ବାତ୍ୟା ପାଖେଇଲା, ଛାତି ଧଡଧଡ ହେଲା… ଧାମରା ଠାରୁ ମାତ୍ର ୯୦ କିମି ଦୂରରେ ଅଛି ବାତ୍ୟା ‘ୟାସ’ । ସକାଳେ ଛୁଇଁପାରେ ସ୍ଥଳଭାଗ ।

891

କନକ ବ୍ୟୁରୋ: ଦୂରତା କମିଲା, ଛନକା ପଶିଲା । ଅତି ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ବାତ୍ୟା । ସ୍ଥଳଭାଗର ନିକଟତର ହେଉଛି ୟାସ । ଧାମରା ଠାରୁ ମାତ୍ର ୯୦ କିଲୋମିଟର ଦୂରତାରେ ରହିଛି ବାତ୍ୟା । ଘଣ୍ଟା ପ୍ରତି ୧୧ କିମି ବେଗରେ ଆଗକୁ ବଢି ଆସୁଛି ବାତ୍ୟା । ତେବେ ଧାମରା ଠାରୁ ମାତ୍ର ୯୦ କିମି ଦୂରତାରେ ବାତ୍ୟା ପହଞ୍ଚିବା ପରେ ଭୟ ଅଧିକ ବଢିଛି । କାରଣ ଧାମରା ଆଖପାଖ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ।

ତେବେ ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୧୦୦ କିଲୋମିଟର ଦୂରରେ ଅଛି । ସେହିପରି ବାଲେଶ୍ୱରରୁ ୧୫୦ କିମି ଦୂରରେ ଅଛି । ଆଉ ଦୀଘା ଠାରୁ ମଧ୍ୟ ୧୫୦ କିମି ଦୂରରେ ବାତ୍ୟା ୟାସ୍ । ତେବେ ଧାମରାର ଉତ୍ତରରେ ସକାଳୁ ସକାଳୁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୪୦ରୁ ୧୫୫ କିମି ରହିବ । ଏନେଇ ତାଜା ସୂଚନା ଦେଲା ପାଣିପାଗ କେନ୍ଦ୍ର  । ଏବେ ପାରାଦୀପରେ ୭୦ରୁ ୮୦ କିମି ବେଗରେ ବହୁଛି ପବନ । ଧିରେ ଧିରେ ବାତ୍ୟା ନିକଟତର ହେଉଥିବାବେଳେ ପବନର ବେଗ ମଧ୍ୟ ବଢୁଛି । ତେଣୁ ସମସ୍ତେ ଘରେ ରୁହନ୍ତୁ ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ରୁହନ୍ତୁ ବୋଲି ଏସଆରସ ଅପିଲ କରିଛନ୍ତି ।