କରୋନା କାଳରେ ବାତ୍ୟା ଚିନ୍ତା : ଘୂର୍ଣ୍ଣିବଳୟ ସୃଷ୍ଟି, ଆଜି ଲଘୁଚାପ ରୂପ ନେବ; ୨୪ରେ ନେବ ବାତ୍ୟାର ରୂପ

Advertisment
ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ।

କନକ ବ୍ୟୁରୋ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ଅଧିକ ଘନୀଭୂତ ହେବ ଲଘୁଚାପ । ଆସନ୍ତାକାଲି ଏହା ଅବପାତର ରୂପ ନେବ । ସୋମବାର ୨୪ ତାରିଖରେ ଏହା ବାତ୍ୟାର ରୂପ ନେବ । ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ, ବାତ୍ୟା ଓଡିଶାରୁ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ । ସେପଟେ ୱିଣ୍ଡି-ଡଟ୍-କମ୍ ନିଜର ପୂର୍ବାନୁମାନକୁ ବଦଳାଇଛି । ଏହି ସଂସ୍ଥା କହିଛି, ବାତ୍ୟା ଓଡିଶାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା କମ୍ । ଏହା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ସୁନ୍ଦରବନ ଅଂଚଳରେ ମାଡ କରିପାରେ । ସେପଟେ ଭାରତୀୟ ପାଣିପାଗ ବିଭାଗ କହିଛି, ୨୩ ତାରିଖରେ ଅବପାତ ସୃଷ୍ଟି ହେବା ପରେ ବାତ୍ୟାର ସ୍ପଷ୍ଟ ଚିତ୍ର କଣ ହେବ ଆକଳନ କରାଯାଇପାରିବ ।

ଅନ୍ୟପକ୍ଷରେ ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରୁଛନ୍ତି, ଓଡ଼ିଶାର କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାପାଇଁ ଟିକିଏ ଅଧିକ ବିପଦ ରହୁଛି । କେନ୍ଦ୍ରାପଡ଼ାରେ ଘଷି ହୋଇଯାଇ ବାତ୍ୟା ବାଲେଶ୍ବର ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଯଥେଷ୍ଟ ଅଧିକ । ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ ଘୂର୍ଣ୍ଣିଝଡ଼ରେ ପରିଣତ ହେଲେ ମେ’ ୨୬ ତାରିଖରେ ଏହା ଓଡିଶା-ପଶ୍ଚିମ ବଙ୍ଗ ଉପକୂଳ ଅତିକ୍ରମ କରିବ । ମେ’ ୨୫ ତାରିଖ ସୁଦ୍ଧା ଘୁର୍ଣ୍ଣିଝଡ଼ରେ ପରିଣତ ହେବ । ସେ ଆହୁରି କହଛନ୍ତି, ଏହି ଘୂର୍ଣ୍ଣିଝଡ଼ ଓଡ଼ିଶାର ଭଦ୍ରକ କିମ୍ବା ବାଲେଶ୍ୱର ଜିଲ୍ଲା ଅଥବା ପଶ୍ଚିମବଙ୍ଗର ଦିଘା ଉପକୂଳ ଦେଇ ଗତି କରିପାରେ ।

ଡ. ସାହୁ କହିଛନ୍ତି, ଜଳବାୟୁ ବିଜ୍ଞାନ ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀର ଆଗମନ ପୂର୍ବରୁ ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଅଧିକାଂଶ ଲଘୁଚାପ ଓ ତହିଁରୁ ଉତ୍ପନ୍ନ ଘୂର୍ଣ୍ଣିଝଡ଼ ପଶ୍ଚିମବଙ୍ଗ ଅଥବା ବାଂଲାଦେଶ ଆଡକୁ ଗତି କରିଥାଏ । ଏହି ଲଘୁଚାପ ହୁଏତ ପ୍ରବଳ ଘୂର୍ଣ୍ଣିଝଡ଼ କିମ୍ବା ଘୂର୍ଣ୍ଣିଝଡ଼ର ରୂପ ନେଇ ଉପକୂଳ ଅତିକ୍ରମ କରିପାରେ । ତେବେ ବାତ୍ୟାର ଗତି ଏବଂ ପବନ ବେଗର ସ୍ପଷ୍ଟ ଚିତ୍ର ମେ’ ୨୪ ରେ ହିଁ ଜଣା ପଡିବ । ମୌସୁମୀର ପ୍ରଭାବ ଯୋଗୁଁ ଏହି ଘୂର୍ଣ୍ଣିଝଡ଼ ବିଶେଷ ଭାବେ ଘନୀଭୂତ ନ ହୋଇପାରେ । ଯଦି ଏହା ବାତ୍ୟାର ରୂପ ନେଇ ଓଡିଶା ଉପକୂଳ ଦେଇ ଗତି କରେ ତେବେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୫ ରୁ ୯୦ କିଲୋମିଟର ହେବ । ଏହା ଯଦି ପ୍ରବଳ ଘୁର୍ଣ୍ଣିଝଡ଼ର ରୂପ ନିଏ ତେବେ ଏହାର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୦୦ କିମି ହୋଇପାରେ। ତେବେ ଏହି ସମୟରେ ଓଡିଶା ଉପକୂଳରେ ପବନର ଗତି ତୀବ୍ରତର ହେବା ସହ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଆଦି ଜିଲ୍ଲାରେ ମେ’ ୨୫ ତାରିଖ ରାତିରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ପରବର୍ତ୍ତୀ ସମୟରେ ଏହା ବିହାର ଆଡକୁ ଗତି କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe