ଟ୍ୱିନସିଟି ପାଇଁ ଅରେଞ୍ଜ ୱାର୍ଣ୍ଣିଂ : ପ୍ରବଳ ବର୍ଷା ନେଇ ପୂର୍ବାନୁମାନ; ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା

172

କନକ ବ୍ୟୁରୋ : ଭୁବନେଶ୍ୱର ଓ କଟକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଟ୍ୱିନସିଟିର କିଛି ଅଞ୍ଚଳରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ହୋଇଛି । ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବା ନେଇ ଆକଳନ କରାଯାଇଛି । ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି । ବର୍ଷା ଯୋଗୁଁ ଯାତାୟାତ ପ୍ରଭାବିତ ହେବା ଆଶଙ୍କା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଦିଆଯାଇଛି ।

ଶୁକ୍ରବାର ଅପରାହ୍‌ଣରୁ ରାଜଧାନୀରେ ବାତ୍ୟା ‘ଜୱାଦ’ର ପ୍ରାକ୍‌ ପ୍ରଭାବ ଅନୁଭୂତ ହୋଇଥିଲା । ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଯାଇଥିଲା ଓ ରାତି ସାରା ଝିପିଝିପି ବର୍ଷା ଲାଗି ରହିଥିଲା। ଶୁକ୍ରବାର ରାତିର ପାଗ ଶନିବାର ପାଇଁ ଭୟାବହତାର ବାର୍ତା ଦେଉଥିଲା । କିନ୍ତୁ ସକାଳୁ ସବୁ କିଛି ବଦଳି ଯାଇଥିଲା । ବର୍ଷା କିଛି ସମୟ ପାଇଁ ବିରତି ନେବାରୁ ଜୱାଦ ଧୀରେଧୀରେ ଦୁର୍ବଳ ହେଉଥିବା ଜଣାପଡ଼ିଥିଲା। ପାଣିପାଗ ବିଭାଗ ମଧ୍ୟ ବାତ୍ୟା ଦୁର୍ବଳ ହେଉଥିବା ଜଣାଇଥିଲା । ଗତକାଲି ଅପରାହ୍‌ଣ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମଧରଣର ବର୍ଷିଥିଲା, ମାତ୍ର ବର୍ଷାର ପରିମାଣ ଅଧିକ ନଥିଲା । ତେବେ କୋହାଲା ପାଗ ସମସ୍ତଙ୍କୁ ଥରେଇ ଦେଇଥିଲା । ଘରେ ବାହାରେ ଶୀତର ପ୍ରକୋପ ଥିଲା ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ରାଜଧାନୀରେ ଶୁକ୍ରବାର ଅପରାହ୍‌ଣରୁ ଶନିବାର ସକାଳ ସାଢ଼େ ୮ଟା ମଧ୍ୟରେ ସମୁଦାୟ ୧୨.୭ମିମି ବର୍ଷା ହୋଇଥିଲା । ଶନିବାର ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ରାଜ୍ୟଧାନୀରେ ମାତ୍ର ୧୯.୬ ମିମି ବର୍ଷା ହୋଇଥିଲା । ପବନର ବେଗ ଘଣ୍ଟା ପ୍ରତି ମାତ୍ର ୨୨କିମି ରହିଥିଲା। ଜୱାଦ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ଅର୍ଥାତ ୬ ତାରିଖ ପର୍ଯ୍ୟନ୍ତ ରାଜଧାନୀର ପାଗ କୋହଲା ରହିବ ବୋଲି କୁହାଯାଉଛି । କିନ୍ତୁ ଉଭୟ ବର୍ଷା ଓ ପବନର ତୀବ୍ରତା କମିବ ବୋଲି ପାଣିପାଗ କେନ୍ଦ୍ର କହିଛି । କୋହଲା ପାଗ ଯୋଗୁଁ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୨୦.୮ଡିଗ୍ରି ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୮.୪ ଡିଗ୍ରି ରହିଛି। ଆସନ୍ତା ୨ ଦିନ ଶୀତ କମ୍ ରହିବ । ୭ ତାରିଖ ପରେ ରାତ୍ରି ତାପମାତ୍ରା ଖସିବ ଓ ଶୀତ ବଢ଼ିବ ବୋଲି ସୂଚନା ମିଳିଛି ।