କନକ ବ୍ୟୁରୋ : ଆଜି ପାରାଦୀପଠାରୁ ପ୍ରାୟ ୬୦୦ କି.ମି. ଦୂର ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟା ଭିତରେ ଏହା ଲଘୁଚାପରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଉପକୂଳବର୍ତୀ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ପବନର ବେଗ ମଧ୍ୟ ଅଧିକ ରହିବ। ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ସତର୍କତାର ସହିତ ଯିବାକୁ ପରାମର୍ଶ ଦିଆଯାଇଛି।

Advertisment

rain 1ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଆଜି ରାତି କିମ୍ବା ଆସନ୍ତାକାଲି ସକାଳେ ଘୂର୍ଣ୍ଣିବଳୟ ଓଡ଼ିଶା ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ଆଜିଠାରୁ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଶୁକ୍ରବାର ଉପକୂଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ବିଶେଷ କରି କଟକ, ଖୋର୍ଧା, ନୟାଗଡ଼, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ୱର ଆଦି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ।

ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ଦିନେ କି ଦୁଇଦିନ ଭିତରେ ଲଘୁଚାପର ରୂପ ନେଇପାରେ। ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳବର୍ତୀ ସ୍ଥାନରେ ପବନର ବେଗ ଘଣ୍ଟାକୁ ୩୫ରୁ ୪୫ କି.ମି. ପର୍ଯ୍ୟନ୍ତ ରହିବ। ତେବେ ଲଘୁଚାପ ସମୁଦ୍ରରୁ ସ୍ଥଳଭାଗକୁ ଛୁଇଁବା ପରେ ଦୁର୍ବଳ ହୋଇଯିବ । ତେଣୁ ଏହାର ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ।

roanu-rainସେପ୍ଟେମ୍ବର ଶେଷ ସୁଦ୍ଧା ଦେଶର ୫ଟି ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇସାରିଥିବା ବେଳେ ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ବିଦାୟ ନେବା ଉପରେ । ଅବଶ୍ୟ ଓଡ଼ିଶାରେ ମୌସୁମୀ ବାୟୁ ଏବେ ବି ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟର ପ୍ରଭାବ ଦେଖିବା ପରେ ମୌସୁମୀର ଗତି ସଂପର୍କରେ ପୂର୍ବାନୁମାନ କରିହେବ। ତେବେ ଆଗାମୀ ୧୫ ତାରିଖ ପୂର୍ବରୁ ମୌସୁମୀ ବାୟୁ ରାଜ୍ୟରୁ ବିଦାୟ ନେବାର ସମ୍ଭାବନା କ୍ଷୀଣ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ।