ପାଖେଇ ଆସୁଛି ବାତ୍ୟା ୟାସ୍ । ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା, ୨୬ରେ କରିବ ଲ୍ୟାଣ୍ଡଫଲ । ଜାଣନ୍ତୁ ପାରାଦ୍ୱୀପ ଓ ବାଲେଶ୍ୱର ଠାରୁ କେତେ ଦୂରରେ ରହିଛି ବାତ୍ୟା ।

515

କନକ ବ୍ୟୁରୋ : ଉପକୂଳ ଆଡକୁ ମାଡି ଆସୁଛି ୟାସ୍ । ଗତ ୬ ଘଣ୍ଟା ହେବ ୪ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ୟାସ୍ । ପାଣିପାଗ ବିଭାଗ ପକ୍ଷରୁ ମଧ୍ୟାହ୍ନ ୨ଟା ୩୦ରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏବେ ବାତ୍ୟା ସମୁଦ୍ର ଭିତରେ ବଳ ଗୋଟାଇବା ସହ ଧୀରେ ଧୀରେ ଆଗକୁ ବଢୁଛି ।

ପାରାଦ୍ୱୀପରୁ ସାଗର ଦ୍ୱୀପ ମଧ୍ୟରେ ୟାସ୍ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏବେ ପାରାଦ୍ୱୀପ ଠାରୁ ୫୨୦ କିଲୋମିଟର ଦୂର ଏବଂ ବାଲେଶ୍ୱର ଠାରୁ ୬୨୦ କିଲୋମିଟର ଦୂରରେ ରହିଛି । ସେହିଭଳି ଦୀଘା ଠାରୁ ୟାସ୍ ୬୧୦ କିଲୋମିଟର ଦୂରରେ ବାତ୍ୟା ୟାସ୍ ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟ ଏହା ଭୀଷଣ ସାମୁଦ୍ରିକ ଝଡର ରୂପ ନେବ । ସେହିଭଳି ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ ।

ତେବେ ବାତ୍ୟା ଆସିବା ପୂର୍ବରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର । ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲା ପାଇଁ ୫ ଜଣ ଆଇଏଏସ ଓ ୫ ଜଣ ଆଇପିଏସ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଯେଉଁମାନେ ବାତ୍ୟା ମୁକାବିଲା ଉପରେ ନଜର ରଖିବେ । ଏହାସହ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତରଣ, କୋଭିଡ ହସ୍ପିଟାଲରେ ଯେପରି ସମସ୍ୟା ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦେବେ । ଏହାଛଡା ବାତ୍ୟାର ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି ।