ଉତ୍ତରପ୍ରଦେଶର ବାହୁବଳୀ ଡିଏସପି । ନେତା, ମନ୍ତ୍ରୀଙ୍କୁ ଦିଅନ୍ତି ମୁହେଁ ମୁହେଁ ଜବାବ୍

192

କନକ ବ୍ୟୁରୋ: ଏ ହେଉଛନ୍ତି ଉତ୍ତରପ୍ରଦେଶର ଦବଙ୍ଗ ଡିଏସପି ତଥା ରାମପୁରର ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୁଲିସ ଅନୁଜ ଚୌଧୁରୀଙ୍କ କଥା । ନିଜର ଡେୟାରିଙ୍ଗ ନେଚର ପାଇଁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଏହି ପୁଲିସ ଅଫିସର । ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍ ଖାନ୍ଙ୍କୁ ସର୍ବ ସମକ୍ଷରେ ଦେଇଛନ୍ତି ଠିକଣା ଜବାବ୍ । ତାଙ୍କ ବାହାଦୁରୀ ଓ ନିର୍ଭିକ ଅନ୍ଦାଜ ପାଇଁ ତାଙ୍କୁ ପୁରା ୟୁପିର ଜନତା ବାହୁବଳୀ ଡିଏସପି କୁହନ୍ତି ।

ନିକଟରେ ୟୁପି ରାଜପଥରେ ଗାଡି ଚେକିଂ ଚାଲିଥିବାବେଳେ ହାବୁଡରେ ପଡିଯାଇଥିଲେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍ ଖାନ୍ ।ନିଜେ ଅନୁଜଙ୍କ ପାଖକୁ ଚାଲି ଚାଲି ଯାଇ ତାଙ୍କୁ ସପା ସରକାରଙ୍କ ଦୟା କଥା କହିଥିଲେ । ହେଲେ ଏହାକୁ ଖାତିର କରିନଥିଲେ ଅନୁଜ । ସେ ଜଣେ ସଚ୍ଚୋଟ ପୁଲିସ ଅଫିସର ହେବା ସହ ଜଣେ ଖେଳାଳି ମଧ୍ୟ । ସେ ତାଙ୍କ କର୍ତ୍ତବ୍ୟ କରୁଛନ୍ତି, ତା ଛଡା ଜଣେ ଖେଳାଳି କାହାର ଦୟାରେ ବଞ୍ଚେନି ବୋଲି ସଫା ଜବାବ ଦେଇଥିଲେ ଅନୁଜ ଚୌଧୁରୀ । ପୁରା ଚୁପ୍ ହୋଇ ପଳାଇଥିଲେ ଆଜମ ଖାନ୍ ।

ଏବେ ୟୁପିର ରାମପୁର ଜିଲ୍ଲାରେ ସିଓ ସିଟି ଭାବେ କାର୍ଯ୍ୟରତ ଅଛନ୍ତି ଅନୁଜ । କ୍ରୀଡା କ୍ଷେତ୍ରରେ ଦେଶକୁ ତାଙ୍କର ଅବଦାନ ପାଇଁ ତାଙ୍କୁ ପୁଲିସରେ ଡିଏସପି ଭାବେ ନିଯୁକ୍ତି ମିଳିଥିଲା । ଅନୁଜ ଜଣେ ଅନ୍ତର୍ଜାତୀୟ କୁସ୍ତି ଖେଳାଳି । ଖୁବ ପିଲାବେଳୁ କୁସ୍ତିର ରିଙ୍ଗ ଭିତରକୁ ପଶିଥିଲେ ଅନୁଜ । ଆଉ ସେଇ କଅଁଳ ବୟସରୁ ହିଁ ହାତେଇଥିଲେ ପୁରସ୍କାର ପରେ ପୁରସ୍କାର । ତାଙ୍କର ଏହି ଚେଷ୍ଟା ତାଙ୍କୁ ବିଶ୍ୱ ସ୍ତରର ଜଣେ କ୍ଷାତିସମ୍ପନ୍ନ କୁସ୍ତି ଖେଳାଳି କରିପାରିଛି । କାନାଡା ଅଷ୍ଟ୍ରେଲିଆ. ସାଉଥ୍ ଆଫ୍ରିକାରେ ଅନୁଷ୍ଠିତ କମନୱେଲଥ୍ ଗେମରେ ୩ଥର ଗୋଲ୍ଡ ମେଡାଲ, ଚୀନରେ ଅନୁଷ୍ଠିତ ଏସୀଆ ଚାମ୍ପିଅନସିପରେ ସିଲଭର ମେଡାଲ, ଥାଇଲାଣ୍ଡ ଏସୀଆନ୍ ଚାମ୍ପିଅନସିପରେ ବ୍ରୋଞ୍ଚ ମେଡାଲ ଆଣି ପୁରା ଦେଶକୁ ଗୌରବାନ୍ୱିତ କରିଛନ୍ତି ଅନୁଜ ଚୌୁଧୁରୀ । କେବଳ ଏତିକି ନୁହେଁ ଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରି ସିଲଭର ମେଡାଲ ଆଣିବା ସହ ପୁଲିସ ବିଭାଗ ପାଇଁ ଆଣିଛନ୍ତି ଅନେକ ମେଡାଲ ଓ ଟ୍ରଫି ।

