ନିୟମ ମାନିଲେନି ବୋଲି…ଚେକିଂ ନାଁରେ କନେଷ୍ଟବଳଙ୍କ ଦାଦାଗିରି: ବିଚ୍ ରାସ୍ତାରେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ମାଡ ମାରି ଫଟାଇଦେଲେ ମୁହଁ

କିଛି ଦୂରରେ ଥିଲେ ବି ରୋକିଲେ ନାହିଁ ଫାଣ୍ଡି ଅଧିକାରୀ

139

କନକ ବ୍ୟୁରୋ: ବର୍ତ୍ତମାନ ସବୁଆଡେ ପାଳନ ହେଉଛି ସଡକ ସୁରକ୍ଷା ସପ୍ତାହ । ଲୋକମାନଙ୍କୁ ସଚେତନ କରାଯାଉଛି । ହେଲମେଟ ପିନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରାଯାଉଛି ଓ ନପିନ୍ଧିଥିବା ଅମାନିଆଙ୍କୁ ସଚେତନ କରିବା ସହ ତାଗିଦ୍ ମଧ୍ୟ କରାଯାଉଛି । ହେଲେ ଖଲ୍ଲିକୋଟରୁ ଆସିଛି ଅଭାବନୀୟ ଚିତ୍ର ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଖଲ୍ଲିକୋଟ୍ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ତରଫରୁ ଗାଡି ଚେକିଂ କରାଯାଉଥିବା ବେଳେ କନେଷ୍ଟବଳ ସୁଦର୍ଶନ ଜେନାଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ସୁଦର୍ଶନ ଜଣେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ଚାପୁଡା ମାରିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏପରିକି ପୋଲିସ ବାବୁଙ୍କ ମାଡରେ ଯୁବକଙ୍କ ମୁହଁ ଫାଟି ଯାଇ ରକ୍ତ ବାହାରିଛି ।

ତେବେ ପ୍ରଶ୍ନ ଉଠୁଛି ଯୁବକ ଜଣଙ୍କ ଯଦି କିଛି ନିୟମ ଭାଙ୍ଗି ଥିଲେ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିଥାନ୍ତା । ହେଲେ ସେଭଳି କିଛି ନକରି ବିଚ୍ ରାସ୍ତା ଉପରେ ମାଡ ମାରିବାକୁ ପୋଲିସକୁ ଏହି ଅଧିକାର ଦେଲା କିଏ । ସବୁଠାରୁ ବଡ କଥା ହେଉଛି, ଘଟଣାସ୍ଥଳର ମାତ୍ର କିଛି ଦୂରରେ ଫାଣ୍ଡି ଅଧିକାରୀ ଉପସ୍ଥିତ ରହିଥିଲେ ମଧ୍ୟ କନେଷ୍ଟବଳଙ୍କୁ ରୋକିବା ବଦଳରେ ସମ୍ପୃକ୍ତ ଯୁବକଙ୍କୁ ସାଙ୍ଗରେ ନେଇ ଯାଇଥିଲେ ।