ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା ସ୍ଥିତିର ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ମୋଦି । ସମୀକ୍ଷା ବୈଠକରେ ନବୀନ କହିଲେ, ଦରକାର ନାହିଁ ବାତ୍ୟା କ୍ଷୟକ୍ଷତି ସହାୟତା, ବାତ୍ୟା ମୁକାବିଲା ଦୀର୍ଘମିଆଦୀ ସହାୟତା ଦେଉ କେନ୍ଦ୍ର ।

266

କନକ ବ୍ୟୁରୋ: ବାତ୍ୟା ୟାସର ପ୍ରଭାବ ଓ କ୍ଷୟକ୍ଷତିକୁ ନିଜ ଆଖିରେ ଦେଖିବାକୁ ଆଜି ଓଡ଼ିଶାରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ବାୟ୍ରୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ରାଜ୍ୟପାଳ ଗଣେଶୀଲାଲ, ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ତାଙ୍କୁ ପାଛୋଟି ଆଣିଥିଲେ । ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳକୁ ଆକାଶ ମାର୍ଗରୁ ଦେଖିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାତ୍ୟାଂଚଳ ଦେଖିଥିଲେ । ଏରିଏଲ୍ ସର୍ଭେ ପୂର୍ବରୁ ବାତ୍ୟା ସ୍ଥିତିର ସମୀକ୍ଷା କରିଥିଲେ ନରେନ୍ଦ୍ର ମୋଦୀ । ଏଥିରେ ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ବାତ୍ୟା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ବାତ୍ୟା କ୍ଷତିର ଭରଣା ପାଇଁ ଆର୍ଥିକ ସହାୟତା ଦାବି ନକରି ଦୀର୍ଘକାଳୀନ ଭିତିରେ ଓଡ଼ିଶା କିପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରିବ, ଏ ନେଇ ସହାୟତା ଦେବାକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର ।

ବାତ୍ୟାର ଦିନକ ପରେ ଓଡ଼ିଶା ପହଁଚିବା, ଭୁବନେଶ୍ୱରରେ ସ୍ଥିତି ସମୀକ୍ଷା କରିବା, ଆକାଶ ମାର୍ଗରୁ ବାତ୍ୟାଂଚଳର କ୍ଷତିୟତି ଦେଖିବା, ଯେପରି ପ୍ରଧାନମନ୍ତ୍ରୀଙ୍କ ଗାରିମାକୁ ମୋଦୀ ବଢ଼ାଇଛନ୍ତି । ସେହିପରି ବାତ୍ୟା କ୍ଷୟକ୍ଷତି ପାଇଁ ଦାବି ନକରି ଜଣେ ଦୂରଦୃଷ୍ଟି ସଂପନ୍ନ ରାଜନେତାର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟାସ୍ ଦ୍ୱାରା ପ୍ରଭାବିତ ଅଂଚଳ ଦେଖିବା ପାଇଁ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ପହଁଚିବା ପରେ ବାତ୍ୟା ସ୍ଥିତିର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ପଦାଧିକାରୀ ମାନେ ଯୋଗ ଦେଇଥିଲେ । ବାତ୍ୟା କିପରି ରାଜ୍ୟକୁ ପ୍ରଭାବିତ କରିଛି, ତା’ର ତଥ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିଲା । ତେବେ ବାତ୍ୟା ଦ୍ୱାରା ହୋଇଥିବା କ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଦୀର୍ଘକାଳୀନ ସହାୟତା ମାଗିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି ବର୍ତମାନ ଦେଶ କରୋନା ମହାମାରୀ ସହ ଲଢେଇ କରୁଛି । ଏଭଳି ସମୟରେ କେନ୍ଦ୍ର ସରକାରଙ୍କୁ ହଠାତ୍ ଆର୍ôଥକ ଚାପ ନଦେଇ ରାଜ୍ୟ ସରକାର ଏହି ସଂକଟର ମୁକାବିଲା ନିଜ ସାଧନରେ କରିବେ । ଅନ୍ୟ ଏକ ଟ୍ୱିଟରେ ନବୀନ କହିଛନ୍ତି, ପ୍ରତିବର୍ଷ ଓଡ଼ିଶା ବନ୍ୟା, ବାତ୍ୟା ଭଳି ବିପତିକୁ ସାମନା କରୁଛି । ଏଥିରୁ ରକ୍ଷା ପାଇବା ପାଇଁ ବିପର୍ଯ୍ୟୟ ନିରୋଧୀ ଶକ୍ତି ଭିତିଭୁମି ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର ।  ସେହିଭଳି ଓଡ଼ିଶାରେ ଥିବା ବିସ୍ତୀର୍ଣ୍ଣ ବେଳାଭୂମିର ସୁରକ୍ଷା ପାଇଁ ସହାୟତା କରିବାକୁ ଓଡ଼ିଶା ଦାବି କରିଛି ।

ସମୀକ୍ଷା ବୈଠକ ପରେ ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ବାଲେଶ୍ୱର ଓ ଭଦ୍ରକର ସ୍ଥିତି ଆକାଶ ମାର୍ଗରୁ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାତ୍ୟାଂଚଳର ଏରିଏଲ ସର୍ଭେରେ ସାମିଲ ହୋଇଥିଲେ । ପ୍ରଭାବିତ ଅଂଚଳରେ ରିଲିଫ, ପୁନରୁଦ୍ଧାର, ଜୀବନଜୀବିକା ସ୍ୱାଭାବିକ କରିବା ଦିଗରେ ପ୍ରଧାନମନ୍ତ୍ରୀ ସବୁ ପ୍ରକାର ସହଯୋଗ କରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶାକୁ ପ୍ରସ୍ତୁତ କରିବା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।