କନକ ବ୍ୟୁରୋ : ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ଆହୁରି ଘନୀଭୂତ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବା ସମ୍ଭାବନା । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହୋଇପାରେ । ଆଜିଠାରୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
୧ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ପ୍ରାୟ ଏକ ସପ୍ତାହ ଧରି ବର୍ଷା ଜାରି ରହିବ । ଆଜି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବ । କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହେବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ ।
ଅନ୍ୟପଟେ ଜୁନ୍ ୧ରୁ ଆଜି ଗତକାଲି ମଧ୍ୟରେ ରାଜ୍ୟରେ ସର୍ବମୋଟ ୧୧୦୫.୪ ମିମି ବର୍ଷା ହୋଇଯାଇଛି । ଯାହାକି ଏହି ସମୟ ଅବଧି ମଧ୍ୟରେ ହେଉଥିବା ସ୍ୱାଭାବିକଠୁ ୩% କମ୍ । ଏହି ସମୟ ମଧ୍ୟରେ ରାଜ୍ୟର ଝାରସୁଗୁଡ଼ା ଓ ବୌଦ୍ଧରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ପୁରୀରେ ନିଅଣ୍ଟିଆ ବର୍ଷା ହୋଇଯାଇଛି । ଏଥିସହ ଅବଶିଷ୍ଟ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।