ଘଣ୍ଟା ପ୍ରତି ୧୦କିମି ବେଗରେ ସ୍ଥଳଭାଗ ଆଡକୁ ଆସୁଛି ବାତ୍ୟା : ଧାମରା-ଚାନ୍ଦବାଲି ମଧ୍ୟରେ କରିବ ଲ୍ୟାଣ୍ଡଫଲ

760

କନକ ବ୍ୟୁରୋ : ଅତିଭୀଷଣ ବାତ୍ୟା ଆକାରରେ ୟାସ୍ କେଉଁଠି ସ୍ଥଳଭାଗ ଛୁଇଁବ ତାର ଆକଳନକୁ ପରିବର୍ତନ କଲା ଭାରତୀୟ ପାଣିପାଗ ବିଭାଗ । ସକାଳ ୯ଟା ୧୦ରେ ଆଇଏମଡି ଜାରି କରିଥିବା ତାଜା ବୁଲେଟିନରେ ବାତ୍ୟା ଚାନ୍ଦବାଲିରୁ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବୋଲି କୁହଯାଇଛି । ଆସନ୍ତାକାଲି ସକାଳ ସୁଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏବଂ ମଧ୍ୟାହ୍ନ ସୁଧା ଅତିଭୀଷଣ ବାତ୍ୟା ଆକାରରେ ୟାସ୍ ସ୍ଥଳଭାଗକୁ ଅତିକ୍ରମ କରିବ ।

ବଙ୍ଗୋପସାଗରରେ ବିରାଟ ଆକାରରେ ସୃଷ୍ଟି ହୋଇଥିବା ଏହି ଝଡ ଶେଷ ଖବର ସୁଦ୍ଧା ଘଂଟାକୁ ୧୦ କିଲୋମିଟର ବେଗରେ ଉତର ଓଡିଶା ଆଡକୁ ଆସୁଛି । ଏହା ପାରାଦୀପରୁ ୩୨୦ କିଲୋମିଟର ଓ ବାଲେଶ୍ୱରରୁ ୪୩୦ କିଲୋମିଟର ଦୂରରେ ରହିଛି । ତେବେ କାଲି ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୬୫ କିଲୋମିଟର ପ୍ରତି ଘଂଟା ରହିପାରେ । ଏବଂ ପବନ ଝଟକା ଦେଇ ଘଂଟା ପ୍ରତି ୧୮୫ କିଲୋମିଟରକୁ ମଧ୍ୟ ଯାଇପାରେ । ଓଡିଶାରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ ପରେ ସାରା ଓଡିଶା ପ୍ରସ୍ତୁତି ପାଇଁ ତତ୍ପର ହୋଇଛି । କାରଣ ଗୋଟିଏ ପଟେ କରୋନା ମାଡି ଚାଲିଛି, ଏବଂ ଅନ୍ୟପଟେ ବାତ୍ୟା ଆଉ ଏକ ବିପଦ ନେଇ ଆସିଛି ।