କ୍ରୀଡା କ୍ଷେତ୍ରରେ ଦେଶ ପାଇଁ ତାଙ୍କର ଅବଦାନ ଓ କର୍ମକ୍ଷେତ୍ରରେ ତାଙ୍କ ନିଷ୍ଠା ପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର ।
୨୦୦୫ରେ ତାଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଅର୍ଜୁନ ଆୱାର୍ଡ ସମ୍ମାନିତ କରାଯାଇଛି ।ଏହାସହ
୨୦୦୨ରେ ଲକ୍ଷ୍ମଣ ଆୱାର୍ଡ
୨୦୧୬ରେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ୟଶ୍ ଭାରତୀ ଆୱାର୍ଡ
୨୦୦୫ରେ – ୟୁପି କେଶରୀ ଆୱାର୍ଡ ମିଳିଛି ।
୧୯୯୯, ୨୦୦୦, ୨୦୦୧ ବର୍ଷ ପାଇଁ ଲଗାତାର ୩ ଥର ପାଇଁ ଶେର- ଏ- ହିନ୍ଦ ଆୱାର୍ଡ ପାଇଛନ୍ତି ଅନୁଜ
ଏହା ସହ ତାଙ୍କୁ ମିଳିଛି ବୀର ଅଭିମନ୍ୟୁ ସମ୍ମାନ ।

ରାମପୁରର ସିଓ ସିଟି ଭାବେ କାର୍ଯ୍ୟରତ ଲୋକଙ୍କ ପାଖକୁ ଯାଇ ତାଙ୍କର ସମସ୍ୟା ବୁଝିବାକୁ ପସନ୍ଦ କରନ୍ତି । କାମରେ ଯେତିକି କଡା ସାଧାରଣ ଜନତାଙ୍କ ପାଇଁ ସେତିକି ନରମ ମିଞ୍ଜାସର । ତେଣୁ ତାଙ୍କୁ କିଛି ଲୋକ ୟୁପିର ଦବଙ୍ଗ ବୋଲି କହୁଥିବାବେଳେ ଅନେକ ତାଙ୍କୁ ଚୁଲବୁଲ ପାଣ୍ଡେ ବୋଲି ଡାକନ୍ତି ।
ନିଜ ଫିଟନେସ୍ ପାଇଁ ଅନୁଜ୍ କୌଣସି ବଲିଉଡ୍ ଷ୍ଟାରଙ୍କ ଠାରୁ କମ୍ ନୁହଁନ୍ତି । ଫିଟନେସ୍ ପାଇଁ ସଲମାନ୍ ଖାନ୍ ମଧ୍ୟ ତାଙ୍କଚୁ ଫଲୋ କରନ୍ତି ବୋଲି କୁହାଯାଏ । ତାଙ୍କ ସିକ୍ସ ପ୍ୟାକ୍ ଓ ବଡି ଫିଟନେସ୍ ପାଇଁ ଯୁବପିଢିଙ୍କର ସେ ବେଶ୍ ପସନ୍ଦ ।

ୟୁପିରେ ପୋଷ୍ଟିଙ୍ଗ ପରଠାରୁ ଅପରାଧୀ, ନିଶା ବେପାରୀ ଓ ଜୁଆଡିଙ୍କର ଯେମିତି ନିଦ ହଜିଯାଇଛି । ଡ୍ୟୁଟିରେ ଥିବାବେଳେ ନ ଥାଏ ନେତା ମନ୍ତ୍ରୀଙ୍କୁ ଡର ନା ସେମାନଙ୍କ ପ୍ରଭାବରେ ଚାକିରି ହରାଇବାର ଭୟ । ଯାହାର ନଜିର ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏମିତି ପୁଲିସ ଅଫିସରଙ୍କୁ ସାରା ଦେଶ କରୁଛି ସଲାମ ।