ବାତ୍ୟା ମୁକାବିଲା ବେଳେ ମନ ଜିଣିନେଲେ ମହିଳା ପୋଲିସ । କର୍ତ୍ତବ୍ୟ ସହ ଦେଖାଇଲେ ମମତା…

573

କନକ ବ୍ୟୁରୋ: ବାତ୍ୟା ପାଖଉଛି, ଛନକା ପଶୁଛି । ସମୁଦ୍ର ଭିତରୁ ବାତ୍ୟା ଯେତେ ଶୀଘ୍ର ମାଡି ମାଡି ଆସୁଛି, ମୁକାବିଲା ପାଇଁ ବି ପ୍ରାଣମୂଚ୍ଛା ପ୍ରଚେଷ୍ଟା ଚାଲିଛି । ବାତ୍ୟା ମୁହଁରୁ ଲୋକଙ୍କ ଜୀବନ ସହ ଧନସମ୍ପତ୍ତିର ସୁରକ୍ଷା କଥାକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଝଡ ମୁହଁରେ ଯେମିତି କୌଣସି ବି ଜୀବନ ନଯାଏଁ ସେଥିପାଇଁ ଜିରୋ କାଜୁଆଲିଟିକୁ ମନ୍ତ୍ର କରି ମାରାଥନ ମୁକାବିଲାରେ ଲାଗିଛନ୍ତି ସରକାର ଓ ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଅଧିକାରୀ ।

ମହାମାରୀ ବେଳେ ବାତ୍ୟା ମୁକାବିଲା ଦୁଇ ଦୁଇଟି ବଡ ଚାଲେଞ୍ଜ ଥିବା ବେଳେ କେମିତି ଦୁଇଟି ବିପଦକୁ ସଫଳତାର ସହ ଟାଳିହେବ ସେଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ବାତ୍ୟା ପ୍ରଭାବିତ ହେବାକୁ ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ମୟୂରଭଞ୍ଜର ଜିଲ୍ଲା ପ୍ରଶାସନ । ତେବେ ବାତ୍ୟା ସମୁଦ୍ର ପଥରୁ ମାଡି ମାଡି ଆସୁଥିବାରୁ ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାତୁ ମିଳିଲାଣି । ବର୍ଷା ସହ ପବନ ବହୁଥିବାର ଦୃଶ୍ୟ ବି ଅନେକ ଜିଲ୍ଲାରୁ ଆସୁଛି ।

ତେବେ ବାତ୍ୟା ଆସିବା ଆଗରୁ କେମିତି ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିହେବ ସେନେଇ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ପୋଲିସ, ପ୍ରଶାସନ ଲୋକଙ୍କୁ ବୁଝାଇ ସୁଝାଇ ସୁରକ୍ଷିତ ସ୍ଥାନକୁ ଚାଲିଆସିବାକୁ କହୁଛନ୍ତି । ପିଲାଠୁ ବୁଢା, ଯୁବକଙ୍କ ଠାରୁ ବୟସ୍କ ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲି ଆସିବାକୁ କୁହାଯାଉଛି । ଅନେକ ସ୍ଥାନରେ ବୃଦ୍ଧବୃଦ୍ଧାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

ବାତ୍ୟା ନେଇ ଯେତେବେଳେ ସବୁଠି ମାରାଥନ ମୁକାବିଲା ଚାଲିଛି ସେତେବେଳେ ଭଦ୍ରକରୁ ଆସିଛି ଏମିତି ଏକ ଚିତ୍ର ଯେଉଁଠି ବାତ୍ୟା ମୁକାବିଲାରେ ଲାଗି ପଡିଛନ୍ତି ମହିଳା ଯୋଦ୍ଧା । କରୋନା କାଳରେ ବାତ୍ୟାର ବଡ ଚାଲେଞ୍ଜକୁ ଏ ମହିଳା ପୋଲିସ ମାନେ ଗ୍ରହଣ କରିଛନ୍ତି । ଆଉ ଲୋକଙ୍କ ଧନଜୀବନ ରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି । ଭଦ୍ରକ ଚାନ୍ଦବାଲି ଏବଂ ନାଇକାନଡିହିରେ ମହିଳା ଓ ଶିଶୁଙ୍କୁ କିଛି ମହିଳା ପୋଲିସ ସୁରକ୍ଷିତ ସ୍ଥାନାନ୍ତର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏମିତି କି ଜଣେ ମହିଳା ପୋଲିସ କୁନି ଶିଶୁକୁ ନିଜ କୋଳରେ ଧରି ଏକ ମାଚି ଘରୁ ବାହାରୁଛନ୍ତି ଆଉ କୁନି ଛୁଆ ଦେହରେ ଯେମିତି ବର୍ଷା ନପଡିବ କିମ୍ବା ବର୍ଷା ପବନ ପାଇଁ ତା ଦେହ ଅସୁସ୍ଥ ନହେବ ସେଥିପାଇଁ ଅନ୍ୟଜଣେ ମହିଳା ପୋଲିସ ଛତା ଦେଖାଇଛନ୍ତି । ବାତ୍ୟା ମୁକାବିଲା ବେଳେ କର୍ତ୍ତବ୍ୟ ସହ ମମତାଭରା ଏ ଦୃଶ୍ୟ ଭଦ୍ରକରୁ ହୃଦୟ ଭିଜାଇ ଦେଇଛି ।

ତେବେ ଖାଲି ସେତିକି ନୁହେଁ ଅନ୍ୟ ଏକ ଚିତ୍ରରେ ମହିଳା ପୋଲିସମାନେ ବିପଦସଙ୍କୁଳ ଅବସ୍ଥାରେ ଥିବା ଗାଁ ଗୁଡିକୁ ଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆସିବାକୁ ବୁଝାଉଛନ୍ତି । ଘରଘର ବୁଲି ମାଆ ମାଉସୀଙ୍କୁ ମାଟି ଘରୁ ପକ୍କା ଘରକୁ ପଳାଇ ଆସିବାକୁ କହୁଛନ୍ତି । ରାଜ୍ୟ ସରକାର ବି ପ୍ରଶାସନକୁ ମୁକାବିଲାରେ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ।