କନକ ବ୍ୟୁରୋ : ରାଜ୍ୟ ସରକାର ଶେଷରେ ତାଙ୍କ କର୍ମଚାରୀମାନଙ୍କୁ ବର୍ଦ୍ଧିତ ୫ ପ୍ରତିଶତ ମହଙ୍ଗା ଭତ୍ତା ୨୦୧୯ ଜୁଲାଇ ପହିଲାରୁ ଦେବା ପାଇଁ ରାଜି ହୋଇଛନ୍ତି। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଗତ ଫେବ୍ରୁଆରି ମାସରେ ସରକାର କର୍ମଚାରୀ ଓ ପେନସନ ଭୋଗୀମାନଙ୍କ ମହଙ୍ଗାଭତ୍ତା ୫ ପ୍ରତିଶତ ବଢ଼ାଇବାକୁ ଘୋଷଣା କରିଥିଲେ ମଧ୍ୟ ଏହାକୁ ୨୦୧୯ ଜୁଲାଇ ପହିଲା ପରିବର୍ତ୍ତେ ୨୦୨୦ ଜାନୁଆରି ପହିଲାରୁ ଦେବାକୁ ବିଜ୍ଞପ୍ତି ଜାରି କରିଥିଲେ। ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ହଜାର ହଜାର ସଂଖ୍ୟାରେ କର୍ମଚାରୀ ଏ ନେଇ ବୈଠକ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ମହଙ୍ଗା ଭତ୍ତାକୁ ୬ ମାସ ପାଇଁ ନଦିଆଯିବାକୁ କର୍ମଚାରୀମାନେ ସହଜରେ ଗ୍ରହଣ କରିପାରି ନଥିଲେ। ଅତୀତରେ ଏଭଳି କେବେ ହୋଇ ନଥିଲା ବୋଲି କହିବା ସହିତ ଜୁଲାଇ ପହିଲାରୁ ବର୍ଦ୍ଧିତ ମହଙ୍ଗା ଭତ୍ତା ଦିଆ ନଗଲେ ସେମାନେ ଏହାକୁ ନେବେ ନାହିଁ ବୋଲି ରୋକଠୋକ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ୍ ଏବଂ ୫ଟି ସଚିବ ଭି କେ ପାଣ୍ଡିଆନ୍ ଏହାର ପୁନର୍ବିଚାର କରିବେ ବୋଲି କର୍ମଚାରୀମାନଙ୍କୁ ପ୍ରତିଶ୍ରୁତ ଦେଇଥିଲେ। ତେବେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କର୍ମଚାରୀ ମହଲରେ ଖୁସିର ଲହରୀ ଖେଳିଯାଇଛି।
ପ୍ରକାଶ ପାଇଥିବା ବିଜ୍ଞକ୍ତି ଅନୁଯାୟୀ, ରାଜ୍ୟ ସରକାରୀ କର୍ମଚାରୀମାନେ ୨୦୧୯ ଜୁଲାଇ ପହିଲାରୁ ୫ ପ୍ରତିଶତ ଅଧିକ ମହଙ୍ଗା ଭତ୍ତା ପାଇବେ। ଅର୍ଥାତ୍ କର୍ମଚାରୀ ଓ ପେନସନଭୋଗୀମାନେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ଗତବର୍ଷ ଜୁଲାଇ ପହିଲାରୁ ପାଇବେ। ଗତ ୧୨ ତାରିଖରେ ରାଜ୍ୟ ସରକାର ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ପ୍ରଦାନ ତାରିଖରେ ସଂଶୋଧନ ଆଣି ବିଜ୍ଞପ୍ତି ଜାରି କରିଥିଲେ। ସେମାନଙ୍କୁ ୨୦୧୯ ଜୁଲାଇ ପହିଲାରୁ ସଂଶୋଧିତ ହାରରେ ମହଙ୍ଗା ଭତ୍ତା ମିଳିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଥିଲା। ପେନସନଭୋଗୀଙ୍କ ପାଇଁ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିବାର ମାତ୍ର ୫ ଦିନ ମଧ୍ୟରେ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ମଧ୍ୟ ଏଥିରେ ସଂଶୋଧନ ଆଣିଛନ୍ତି।
୨୦୨୦ ଜାନୁଆରି ପହିଲା ପରିବର୍ତ୍ତେ ୨୦୧୯ ଜୁଲାଇ ପହିଲାରୁ ଅଧିକ ୫ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅର୍ଥାତ୍ ଏବେ ଉଭୟ ରାଜ୍ୟ ସରକାରଙ୍କ କର୍ମଚାରୀ ଓ ପେନସନ ଭୋଗୀମାନେ ଗତ ଜୁଲାଇ ପହିଲାରୁ ବର୍ଦ୍ଧିତ ୫ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। କର୍ମଚାରୀମାନଙ୍କୁ ଜୁଲାଇ ଆରମ୍ଭରୁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ବର୍ଦ୍ଧିତ ୫ ପ୍ରତିଶତ ମହଙ୍ଗା ଭତ୍ତା ନଗଦ ଆକାରରେ ଦିଆଯିବ। ବର୍ଦ୍ଧିତ ମହଙ୍ଗା ଭତ୍ତା ବାବଦ ବିଲ୍କୁ ଚଳିତମାସ ୨୬ ତାରିଖ ସୁଦ୍ଧା କୋଷାଗାର/ସ୍ବତନ୍ତ୍ର କୋଷାଗାର/ଉପ କୋଷାଗାରରେ ଦାଖଲ କରିବାକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ କର୍ମଚାରୀମାନଙ୍କୁ ଜୁଲାଇ ପହିଲାରୁ ମହଙ୍ଗା ଭତ୍ତା ଦେବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିବାରୁ କର୍ମଚାରୀମାନେ ଖୁସି ବ୍ୟକ୍ତ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/28-4.jpg)