତୀ ଥିବା ସମୟରେ ଆଖୁ ବୋଝ ମୁଣ୍ଡରେ ମୁଣ୍ଡେଇ କାମ କରନ୍ତି । ଦାଦା ସାହେବ ଯେତେବେଳେ ଦ୍ୱାଦଶ ପଢୁଥିଲେ ସେତେବେଳେ ତାଙ୍କ ବାପାଙ୍କ ସହ ମିଶି ସେ କୂଳ ଖୋଳିଥିଲେ, ଯେଉଁଥିପାଇଁ ତାଙ୍କ କୌଣସି ବି ପାରିଶ୍ରମିକ ମିଳିନଥିଲା । ହେଲେ ଆଜି ସେହି ବ୍ୟକ୍ତି ୨ କୋଟି ଟଙ୍କା କମ୍ପାନୀର ମାଲିକ ଆଉ ଅନ୍ୟକୁ ଦେଉଛନ୍ତି ରୋଜଗାର ।

ଦ୍ୱାଦଶ ପାସ କରିବା ପରେ ଡିପ୍ଲୋମା କୋର୍ସରେ ଆଡମିସନ ନେଇଥିଲେ ଦାଦା ସାହେବ । ପରେ ତାଙ୍କୁ ଟାଟାରେ ୪ ହଜାର ଟଙ୍କାରେ ଚାକିରି ମିଳିଥିଲା । ହେଲେ ଟାଟାରେ କାମ କରୁଥିବା ସମୟରେ ଜଣେ ତାଙ୍କୁ ୯ ହଜାର ଟଙ୍କାରେ ଇନଫୋସିସରେ କାମ କରିବାର ଅଫର ଦେଇଥିଲେ । ହେଲେ ତାହା ଥିଲା ଅଫିସ ବଏର ଚାକିରି । ଟଙ୍କାର ଅଭାବ ପାଇଁ ସେ ଏହି କାମ ପାଇଁ ଇନଫୋସିସ ଜଏନ କରିଥିଲେ । ସେଠାରେ ତାଙ୍କୁ ଝାଡୁ, ପୋଛା କରିବା ସହ ଟଏଲେଟ ସଫା କରିବାକୁ ବି ପଡୁଥିଲା । ଏହି କାମ କରୁଥିବା ସମୟରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଗ୍ରାଫିକ୍ସ ଡିଜାଇନ ଶିଖିବାକୁ କହିଥିଲେ, ଆଉ ଏଥିରେ ଭଲ ରୋଜଗାର ହେବ ବୋଲି ମଧ୍ୟ ଆଶ୍ୱସନା ଦେଇଥିଲେ ।

ଦାହାସାହେବ କହିଥିଲେ ଇନଫୋସିସକୁ ଆସିବା ପୂର୍ବରୁ ସେ କେବେ ବି କମ୍ପ୍ୟୁଟର ଦେଖିନଥିଲେ । ବନ୍ଧୁଙ୍କ କଥା ମାନି ସେ ଗ୍ରାଫିକ୍ସ ଡିଜାଇନ ଶିଖିଥିଲେ ଆଉ ଅଫିସ ବଏ ଚାକିରି ଛାଡି ଗୋଟିଏ ଗ୍ରାଫିକ୍ସ କମ୍ପାନୀରେ ଚାକିରି କରିଥିଲେ । ଏହାରି ମଧ୍ୟରେ ଗ୍ରାଫିକ୍ସ ସମ୍ବନ୍ଧୀୟ ସେ ଅନେକ କାମ ଶିଖିଥିଲେ । ୩/୪ ବର୍ଷ ଏଠାରେ କାମ କରିବା ପରେ ତାଙ୍କର ଏକ ଦୁର୍ଘଟଣା ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ଘରକୁ ଫେରିବାକୁ ପଡିଥିଲା । ଆଉ ଘରେ ବସି ଲାପଟପରେ ଟେମ୍ପଲେଟ କରି ଅନଲାଇନ ବିକ୍ରି କରିଥିଲେ । ଯେଉଁଥିରେ ତାଙ୍କୁ ଚାକିରି ଠାରୁ ଅଧିକ ଟଙ୍କା ମିଳିଯାଉଥିଲା । ତେଣୁ ସେ ନିଜର ଏକ ଗ୍ରାଫିକ୍ସ କମ୍ପାନୀ ଖୋଲିଥିଲେ । ଆଉ ଏହି କମ୍ପାନୀ ବର୍ତ୍ତମାନ ୨କୋଟି ଟଙ୍କାର ଟର୍ଣ୍ଣଓଭର ଦେଉଛି । ସେ ଆଶା ରଖିଛନ୍ତି ଏହି ବର୍ଷ ଏହା ବଢି କି ୧୦ କୋଟି ଟଙ୍କା ହେଇଯିବ ।