କନକ ବ୍ୟୁରୋ : ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନର ତାତି ଥମିନଥିବା ବେଳେ ଏପଟେ ବଙ୍ଗୋପସାଗରରୁ ଏକ ବାତ୍ୟାର ଆଶଙ୍କା ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ଦୁଇ ଦିନ ତଳେ ବାତ୍ୟା ଫୋନି, ତାମିଲନାଡୁ କିମ୍ବା ମିଆଁମାର ଆଡକୁ ଯାଉଥିବା ନେଇ ଖବର ଆସିବା ପରେ ଏବେ ଏହାର ଗତିପଥ ବଦଳି ଯାଇଛି । ବାତ୍ୟା ଫୋନି ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଦେଇ ଗତିକରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନ୍ୟ ବିଶ୍ୱସ୍ତରୀୟ ପାଣିପାଗ ସଂସ୍ଥା ଆମେରିକା ନେଭି ମଧ୍ୟ ଅନୁରୁପ ଆକଳନ କରିଛି । ଦୁଇ ତାରିଖ ସୁଦ୍ଧା ଏହି ବାତ୍ୟା ‘ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ’ର ରୁପ ନେବାକୁ ଯାଉଛି ।

Advertisment

ତେବେ ବାତ୍ୟା କେଉଁଠି ଉପକୂଳ ଛୁଇଁବ କିମ୍ବା ଲ୍ୟାଣ୍ଡଫଲ କରିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଓଡ଼ିଶା ଉପକୂଳ ଛୁଇଁବା ନେଇ ମଧ୍ୟ ସମ୍ଭାବନା ଥିବା କୁହାଯାଉଛି । କିନ୍ତୁ ବର୍ତମାନ ଯାଏଁ ଏହି ବାତ୍ୟା ଓଡ଼ିଶା ଉପକୂଳ ଦେଇ ଚାଲିଯିବ ବୋଲି ପୂର୍ବାନୁମାନ କରାଯାଇଛି ।

ସେପଟେ ବାତ୍ୟାର ଖବର ଆସିବା ପରେ ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି । ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଂପୃକ୍ତ ବିଭାଗର ସଚିବମାନେ ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି । ଉପକୂଳ ଜିଲ୍ଲା ଗୁଡ଼ିକରେ ସତର୍କ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି । ସେହିପରି ପୁରୀ, ଗଂଜାମ ଏବଂ କେନ୍ଦ୍ରପଡ଼ା ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟିକୁ ବାତିଲ୍ କରାଯାଇଛି । ଏହା ସହ ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।