କନକ ବ୍ୟୁରୋ : ଡକାୟତିର ନୂଆ ତରିକା ନିର୍ବାଚନ ପ୍ରଚାର । ନିର୍ବାଚନ ପ୍ରଚାରକୁ ଆଢୁଆଳ କରି ହୋଇଛି ଡକାୟତି । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଝାହାଜଭଟ୍ଟା ସାହିରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ୩ ଜଣ ମୁଖା ପିନ୍ଧା ଦୁବୁର୍ତ୍ତ ଜଣେ ମହିଳାଙ୍କ ଘରେ ନିର୍ବାଚନ ପ୍ରଚାର ବାହାନାରେ ପଶି ବେକରେ ଛୁରୀ ଲଗାଇ ସୁନା ଓ ଟଙ୍କା ନେଇଯାଇଥିବା କୋଡ଼ିଙ୍ଗା ଥାନାରେ ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ. ଝାହାଜଭଟ୍ଟା ସାହିର ମୁକୁନ୍ଦଙ୍କ ସ୍ତ୍ରୀ ପିଙ୍କି ଘରେ ସନ୍ଧ୍ୟା ସମୟରେ ଏକୁଟିଆ ଥିବା ବେଳେ ୩ ଜଣ ମୁଖା ପିନ୍ଧା ଦୁବୁର୍ତ୍ତ ଆସିଥିଲେ । ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଛୁ ଓ ଆମ ଚିହ୍ନରେ ଭୋଟ ଦେବ କହି କବାଟ ବାଡେଇ ଡାକିଥିଲେ ଦୁବୃର୍ତ୍ତ । । ପିଙ୍କି କବାଟ ଖୋଲିବା ବେଳେ ତିନି ଜଣ ଦୁବୁର୍ତ୍ତ ବେକରେ ଛୁରୀ ଲଗାଇ ଆଲମାରୀର ଚାବି ମାଗିଥିଲେ । ପାଟି କଲେ ଜୀବନରେ ମାରିଦେବୁ କହିବାରୁ ମହିଳା ଜଣକ ଆଲମାରି ଚାବି ସେମାନଙ୍କୁ ଦେଇଥିଲେ । ଦୁବୁର୍ତ୍ତ ମାନେ ଆଲମାରିରୁ ଦେଢ଼ ଭୋରି ଓଜନର ସୁନା ହାର , ହଳେ ସୁନାର କାନ ଫୁଲ ଓ ନଗଦ ୭୦ ହଜାର ଟଙ୍କା ଲୁଟି ନେଇଥିବା ଏତଲାରେ ଦର୍ଶାଇଛନ୍ତି ମହିଳା । ଏତଲା ପାଇ କୋଡ଼ିଙ୍ଗା ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଚାର ବାହାନାରେ ଏଭଳି ଡକାୟତି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି ।