ଅବପାତର ରୂପ ନେବ ‘ଜୱାଦ’: ମଧ୍ୟାହ୍ନରେ ପୁରୀ ନିକଟ ଦେଇ ହେବ ପଶ୍ଚିମବଙ୍ଗ ମୁହାଁ; ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

Advertisment
ଅବପାତର ରୂପ ନେବ ‘ଜୱାଦ’: ମଧ୍ୟାହ୍ନରେ ପୁରୀ ନିକଟ ଦେଇ ହେବ ପଶ୍ଚିମବଙ୍ଗ ମୁହାଁ; ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ସମୁଦ୍ର ଭିତରେ ଦୁର୍ବଳ ହେଲା ବାତ୍ୟା ‘ଜୱାଦ’ । ଫଳରେ ଏକ ବଡ ଧରଣର ବିପଦ ଓଡ଼ିଶା ଉପକୂଳରୁ ଟଳି ଯାଇଛି । ବାତ୍ୟା ସମୁଦ୍ର ଭିତରେ ଦୁର୍ବଳ ହୋଇ ଗତକାଲି ସନ୍ଧ୍ୟାରେ ଗଭୀର ଅବପାତରେ ପରିଣତ ହୋଇଥିଲା । ଆଜି ସକାଳେ ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଘଂଟାପ୍ରତି ୯କିଲୋମିଟର ବେଗରେ ସମୁଦ୍ର ଭିତରୁ ଉପକୂଳ ଆଡକୁ ମୁହାଁଇଛି ଗଭୀର ଅବପାତ । ୪୫ରୁ ୫୫ କିଲୋମିଟର ବେଗରେ ପବନ ବୋହୁଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

ଆଜି ମଧ୍ୟାହ୍ନରେ ପୁରୀ ନିକଟବର୍ତି ହେବ କିନ୍ତୁ ସ୍ଥଳଭାଗ ଛୁଇଁବା ସମ୍ଭାବନା ବହୁତ କମ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପୁରୀ ଉପକୂଳ ଓ ଜଗତସିଂହପୁର ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ । ଏହାର ପ୍ରଭାବରେ ପବନର ବେଗ ଯଦିଓ କମ ରହିବ କିନ୍ତୁ ବର୍ଷାର ପରିମାଣ ପ୍ରବଳ ରହିବ । ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ପୁରି ଜିଲ୍ଲାର କିଛି ଅଂଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜଗତସିଂହପୁର, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡ଼ା ସହ ଉପକୂଳ ଅଂଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି । ଏହାକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ପ୍ରସ୍ତୁତି କରାଯାଇଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ‘ଜୱାଦ’ ଓଡ଼ିଶା ଉପକୂଳର ପ୍ରାୟ ୫୦ କିମି ଦୂରରେ ଉପକୂଳର ସମାନ୍ତରାଳରେ ଦୁର୍ବଳ ହୋଇ ଗତି କରିବ। ପୁରୀଠାରୁ ପ୍ରାୟ ୭୦ କିମି ଦୂରରେ ସମୁଦ୍ରରେ ସଂଧ୍ୟା ୫ଟା ବେଳେ ଅବପାତ ରୂପରେ ପହଞ୍ଚିବ ଓ କେନ୍ଦ୍ରାପଡ଼ାର ଦୂରରେ ଥିବା ବେଳେ ଦୁର୍ବଳ ହୋଇଯିବ। ପଶ୍ଚିମବଙ୍ଗ/ବାଂଲାଦେଶରେ ପହଞ୍ଚିଲା ବେଳକୁ ଏହା ଲଘୁଚାପରେ ପରିଣତ ହେବା ସହ ସମୁଦ୍ରରେ ଲୀନ ହୋଇସାରିଥିବ । ଭୁବନେଶ୍ବର, ପୁରୀ, ପାରାଦୀପ, କେନ୍ଦ୍ରାପଡ଼ା, ବାସୁଦେବପୁରରେ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୫ ତାରିଖରେ ବର୍ଷା ସବୁଠାରୁ ଅଧିକ ରହିବ ।

ଦକ୍ଷିଣ ଓଡ଼ିଶାରେ ୫ତାରିଖ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ ଓ ଭୁବନେଶ୍ବର ସମେତ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୬ତାରିଖ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ । ଉପକୂଳ ଓଡ଼ିଶାରେ ୧୧ ଓ ୧୨ ତାରିଖରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ଡିଗ୍ରି ଏବଂ ୧୦ରୁ ୧୧ ତାରିଖ ମଧ୍ୟରେ ଅନ୍ୟାନ୍ୟ ସ୍ଥାନରେ ୫ରୁ ୬ଡିଗ୍ରି କମିବାର ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ଡିସେମ୍ବର ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସଂକେତ ମିଳୁଛି ବୋଲି ଶ୍ରୀ ପଶୁପାଳକ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe