୧୫ କିଲୋମିଟର ବେଗରେ ମାଡି ଆସୁଛି ‘ଫୋନି’ । ପୁରୀଠୁ ମାତ୍ର ୪୫୦ କିଲୋମିଟର ଦୂରରେ ରହିଛି ବାତ୍ୟା । କଟକ-ଭୁବନେଶ୍ୱରରେ ବି ରହିବ ସାମୁଦ୍ରିକ ଝଡର ବିଶେଷ ପ୍ରଭାବ

385

କନକ ବ୍ୟୁରୋ: ଭୀଷଣ ବେଗରେ ଓଡିଶା ଆଡକୁ ମାଡି ଆସୁଛି ସାମୁଦ୍ରିକ ବାତ୍ୟା ଫୋନି । ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ମାଡି ଆସୁଥିବା ଏହି ବାତ୍ୟା ବର୍ତ୍ତମାନ ପୁରୀଠାରୁ ୪୫୦ କିଲୋମିଟର ଦୂରରେ କେନ୍ଦ୍ରିଭୁତ ହେଉଛି । ଘଂଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ଫୋନି ବୋଲି କହିଛି ଆଂଚଳିକ ପାଣିପାଗ ବିଭାଗ ।

ତାଜା ସୂଚନା ଅନୁଯାୟୀ, ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ପାଖାପାଖି ୪୫୦ କିଲୋମିଟର ଦୂରରେ କେନ୍ଦ୍ରିଭୁତ ହେଉଛି ସାମୁଦ୍ରିକ ଝଡ ଫୋନି । ଯାହାକି ଧିରେ ଧିରେ ଉତର-ଉତର ପୂର୍ବ ଦିଗରେ ଗତି କରୁଛି । ତେବେ ୩ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ଝଡ ଓଡିଶା ଉପକୂଳ ତଥା ପୁରୀର ଗୋପାଳପୁର-ଚାନ୍ଦବାଲି ମଧ୍ୟରେ ମାଡ ହେବ । ଏହି ସମୟରେ ପବନର ବେଗ ୧୭୦ରୁ ୧୮୦ କିଲୋମିଟର ଘଂଟାପ୍ରତି ରହିବ ବୋଲି କହିଛି ପାଣିପାଗ ବିଭାଗ ।

ତେବେ ବାତ୍ୟା ଫୋନି ଓଡିଶା ମୁହାଁ ହୋଇଥିବା ବେଳେ ଆଜିଠାରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଫୋନି ପ୍ରଭାବରେ ଆଜିଠାରୁ କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଅଂଚଳରେ ୬୪.୫ ରୁ ୨୦୪.୪ ମିଲିମିଟର ଯାଏଁ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତାକାଲି ଠାରୁ ତଥା ୩ ତାରିଖ ସଂଧ୍ୟାରେ ପୁରୀ ଆଖପାଖ ଅଂଚଳରେ ଭୂଖଣ୍ଡକୁ ବାତ୍ୟା ଛୁଇଁବା କାରଣରୁ ଉପକୂଳ ଓଡିଶାରେ ମାତ୍ରାଧିକ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ । ଏହିସବୁ ଜିଲ୍ଲାରେ ୨୦୪.୪ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ସବୁ ଜିଲ୍ଲାରେ ୬୪.୫ ମିଲିମିଟିରରୁ ୨୦୪.୪ ମିଲିମିଟର ବର୍ଷା ହେବା ସମ୍ଭାବନା ରହିଛି ।

ସେହିଭଳି ଫୋନି ପ୍ରଭାବରେ ଉଭୟ କଟକ ଏବଂ ଭୁବେଶ୍ୱରରେ ମଧ୍ୟ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବୋହିବାର ବି ସମ୍ଭାବନା ରହିଛି । ତେବେ ଉପକୂଳ ବର୍ତ୍ତୀ ସମସ୍ତ ଜିଲ୍ଲାଗୁଡିକ ଫୋନି ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେବ । ମାତ୍ର ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଧିରେ ଧିରେ ହ୍ରାସ ପାଇବ ଏବଂ ୪ ତାରିଖ ପରେ ଓଡିଶା ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚଆର ବିଶ୍ୱାସ ।